ଖେଳପଡ଼ିଆ, ପାର୍କ ପାଇଁ ପୁଷ୍ପାଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର ମହାନଗର ନିଗମ: ୱାର୍ଡ ନମ୍ବର ୫୮

ଭୁବନେଶ୍ବର: ବିଏମ୍‌ସି ୱାର୍ଡ ନମ୍ବର ୫୮ର ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ପୂର୍ବତନ ବିଜେଡି କର୍ପୋରେଟର ତଥା ବର୍ତ୍ତମାନର ବିଜେଡି ପ୍ରାର୍ଥୀ ପୁଷ୍ପା ଦାସ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ପ୍ରାର୍ଥୀ ସୁଲୋଚନା ଦାସଙ୍କ ସହ ଏହି ଅଞ୍ଚଳ ବୁଲି ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ଅନୁରୋଧ କରିଛନ୍ତି।

ବ୍ରହ୍ମେଶ୍ବର ପାଟଣା, ରତ୍ନାକର ବାଗ୍‌, ଟଙ୍କପାଣି ରୋଡ୍‌, ଚିଲିପୋଖରି, ଶିବନଗର ରତ୍ନାକର ବାଗ, ରାଜାରାଣୀ କଲୋନି, ରାଧାକୃଷ୍ଣ ନଗର, ଭୁଆଶୁଣୀ ମନ୍ଦିର ଅଞ୍ଚଳ, କେଦାରଗୌରୀ ଆପାର୍ଟମେଣ୍ଟ ପ୍ରଭୃତି ଅଞ୍ଚଳର ଗଳିକନ୍ଦି ବୁଲି ଜନସାଧାରଣଙ୍କର ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀମତୀ ଦାସ କହିଛନ୍ତି, ୱାର୍ଡରେ ଯଥେଷ୍ଟ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ବ୍ରହ୍ମେଶ୍ବର ଐତିହ୍ୟ ତୋରଣ, ବ୍ରହ୍ମେଶ୍ବର ମନ୍ଦିର ପର୍ଯ୍ୟନ୍ତ ୬୦ ଫୁଟିଆ ରାସ୍ତା, ଗଙ୍ଗୁଆ କୂଳରୁ ରବି ଟକିଜ୍‌ ଛକ ପର୍ଯ୍ୟନ୍ତ ମେଡିଆନ୍‌ ଲାଇଟ୍‌, ସ୍ବେରେଜ୍‌ କାମ, ଘରକୁଘର ପାନୀୟ ଜଳ ଯୋଗାଣ ହେବା ସହ ଜଳବନ୍ଦୀ ସମସ୍ୟାର ସମାଧାନ କରାଯାଇଛି। ବାକି ରହି ଯାଇଥିବା କିଛି କାମ ଯଥା, ଖେଳପଡ଼ିଆ ଓ ପାର୍କ ସହ ଅନ୍ୟ ସମସ୍ତ ସମସ୍ୟାର ସମାଧାନ କରିବାକୁ ସେ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।

ଭୁବନେଶ୍ବର ମହାନଗର ନିଗମ: ୱାର୍ଡ ନମ୍ବର୫୫ରେ ବିଜେଡିର ମାରାଥନ୍ ପ୍ରଚାର

ବିକାଶମୂଳକ କାର୍ଯ୍ୟକୁ ନୃପେଶଙ୍କ ଫୋକସ୍

ନମ୍ବର ୫୫ରେ ବିଜେଡି ପ୍ରାର୍ଥୀ ନୃପେଶ କୁମାର ନାୟକ ସେଠାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ପ୍ରସଙ୍ଗ କରି ପ୍ରଚାର ଜୋର୍‌ଦାର କରିଛନ୍ତି। ଗତକାଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ପ୍ରାର୍ଥୀ ସୁଲୋଚନା ଦାସ ଏହି ୱାର୍ଡରେ ରୋଡ୍‌ ସୋ’ କରିଥିଲେ। ନାଗେଶ୍ବରଟାଙ୍ଗୀ, ଗୌତମ ନଗର, ଅର୍କପୁରୀ କଲୋନି, ବିନ୍ଦୁସାଗର ରୋଡ୍‌ ପ୍ରମୁଖ ଅଞ୍ଚଳ ସେମାନେ ବୁଲିଥିଲେ। ଆଜି ଘରକୁ ଘର ବୁଲି ନୃପେଶ ଓ ତାଙ୍କ ସମର୍ଥକମାନେ ପ୍ରଚାର କରିଥିଲେ। ୨୦୦୮ରୁ ୨୦୧୩ ଯାଏ ନୃପେଶ ଏହି ୱାର୍ଡରେ କର୍ପୋରେଟର୍‌ ଥିଲା ବେଳେ ୨୦୧୪ରୁ ୨୦୧୯ ତାଙ୍କ ପତ୍ନୀ ସୀମା ନାଏକ ଏଠାରେ କର୍ପୋରେଟର୍‌ ହୋଇଥିଲେ। ଏହି ଦୁଇଟି ପାଳିରେ ୱାର୍ଡରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନୃପେଶଙ୍କ ସମର୍ଥକମାନେ ଲୋକଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ କି କି କାର୍ଯ୍ୟ କରାଯିବ ତାହାର ମଧ୍ୟ ତାଲିକା ଦେଉଥିବା ଲକ୍ଷ୍ୟ କରାଯାଉଛି।

ନୃପେଶ କହିଛନ୍ତି ଯେ ସେ ନିଜ ଖର୍ଚରେ ହାଉସିଂବୋର୍ଡ କଲୋନିରେ କମ୍ୟୁନିଟି ହଲ କରାଯାଇଛି। ୱାର୍ଡକୁ ସବୁଜ ବଳୟ କରିବାକୁ ୨୩୦୦ ଗଛ ଲଗାଯାଇ ସୁରକ୍ଷା ଦିଆଯାଉଛି। ଗୌତମନଗରରେ ଏକ ଶିଶୁ ଉଦ୍ୟାନ ଓ ଅନ୍ୟ ଏକ କମ୍ୟୁନିଟି ହଲ ପାଇଁ ୬୦ଟଙ୍କା ଅନୁଦାନ ସରିଛି। ହରିହର ବିଦ୍ୟାପୀଠ ସମ୍ମୁଖ ୧୨୦୦ମିଟର ରାସ୍ତାକୁ ସିଓର ପ୍ରୋଜକ୍ଟ୍‌ରେ ସ୍ମାର୍ଟ ସିଟି ଷ୍ଟାଇଲ ରାସ୍ତା ଖୁବ୍‌ ଶୀଘ୍ର କରାଯିବ। ସେହିପରି ନାଗେଶ୍ବରଟାଙ୍ଗୀ ହାଟର ପୁନରୁଦ୍ଧାର କରାଯିବ ବୋଲି ସେ ୱାର୍ଡବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର