ଲକ୍‌ଡାଉନ୍‌‌‌ରେ ବଢ଼ିଛି ସିନ୍ଧିଚୋରି, ୩ ମାସରେ ୧୧୧ ମାମଲା

ଭୁବନେଶ୍ବର: କରୋନା ପାଇଁ ହଠାତ୍‌ ଘୋଷଣା ହୋଇଥିଲା ଲକ୍‌ଡାଉନ୍‌। ଯିଏ ଯେଉଁଠି ଥିଲେ ସେଇଠି ଅଟକି ରହିଥିଲେ। ଆଉ କେହି କେହି ଭଡ଼ା ଘରେ ତାଲା ପକାଇ ଯାଇଥିଲେ ଯେ, ମାସ ମାସ ଧରି ଫେରି ପାରିନଥିଲେ। ଏଭଳି ସ୍ଥିତି ରାଜଧାନୀରେ ସିନ୍ଧିଚୋରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣି ଦେଇଥିଲା। ରାଜଧାନୀରେ ସିନ୍ଧି ଚୋର ମାତିଥିଲେ। ଚଳିତବର୍ଷ ଲକ୍‌ଡାଉନ୍‌ ସମୟର ଅପରାଧ ପରିସଂଖ୍ୟାନ ଏଭଳି ଚିତ୍ର ସାମ୍ନାକୁ ଆଣିଛି। ପୂର୍ବବର୍ଷ ତୁଳନାରେ ଏପ୍ରିଲ୍‌ରୁ ଜୁଲାଇ ମଧ୍ୟରେ ଡକାୟତି, ଦୁଷ୍କର୍ମ, ଛିନ୍‌ତାଇ ମାମଲା କମିଥିବା ବେଳେ ଆତ୍ମହତ୍ୟା ସହ ସିନ୍ଧିଚୋରି ମାମଲା ସଂଖ୍ୟା ଉଦ୍‌ବେଗଜନକ ରହିଛି।

କମିସନରେଟ୍‌ ପୁଲିସ୍ ସୂଚନା ମୁତାବକ, ୨୦୧୯ ଏପ୍ରିଲରୁ ଜୁଲାଇ ମଧ୍ୟରେ ଭୁବନେଶ୍ୱରରେ ୯୩ଟି ସିନ୍ଧି ଚୋରି ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ଏହି କଟକଣା ଚାରି ମାସରେ ୧୧୧ ସିନ୍ଧି ଚୋରି ମାମଲା ରୁଜୁ ହୋଇଛି। ୧୮ଟି ଅଧିକ ମାମଲା ରୁଜୁ ହୋଇଛି। ଗତ ବର୍ଷ ଏପ୍ରିଲରେ ୨୨ ମାମଲା ହୋଇଥିବା ବେଳେ ଚଳିତ ବର୍ଷ ୧୪, ଗତବର୍ଷ ମେ’ରେ ୧୪ ତୁଳନାରେ ଚଳିତବର୍ଷ ୨୬, ଗତ ବର୍ଷ ଜୁନ୍‌ରେ ୨୨ ତୁଳନାରେ ଏ ବର୍ଷ ୩୬ ଓ ଜୁଲାଇରେ ଉଭୟ ବର୍ଷରେ ସିନ୍ଧିଚୋରି ସଂ‌ଖ୍ୟା ୩୫ ରହିଛି। ଘରେ ଲୋକ କେହି ନଥିବା ବେଳେ ଚୋର ପ୍ର‌ଥମେ ଘରକୁ ଦିନରେ ଟାର୍ଗେଟ କରୁଥିଲା। ପରେ ଯାଇ ରାତିରେ କବାଟ, ଝରକା ତାଡ଼ି ଲୁଟୁଥିଲା। ତେବେ କେବଳ ସିନ୍ଧି ଚୋରି ନୁହେଁ, ଚୋରି କିମ୍ବା ଡକାୟତି ମାମଲା ମଧ୍ୟ ଆଖିଦୃଶିଆ କମ୍‌ ହୋଇନାହିଁ। ୨୦୧୯ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ମୋଟ ୪୮୫ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ୪୭୪ ମାମଲା ରୁଜୁ ହୋଇଛି।

ତେବେ ମେ ଓ ଜୁନ୍ ମାସରେ ପୂର୍ବବର୍ଷ ତୁଳନାରେ ମୋବାଇଲ୍ ଫୋନ୍, ଚେନ୍ ଏବଂ ଭ୍ୟାନିଟି ପ୍ରଭୃତି ଛଡ଼ାଇ ନେବା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ଗତବର୍ଷ ମେ ମାସରେ ୮୧ଟି ଛିନ୍‌ତାଇ ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ୧୦୨ଟି ଓ ଗତ ଜୁନ୍‌ରେ ୧୨୮ ମାମଲା ହୋଇଥିବା ବେଳ ଚଳିତବର୍ଷ ଏହି ସଂଖ୍ୟା ରହିଛି ୧୫୦। ଏବେ ମଧ୍ୟ ଏହି ଅପରାଧ କ୍ରମାଗତ ଭାବରେ ବଢ଼ି ବଢ଼ି ଚାଲୁଥିବାରୁ କମିସନରେଟ୍‌ ପୁଲିସର ନିଦ ହଜିଛି। ତେବେ ଡକାୟତି ମାମଲାରେ ପୁଲିସ ଆଶ୍ବସ୍ତ ଅଛି। ୨୦୧୯ରେ ଏପ୍ରିଲ୍-ଜୁଲାଇ ମଧ୍ୟରେ ୯୯ ଡକାୟତି ମାମଲା ଥିବା ବେଳେ ଚଳିତ ବର୍ଷ ୬୦ ରହିଛି। ଦୁଷ୍କର୍ମ ମାମଲା ମଧ୍ୟ ପୂର୍ବବର୍ଷ ତୁଳନାରେ ୧୧ଟି ମାମଲା କମ୍‌ ରୁଜୁ ହୋଇଛି। ଡିସିପି ଉମାଶଙ୍କର ଦାଶ କହିଛନ୍ତି, କରୋନା ଲକ୍‌ଡାଉନ ପାଇଁ ଅନେକ ଲୋକ ରୋଜଗାର ହରାଇ ଏଭଳି ଅପରାଧରେ ସାମିଲ ହୋଇଛନ୍ତି। ତେବେ ଅଧିକାଂଶ ମାମଲାର ସଫଳ ଅନୁସନ୍ଧାନ ହୋଇଥିବା ବେଳେ ବାକି ରହିଥିବା ମାମଲାଗୁଡ଼ିକ ଉପରେ ଫୋକସ୍‌ ରହିଛି।

ସମ୍ବନ୍ଧିତ ଖବର