ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ: ଘର ଭଡ଼ା ପାଉନାହାନ୍ତି ପ୍ରଫେସର୍‌, ଅସନ୍ତୋଷ ପ୍ରକାଶ କରି କୁଳପତିଙ୍କୁ ଚିଠି ଲେଖିଲେ

ୟୁନିଟ୍‌-୯ରେ ୨୮ କ୍ବାଟର୍‌ ଖାଲିଥିବା ଦର୍ଶାଇଲେ କୁଳସଚିବ, ସାଧାରଣ ପ୍ରଶାସନ ବିଭାଗକୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ବର: ୨୦୧୫ରୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଲାଣି ରମାଦେବୀ ମହିଳା ମହାବିଦ୍ୟାଳୟ। ୧୨ରୁ ଅଧିକ ପିଜି ବିଭାଗରେ ପାଠପଢ଼ା ହେଉଛି। ଶତାଧିକ ଶିକ୍ଷକ ଓ ଅଣଶିକ୍ଷକ ପିଲାଙ୍କ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ସେମାନଙ୍କ ରହିବା ଲାଗି ବ୍ୟବସ୍ଥା ହୋଇନି। ବାହା‌ରେ ଭଡ଼ା ନେଇ ପ୍ରଫେସର୍‌ମାନେ ରହୁଛନ୍ତି। ନୂଆ କରି ନିଯୁକ୍ତି ହୋଇଥିବା ପ୍ରଫେସର ଘର ଭଡ଼ା ଲାଗି ବାର ଦୁଆର ବୁଲୁଛନ୍ତି। ଭୁବନେଶ୍ବର ସେଣ୍ଟ୍ରା‌ଲରେ ଏହି ଶିକ୍ଷାନୁଷ୍ଠାନ ଥିବାରୁ ଆଖପାଖରେ ଘର ଭଡ଼ା ମିଳିବା ବି କଷ୍ଟକର ହୋଇପଡ଼ୁଛି। ଅଣଶିକ୍ଷକମାନଙ୍କୁ ନାକେଦମ୍‌ ହେବାକୁ ପଡ଼ୁଥିବାରୁ ସେମାନେ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏମିତିକି କ୍ବାର୍ଟର୍‌ ବ୍ୟବସ୍ଥା ନ ଥିବାରୁ ନୂତନ ଭାବେ ନିଯୁକ୍ତି ପାଇଥିବା କିଛି ପ୍ରଫେସର ଏନେଇ କୁଳପତି ଓ କୁଳସଚିବଙ୍କୁ ପତ୍ର ଲେଖି ଅସନ୍ତୋଷ ପ୍ରକାଶ କରିବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ୟୁନିଟ୍‌-୯ ଅଞ୍ଚଳରେ ଖାଲି ପଡ଼ିଥିବା ୨୮ଟି ସରକାରୀ ଆବାସିକ କ୍ବାର୍ଟର୍‌କୁ ବିଶ୍ବବିଦ୍ୟାଳୟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର, ଜୁନିଅର/ଅଫିସ୍‌ ଆସିଷ୍ଟାଣ୍ଟକୁ ଯୋଗାଇ ଦେବାକୁ ବିଶ୍ବବିଦ୍ୟାଳୟ କୁଳସଚିବ ଶ୍ୟାମଳୀ ମହାପାତ୍ର ଗତ ୨ ତାରିଖରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ।

ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ଚିଠି ପାଇବାର ୫ ଦିନ ପରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ମିଶ୍ର ଚିଠିରେ ଦର୍ଶାଇଛନ୍ତି ଯେ ଭୁବନେଶ୍ବର ୟୁନିଟ୍‌-୯ ଅଞ୍ଚଳରେ ସରକାରୀ ଆବାସିକ କ୍ବାର୍ଟର୍‌ ଖାଲି ପଡ଼ିଛି। ସେଠାରେ କେହି ରହୁନାହାନ୍ତି। କାହାକୁ ବି ଆଲଟ୍‌ ହୋଇନାହିଁ। ତେଣୁ ଖାଲି ପଡ଼ିଥିବା ଉକ୍ତ କ୍ବାର୍ଟରଗୁଡ଼ିକୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକଙ୍କ ରହିବା ଲାଗି ଅନୁମତି ଦିଆଯାଉ। କାରଣ ବିଶ୍ବବିଦ୍ୟାଳୟ କର୍ମଚାରୀ ଭଡ଼ା ଘର ପାଇବା ସହ ରହିବାରେ ସମସ୍ୟା ଭୋଗୁଛନ୍ତି। ସେମାନଙ୍କୁ ଦିଆଯାଉଥିବା ଭଡ଼ା ବାବଦ ଅର୍ଥରେ ଭୁବନେଶ୍ବରରେ ଘର ଭଡ଼ା ମିଳିବା କଷ୍ଟକର ହୋଇପଡ଼ୁଛି। ୨୦୧୫ରୁ ଏହି ଶିକ୍ଷାନୁଷ୍ଠାନକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଥିଲେ ମଧ୍ୟ କ୍ୟାମ୍ପସ ପରିସରରେ ରହିବାକୁ ସ୍ଥାନ ନାହିଁ। ମହାବିଦ୍ୟାଳୟ ଥିବା ବେଳେ କର୍ମଚାରୀଙ୍କୁ ସାଧାରଣ ପ୍ରଶାସନ ବିଭାଗରୁ ରହିବାକୁ ଘର ମିଳୁଥିଲା। ଏବେ ବିଶ୍ବବିଦ୍ୟାଳୟରେ ପରିଣତ ହେବା ପରେ ସେମାନଙ୍କୁ ସରକାରୀ ବାସଭବନ ମିଳୁନାହିଁ। ତେଣୁ ବିଶ୍ବବିଦ୍ୟାଳୟ କୁଳସଚିବ ୟୁନିଟ-୯ ଅଞ୍ଚଳରେ ଥିବା ୨୮ଟି ବାସଭବନ ଚିହ୍ନଟ କରି ଦେଇଛନ୍ତି। ଏହି କ୍ବାଟର୍‌ଗୁଡ଼ିକ ବିଶ୍ବବିଦ୍ୟାଳୟ ନିକଟରେ ରହିଥିବାରୁ ରମାଦେବୀ କର୍ମଚାରୀଙ୍କ ରହିବା ଲାଗି ସୁବିଧା ହେବ। ଏଥିସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ବିଶ୍ବବିଦ୍ୟାଳୟ ନିକଟରେ ଥିବା ୧୦୦ରୁ ଅଧିକ ସରକାରୀ କ୍ବାର୍ଟର୍‌କୁ ଆଲଟ୍‌ କରିବା ଲାଗି ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

କୁଳସଚିବ ଶ୍ୟାମଳୀ ମହାପାତ୍ର ଦର୍ଶାଇଛନ୍ତି ଯେ ୫ଆରଏଫ୍‌-୧/୨ର ଗୋଟିଏ, ୪ଆରଏଫ୍‌-୧, ୪ଆରଏଫ୍‌-୧୦ର ଦୁଇଟି କ୍ବାର୍ଟର୍‌ ଖାଲି ରହିଛି। ଏହାକୁ ପ୍ରଫେସର କିମ୍ବା ଆସୋସିଏଟ୍‌ ପ୍ରଫେସରଙ୍କୁ ଆଲଟ୍‌ କରାଯାଉ। ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଲାଗି ୩ଆରଏଫ୍‌ର ୫ଟି ଓ ଡି-ଟାଇପ୍‌ର ୬ଟି କ୍ବାଟର୍‌ ଏବଂ ଜୁନିଅର-ଅଫିସର ଆସିଷ୍ଟାଣ୍ଟଙ୍କ ପାଇଁ ଖାଲି ଥିବା ୧୪ଟି ଇ-ଟାଇପ୍‌ର କ୍ବାଟର ଆଲଟ୍‌ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର