ରିଙ୍କି ହତ୍ୟା ମାମଲା: ପୁଲିସ ହାତରେ ହତ୍ୟାର ଯଥେଷ୍ଟ ପ୍ରମାଣ

ଜଗନ୍ନାଥ ବୟାନକୁ ଅପେକ୍ଷା, ଯାଜପୁରରୁ ଫେରିଲା ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ବର : ରାଜଧାନୀରେ ଘଟିଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍‌ ରିଙ୍କିଙ୍କୁ ଅଭିଯୁକ୍ତ ଜଗନ୍ନାଥ ଭଲ ପାଉଥିଲା। ଏପରିକି ରିଙ୍କିଙ୍କ ବିବାହ ପରେ ମଧ୍ୟ ଉଭୟ ସଂପର୍କରେ ଥିଲେ। ତେବେ ପରେ ରିଙ୍କି ଏଥିପାଇଁ ବା‌ରଣ କରିବାରୁ ଏଥିରେ କ୍ଷୁବ୍ଧ ହୋଇ ଜଗନ୍ନାଥ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏ ନେଇ ଯଥେଷ୍ଟ ତଥ୍ୟପ୍ରମାଣ ପୁଲିସ ହାତରେ ଲାଗି ସାରିଲାଣି। ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା ଛୁରିଠୁ ନେଇ ଜଗନ୍ନାଥର ସୁଇସାଇଡ୍‌ ନୋଟ୍ ଏବଂ ପରିବାର ଲୋକଙ୍କୁ କରିଥିବା ହ୍ବାଟ୍‌ସଆପ୍ ମେ‌ସେଜ୍‌ରୁ ଜଗନ୍ନାଥ ଯେ ହତ୍ୟାକାରୀ ତ‌ାହା ସ୍ପଷ୍ଟ ହେବାରେ ଲାଗିଛି। କେବଳ ଏ ନେଇ ଜଗନ୍ନାଥର ବୟାନ ମିଳିଲେ ପ୍ରମାଣ ଆହୁରି ଦୃଢ଼ ହୋଇଯିବ। ତେଣୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଗନ୍ନାଥ ସୁସ୍ଥ ହେବାକୁ ଅପେକ୍ଷା କରିଛି ତଦନ୍ତକାରୀ ପୁଲିସ।

ଅନ୍ୟପକ୍ଷରେ ମାମଲା ତଦନ୍ତ ପାଇଁ ଗଠିତ ସ୍ବତନ୍ତ୍ର ଟିମ୍‌ ଯାଜପୁର ଓ ରିଙ୍କିଙ୍କ ଘର କୁଆଖିଆ ଯାଇ ଜଗନ୍ନାଥ ଓ ରିଙ୍କିଙ୍କ ପରିବାରବର୍ଗଙ୍କୁ ପଚରାଉଚରା କରିବା ପରେ ଭୁବନେଶ୍ବର ଫେରିଛି। ପରିବାରବର୍ଗଙ୍କ ସହ ପୁଲିସ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଛି। ରିଙ୍କି ଓ ଜଗନ୍ନାଥଙ୍କ ବାବଦରେ ସମସ୍ତ ତଥ୍ୟ ସଂଗ୍ରହ କରିଛି। ପଚରାଉଚରାରୁ ଯେଉଁ ପ୍ରମାଣ ମିଳିଛି ତାହା ପୁଲିସ ପାଇଁ ଯଥେଷ୍ଟ ବୋଲି କୁହାଯାଉଛି। ଆଇସିୟୁରେ ଚିକିତ୍ସାଧୀନ ଥିବା ଜଗନ୍ନାଥ ସୁସ୍ଥ ହେବାକୁ ପ୍ରାୟ ତିନିଦିନ ଲାଗିବ ବୋଲି ପୁଲିସ ଆଶା କରିଛି। ତିନିଦିନ ପରେ ତାର ବୟାନ ରେକର୍ଡ ହେବ। ବୟାନ ରେକର୍ଡ ହେଲେ ହତ୍ୟା ପଛର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

କାହାଣୀରେ ନୂଆ ଚରିତ୍ର ‘ତାପସ’
ରିଙ୍କିଙ୍କ ବିବାହ ପରେ ଜଗନ୍ନାଥ ତାଙ୍କଠାରୁ ଦୂରେଇ ଯାଇଥିଲା। ତେବେ ଗତବର୍ଷ ଲକ୍‌ଡାଉନ୍ ସମୟରେ ସେମାନଙ୍କ ମଧ୍ୟରେ ପୁଣିଥରେ ଉଦ୍‌ଜୀବିତ ହୋଇଥିଲା ମଧୁର ସମ୍ପର୍କର ଅନୁଭୂତି। ଫୋନ୍ ଓ ଚାଟିଂରେ ପୁରୁଣା କଥାକୁ ମନେ ପକାଇବା ସହ ନୂଆ ନୂଆ ସମସ୍ୟା ସମ୍ବନ୍ଧରେ ବି ହେଉଥିଲା ଆଲୋଚନା। କ୍ରମେ ସେମାନଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ହେଲେ ଏତିକିବେଳେ ସେମାନଙ୍କ ପ୍ରେମକାହାଣୀରେ ତାପସ ନାଁରେ ଆଉ ଏକ ଚରିତ୍ରର ପ୍ରବେଶ ଘଟିଥିଲା। ତାପସଙ୍କ ସହ ବି ରିଙ୍କି କୁଆଡ଼େ କଥା ହେଉଥିଲେ, ଯାହା ଜଗନ୍ନାଥକୁ ଅଧିକ ସନ୍ଦେହୀ କରିଥିଲା। ଯେତେବେଳେ ବି ଜଗନ୍ନାଥଙ୍କୁ ଲାଗୁଥିଲା ଯେ ରିଙ୍କି ତାଙ୍କୁ କମ୍‌ ସମୟ ଦେଉଛନ୍ତି; ଏଥିପାଇଁ ତାପସ ହିଁ ଦାୟୀ ବୋଲି ସେ ମନେ କରୁଥିଲା। ଏଣୁ ତାପସ ସହ କଥା ହେବାକୁ ସେ ରିଙ୍କିଙ୍କୁ ମନା କରୁଥିଲା। କ୍ରମଶଃ ସନ୍ଦେହ ବଢ଼ିବାରୁ ଜଗନ୍ନାଥ ଚିନ୍ତାରେ ରହୁଥିଲା। କିଛି ଦିନ ପରେ ଜଗନ୍ନାଥ କୁଆଡ଼େ ପ୍ରମାଣ ପାଇଥିଲା ଯେ ରିଙ୍କି ନିୟମିତ ତାପସ ସହ କଥା ହେଉଛନ୍ତି। ଫଳରେ ଜଗନ୍ନାଥ ପ୍ରତିହିଂସା ପରାୟଣ ହୋଇ ପଡ଼ିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ତେଣୁ ପ୍ରେମରେ ଧୋକା ଖାଇଥିବା ଅନୁଭବ କରି ଜଗନ୍ନାଥ ରିଙ୍କି ଓ ତାଙ୍କ ୩ ବର୍ଷର ପୁଅକୁ ମାରି ନିଜେ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲା।

ସମ୍ବନ୍ଧିତ ଖବର