ପୁରୁଣା କାର୍‌ କିଣିବାକୁ ରାୟଗଡ଼ାରୁ ଭୁବନେଶ୍ୱର ଆସିଥିଲେ ଗ୍ରାହକ, ରାଜମହଲ ଛକରେ ୩ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ!

ଭୁବନେଶ୍ୱର: ପୁରୁଣା କାର୍‌ କଣିବାକୁ ଆସିଥିବା ରାୟଗଡ଼ାର ଗ୍ରାହକଙ୍କ ଠାରୁ ଦୁର୍ବୃତ୍ତମାନେ ରାଜଧାନୀର ବ୍ୟସ୍ତବହୁଳ ସ୍ଥାନ ରାଜମହଲ ଛକ ନିକଟରୁ ୩ ଲକ୍ଷ ଟଙ୍କା ଲୁଟ୍‌ କରି ନେଇଥିବା ଗୁରୁବାର ଅଭିଯୋଗ ହୋଇଛି।

ରିପୋର୍ଟ ଅନୁସାରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଅଂଚଳରେ ସନ୍ତୋଷ ନାମରେ ଜଣେ ବ୍ୟକ୍ତି ନିଜା ସାଙ୍ଗ ଦାମୋଦର ମହାପାତ୍ର ଓ ଚାଳକଙ୍କ ସହିତ ଏକ କାରରେ ପୁରୁଣା କାର କିଣିବା ପାଇଁ ଆଜି ଭୁବନେଶ୍ୱର ଆସିଥିଲେ। ସେମାନେ ପୁରୁଣା ସୋ’ ରୁମ୍‌ରୁ କାର କିଣିବା ପାଇଁ ସାଥୀରେ ୩ ଲକ୍ଷ ଟଙ୍କା ନେଇ ଆସିଥିଲେ, ଯାହାକୁ ସିଟ୍‌ରେ ରଖିଥିଲେ।

ଦାମୋଦର ରାଜମହଲ ଛକରେ ଔଷଧ କିଣିବାକୁ ଯାଇଥିବା ବେଳେ ଚାଳକ ଓ ସନ୍ତୋଷ ବସିଥିଲେ। ଏହି ସମୟରେ ୨ ଜଣ ଯୁବକ ବାଇକରେ ପହଂଚିଥିଲେ। ଯୁବକ ଦ୍ୱୟ ଚାଳକ ଓ ସନ୍ତୋଷଙ୍କୁ କହିଥିଲେ ଯେ, ତାଙ୍କ କାର୍‌ର ଇଞ୍ଜିନରୁ ଡିଜେଲ ଲିକ୍‌ ହେଉଛି। ଏହା ଶୁଣିବା ପରେ ଚାଳକ ଓ ସନ୍ତୋଷ ବ୍ୟସ୍ତ ହୋଇ କାର୍‌ ଭିତରୁ ବାହାରି ପଡ଼ିଥିଲେ। କାରର କବାଟ ଖୋଲାଥିବା ବେଳେ ଦୁବୃର୍ତ୍ତମାନେ ସୁବର୍ଣ୍ଣ ସୁଯୋଗ ଦେଖି ଟଙ୍କା ବ୍ୟାଗ୍‌ ନେଇ ସେଠାରୁ ଫେରାର ହୋଇଯାଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର