ବିଜେବିନଗରରେ ହେବ ରାଜସ୍ବ ଭବନ; ଗୋଟିଏ ଛାତ ତଳେ ସମସ୍ତ ରାଜସ୍ବ ସେବା

କ୍ଷେତ୍ର ପରିଦର୍ଶନ କଲେ ଆର୍‌ଡିସି

ଭୁବନେଶ୍ବର: ବିଜେବିନଗରରେ ସଂସ୍କୃତି ଭବନକୁ ଲାଗି ନିର୍ମାଣ ହେବାକୁ ଯାଉଛି ରାଜସ୍ବ ଭବନ। ଗୋଟିଏ ଛାତ ତଳେ ସମସ୍ତ ରାଜସ୍ବ ସେବା ପ୍ରଦାନ କରିବା ଲାଗି ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିପାଇଁ ଜାଗା ଚିହ୍ନଟ ହେବା ସହ ସାଧାରଣ ପ୍ରଶାସନ ବିଭାଗର ୪.୯୩୩ ଏକର ଜମି ରାଜସ୍ବ ବିଭାଗ ନାମରେ କରାଯାଇଛି। ଏହା ପରେ କେନ୍ଦ୍ରାଞ୍ଚଳ ଆର୍‌ଡିସି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ଜାଗାରେ ଥିବା‌ ୪ଟି ବସ୍ତିକୁ ଉଚ୍ଛେଦ କରାଯାଇ ଥଇଥାନ କରାଯିବାକୁ ଯୋଜନା ହୋଇଥିବା ବେଳେ ୩୦ଟି ସରକାରୀ କ୍ବାର୍ଟର୍ସ ଭଙ୍ଗା ଯିବାକୁ ନିଷ୍ପତ୍ତି ହୋଇଛି। ୧୫ ଦିନ ଭିତରେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶରେ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ପ୍ଲାନ୍‌ ଓ ଅଟକଳ ତିଆରି କରି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକର ନିଷ୍ପତ୍ତି ମୁତାବକ, ଏହି ରାଜସ୍ବ ଭବନରେ ୭ଟି ଅଫିସ୍‌ କାମ କରିବ। ସେଗୁଡ଼ିକ ହେଉଛି ତହସିଲ ଅଫିସ୍‌, ଏଡିଏମ୍‌ ଓ ଜିଲ୍ଲାପାଳଙ୍କ କ୍ୟାମ୍ପ ଅଫିସ, ଉପଜିଳ୍ଲାପାଳ, ସବ୍‌ରେଜିଷ୍ଟ୍ରାର ଅଫିସ, ରାଜସ୍ବ ପର୍ଷଦ ସଦସ୍ୟଙ୍କ କ୍ୟାମ୍ପ ଅଫିସ୍‌, ରାଜସ୍ବ ପର୍ଷଦଙ୍କ ୩ଟି ରିଭିଜନାଲ କୋର୍ଟ ଓ ଆରଡିସିଙ୍କ କ୍ୟାମ୍ପ ଅଫିସ୍‌। ୨ଲକ୍ଷ ୪୦ ହଜାର ବର୍ଗଫୁଟ୍‌ ଅଞ୍ଚଳରେ ଏହି ୭ଟି କାର୍ଯ୍ୟାଳୟ ରହିବ। ମୋଟ ଜମି (୪.୯୩୩ ଏକର)ରୁ ୧.୮୩୦ଏକର ଜମିରେ ଏହି କୋଠା ନିର୍ମାଣ ହେବ। ଭବି‌ଷ୍ୟତରେ ଅଧିକ ରାଜସ୍ବ ସମ୍ବନ୍ଧୀୟ କାର୍ଯ୍ୟାଳୟ ଏଠାରେ ତିଆରି କରିହେବା ଭଳି ବ୍ୟବସ୍ଥା ମଧ୍ୟ ରହିବ। ଏହି କାର୍ଯ୍ୟାଳୟ ପାଇଁ ୪୦ ଫୁଟ ଚଉଡ଼ାର ରାସ୍ତା ହେବ। ଏଠାରେ ଥିବା ୩୦ଟି କ୍ବାର୍ଟର୍ସକୁ ଉଠାଯିବ। ଅକ୍ଟୋବର ୩୧ ତାରିଖ ସୁଦ୍ଧା ଜିଏ ବିଭାଗର ଇଷ୍ଟେଟ୍‌ ନିର୍ଦ୍ଦେଶକ ଏହି କର୍ମଚାରୀମାନଙ୍କୁ ଅନ୍ୟ କ୍ବାର୍ଟର୍ସ ଯୋଗାଇ ଦେବା ପରେ ଏଗୁଡ଼ିକୁ ଭଙ୍ଗାଯିବ। ସେହିଭଳି ଏଠାରେ ଥିବା ୪ଟି ବସ୍ତିରେ ୧୨୦ ପରିବାର ରହିଛନ୍ତି। ଏହି ବସ୍ତି ୦.୪୧୮ ଏକର ଜାଗାରେ ରହିଛି।

ବିଏମ୍‌ସି ଏମାନଙ୍କୁ ଉଚ୍ଛେଦ କରି ଥଇଥାନ କରିବ। ବିଜୟଲକ୍ଷ୍ମୀ ବସ୍ତି ନିକଟରେ ରହିଥିବା ସାଧାରଣ ପ୍ରଶାସନ ବିଭାଗ ଜାଗାରେ ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ବିଏମ୍‌ସିକୁ କୁହାଯାଇଛି। ସେହିଭଳି ସେଠାରେ ୦.୩୬୪ ଏକର ଜମିକୁ ବିଏମ୍‌ସି ଗ୍ୟାରେଜ୍‌ ଭାବରେ ବ୍ୟବହାର କରୁଛି। ବିଏମ୍‌ସି ଗ୍ୟାରେଜ୍‌ ସେଠାରୁ ହଟାଯିବ। ସେହି ଜମିକୁ ରାଜସ୍ବ ଭବନର ପାର୍କିଂ ସ୍ଥଳ ଭାବରେ ବ୍ୟବହାର କରାଯିବ। ବସ୍ତି ଓ ବିଏମ୍‌ସି ଗ୍ୟାରେଜ୍‌ ଛଡ଼ା ଏଠାରେ ୦.୪୫୩ ଏକର ପରିମିତ ଏକ ଖେଳ ପଡ଼ିଆ ମଧ୍ୟ ଅଛି। ତାହାକୁ ପାର୍କିଂ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର ପାଇଁ ରଖାଯିବ। ଏହା ଭିତରେ ୦.୧୦୫ ଏକର ପରିମିତ ଏକ ମନ୍ଦିର ରହିଛି। ଏହା ଉଚ୍ଛେଦ ହେବ କି ରହିବ ତାହା ନିଷ୍ପତ୍ତି ହୋଇ ନାହିଁ।

ସମ୍ବନ୍ଧିତ ଖବର