କାଗଜକଲମରେ କଟକଣା: ଶିକ୍ଷାନୁଷ୍ଠାନ ନିକଟରେ ନିଶା ବିକ୍ରି

ଚଢ଼ଉ ଦାୟିତ୍ବ କାହାର? ଚୁପ୍‌ ରହୁଛନ୍ତି ଶିକ୍ଷାନୁଷ୍ଠାନ କର୍ତୃପକ୍ଷ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନର ଶହେ ମିଟର ପରିଧି ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ହୋଇପାରିବନି। ୨୦୦୩ କୋଟପା(ସିଗାରେଟ୍‌ ଓ ଅନ୍ୟାନ୍ୟ ତମାଖୁ ସାମଗ୍ରୀ ଆଇନ)ରେ ପାନ, ତମାଖୁ, ସିଗାରେଟ୍‌ ପରି ନିଶାଦ୍ରବ୍ୟ ବିକ୍ରି ନେଇ କଡ଼ା ଚେତାବନୀ ରହିଥିଲେ ମଧ୍ୟ ଦିନ ଦିପ୍ରହରରେ ତାହାର ଖୁଲମ୍‌ଖୁଲା ଉଲ୍ଲଂଘନ ହେଉଛି। ସ୍କୁଲଠାରୁ କଲେଜ ପର୍ଯ୍ୟନ୍ତ, ଏମିତିକି ବିଶ୍ବବିଦ୍ୟାଳୟ ନିକଟରେ ନିଶାଦ୍ରବ୍ୟ ବେପାର ଚାଲିଛି। ତା’ପୁଣି ଆଉ କେଉଁଠି ନୁହେଁ, ଖୋଦ୍‌ ରାଜଧାନୀ‌‌ରେ। ଏହାର ସିଧାସଳଖ ପ୍ରଭାବ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଛି। ଅଳ୍ପ ବୟସରେ ଛାତ୍ରଛାତ୍ରୀ ନିଶା କବଳରେ କବଳିତ ହେଉଛନ୍ତି। ଏଥିପ୍ରତି ପ୍ରଶାସନ ସଜାଗ ନାହିଁ କି ପୁଲିସ ତତ୍ପରତା ପ୍ରକାଶ କରୁନି। ବିଦ୍ୟାଳୟ, କଲେଜ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷମାନେ ମଧ୍ୟ ସବୁ ଜାଣି ଭୟରେ ଚୁପ୍‌ ରହୁଛନ୍ତି।

ବଡ଼ କଥା ହେଉଛି ଯେ ନିଶାଦ୍ରବ୍ୟ ବିକ୍ରି ହେଉଥିବା ଦୋକାନ ଉପରେ ଚଢ଼ଉ କରିବ କିଏ? ଗାଇଡ୍‌ଲାଇନ୍‌ ଜାରି କରୁଥିବା ସ୍ବାସ୍ଥ୍ୟ ବିଭାଗ ନା ଶିକ୍ଷା ବିଭାଗ ନା ପୁଲିସ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସେମାନଙ୍କ ଭବିଷ୍ୟତର ଦାୟିତ୍ବ କିଏ ନେବ? ତାହାକୁ ନେଇ ଏବେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପ୍ରତି ଶିକ୍ଷାବର୍ଷ ଆରମ୍ଭରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଆଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ତାହାକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ ଚିଠି ଲେଖୁଛନ୍ତି। ନିୟମକୁ ପାଳନ କରିବାକୁ କହୁଛନ୍ତି। କ୍ୟାମ୍ପସ ନିକଟରେ ନିଶାଦ୍ରବ୍ୟ ବିକ୍ରି ହେଉଥିଲେ ନିକଟସ୍ଥ ପୁଲିସ ସହାୟତାରେ ହଟାଇବାକୁ ନିର୍ଦେଶ ଦିଆଯାଉଛି। କିନ୍ତୁ ନି‌ର୍ଦେଶକୁ କେହି ଖାତିର ବି କରୁନାହାନ୍ତି। ନିୟମ ଅନୁଯାୟୀ କୌଣସି ଶିକ୍ଷାନୁଷ୍ଠାନରେ ନିଶା ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ଆସିଲେ ସବ୍‌-ଇନ୍‌ସପେକ୍ଟର ରୢାଙ୍କର କୌଣସି ବି ପୁଲିସ ଅଧିକାରୀ ଚଢ଼ଉ କରିପାରିବେ।

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ରାଜଧାନୀରେ ଥିବା ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନର ୧୦୦ ମିଟର ମଧ୍ୟରେ ତମାଖୁ, ସିଗାରେଟ୍‌ ଆଦି ବିକ୍ରି ହେଉଛି। କେତେକ ସ୍ଥାନରେ ବ୍ରାଉନ୍‌ସୁଗାର, ଗଞ୍ଜେଇ ପରି ସାମଗ୍ରୀ ବି ବିକ୍ରି ହେଲାଣି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସରରେ ଏଭଳି ଆପତ୍ତିଜନକ ସାମଗ୍ରୀ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି। ବର୍ଷ ବର୍ଷ ଧରି ଏଭଳି ବେପାର ଚାଲିଥିଲେ ମଧ୍ୟ କେହି ବି ଆପତ୍ତି ଉଠାଉ ନାହାନ୍ତି। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ପାଚେରିକୁ ଲାଗି ତମାଖୁ ବିକ୍ରି ହେଉଛି। ଛାତ୍ରମାନେ ସେଠାରେ ଖଟି ଜମାଇବା ସହ ନିଶା ଦ୍ରବ୍ୟ ସେବନ କରୁଛନ୍ତି। ଯଦି ଏହି ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ଅବସ୍ଥା ଏମିତି ତେବେ ଅନ୍ୟ ଶିକ୍ଷାନୁଷ୍ଠାନ ଅବସ୍ଥା କ’ଣ ହୋଇଥିବ ଏଥିରୁ ସ୍ପଷ୍ଟ ଅନୁମେୟ। ଛୋଟ ଛୋଟ ପିଲା ବି ନିଶା କବଳରୁ ବର୍ତ୍ତିପାରି ନାହାନ୍ତି। ସହିଦନଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଗଢ଼ିଉଠିଥିବା ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ନିକଟରେ ନିଶା ସାମଗ୍ରୀ ବିକ୍ରି କରାଯାଉଥିଲେ ଚଢ଼ଉ ହେଉନି।

ନିୟମ କହୁଛି
ପାଚେରିଠାରୁ ଶହେ ମିଟର ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ହେବନି
କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଧୂମପାନମୁକ୍ତ ଅଞ୍ଚଳ ବୋଲି ଲେଖାଯିବ
ଧୂମପାନ ନିରୀକ୍ଷକଙ୍କ ନାମ ଓ ମୋବାଇଲ ନମ୍ବର ନାମଫଳକରେ ଲେଖାହେବ
୧୮ ବର୍ଷରୁ କମ୍‌ ବୟସର ଯୁବକଯୁବତୀଙ୍କୁ ନିଶା ସାମଗ୍ରୀ ବିକ୍ରି ହେବନି

ଜିଲ୍ଲା ପ୍ରଶାସନର ନାଲିଆଖି
ଭୁବନେଶ୍ବର ସମେତ ଖୋର୍ଧା ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟ ପରିସରକୁ ନିଶାଦ୍ରବ୍ୟ ନିଷେଧାଞ୍ଚଳ ଭାବେ ଘୋଷଣା କରାଯାଇଛି। କୌଣସି କ୍ୟାମ୍ପସ ଭିତରେ କିମ୍ବା ନିକଟରେ ନିଶା ବେପାର କି ସେବନ ହୋଇପାରିବ ନାହିଁ। ଯଦି ନିୟମରେ କୌଣସି ବ୍ୟତିକ୍ରମ ଦେଖାଦେବ ତେବେ ଏଥିରେ ସମ୍ପୃକ୍ତ ବ୍ୟକ୍ତି, ଶିକ୍ଷକ ଓ କର୍ମକର୍ତ୍ତାଙ୍କ ବିରୋଧରେ ଆଇନ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ କହିଛନ୍ତି। ନିୟମର ଉଲ୍ଲଂଘନ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଗତ ୨୬ ତାରିଖରେ ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏଭଳି ନିର୍ଦେଶ ଦିଆଯାଇଛି। ନିୟମକୁ ପାଳନ କରିବା ଲାଗି ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟକୁ କୁହାଯାଇଛି।

ସମ୍ବନ୍ଧିତ ଖବର