ସାହିତ୍ୟ ଅକାଦେମିର ପୁସ୍ତକ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ସାହିତ୍ୟର ସ୍ବର ଗୋଟିଏ: ରମାକାନ୍ତ ରଥ

ଭୁବନେଶ୍ବର: ବିଭିନ୍ନ ଭାଷାରେ ସାହିତ୍ୟ ଲେଖା ହୁଏ ସତ, କିନ୍ତୁ ତା’ର ସ୍ବର ଗୋଟିଏ। ଭକ୍ତିଭାବ ଆସିଲେ, ସବୁ ଭାଷାରେ ସାହିତ୍ୟ ଲେଖା ହୋଇପାରିବ। ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଖୋଲା ଯାଇଥିବା ପୁସ୍ତକ ବିକ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରି ଏପରି କହିଛନ୍ତି ପ୍ରଖ୍ୟାତ କବି ତଥା ଅକାଦେମିର ପୂର୍ବତନ ସଭାପତି ରମାକାନ୍ତ ରଥ। ସାହିତ୍ୟ ଅକାଦେମିର ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ରଥ ଆହୁରି କହିଲେ, ଆଜିର ଡିଜିଟାଲ ଯୁଗରେ ବହି ଦୋକାନ ସଂଖ୍ୟା କମି କମି ଯାଉଛି। ଆଗରୁ କଟକ ରେଭେନ୍ସା କଲେଜ ଛକରେ ଯେଉଁ ସ୍ଥାନରେ ବହି ଦୋକାନ ଥିଲା, ଏବେ ସେଠି ମୋବାଇଲ୍‌ ଦୋକାନ ଓ ଅନ୍ୟ ଦୋକାନ ଖୋଲି ଗଲାଣି। କିନ୍ତୁ ଏପରି ସ୍ଥିତିରେ ସାହିତ୍ୟ ଅକାଦେମି ପକ୍ଷରୁ ଓଡ଼ିଶାରେ ଏକ ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲିବା ନିହାତି ଭାବେ ଉତ୍ସାହଜନକ।

ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ସହ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ, କରୋନା ସମୟରେ ଅକାଦେମି ପକ୍ଷରୁ ବିଭିନ୍ନ ପଦକ୍ଷେପ ଓ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ, ଆଜି ଓଡ଼ିଶାରେ ଅକାଦେମି ପକ୍ଷରୁ ଏକ ବିକ୍ରୟ କେନ୍ଦ୍ର ଖୋଲାଗଲା। ଅକାଦେମିର କାର୍ଯ୍ୟାଳୟ ନଥାଇ ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲିବାରେ ଓଡ଼ିଶା ପ୍ରଥମ। ତେବେ ରାଜ୍ୟ ସଂଗ୍ରହାଳୟରେ ଖୁବ୍ ଶୀଘ୍ର ଏକ ଆଦିବାସୀ କେନ୍ଦ୍ର ମଧ୍ୟ ଖୋଲାଯିବ। ସେଠାରେ ଆଦିବାସୀମାନଙ୍କ ଉନ୍ନତି, ଅଗ୍ରଗତି ପାଇଁ ଉକ୍ତ କେନ୍ଦ୍ର କାର୍ଯ୍ୟ କରିବ ବୋଲି ଶ୍ରୀ ରାଓ ସୂଚନା ଦେଇଥିଲେ।
ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ସିଂହ କହିଲେ, ଆଜି ଓଡ଼ିଶାରେ ସାହିତ୍ୟ ଅକାଦେମି ପକ୍ଷରୁ ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲା ଯାଇଥିବାରୁ ଆମେ ଗର୍ବିତ। ବିନା କାର୍ଯ୍ୟାଳୟରେ ଅକାଦେମି ପକ୍ଷରୁ ରାଜ୍ୟରେ ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲାଯିବା ଭାରତ ବର୍ଷରେ ଇତିହାସ ସୃଷ୍ଟି କରିଛି। ଓଡ଼ିଶା ଭାଷା, ସଂସ୍କୃତି, ସାହିତ୍ୟ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଯାହାକୁ ଶୋଷ ହୁଏ, ସେ ଖୋଜିଖୋଜି ପାଣି ପାଖକୁ ଯାଇଥାଏ। କିନ୍ତୁ ଏଠି ପାଣି ଖୋଜି ଖୋଜି ଶୋଷ ପାଖ‌ରେ ପହଞ୍ଚିଛି। ଏଠି ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲିବା

ପରେ ସାହିତ୍ୟ ଅକାଦେମିର କାର୍ଯ୍ୟାଳୟ ଯଥାଶୀଘ୍ର ଖୋଲିବ ବୋଲି ଆଶା କରାଯାଉଛି। ତେବେ ରାଜ୍ୟ ସଂଗ୍ରହାଳୟରେ ଏକ କାଫେଟେରିଆ ଖୋଲିବା ପାଇଁ ଯୋଜନା କରାଯାଉଥିବା ନେଇ ଶ୍ରୀ ଦାଶ ସୂଚନା ଦେଇଥିଲେ। ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଏଠାରେ ଅକାଦେମିର ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲିବା ଓଡ଼ିଶା ପାଇଁ ଗର୍ବର ବିଷୟ। କାର୍ଯ୍ୟକ୍ରମରେ ଆୟକର ବିଭାଗର ଆୟୁକ୍ତ ମନୋରଂଜନ ପ୍ରାଣିଗ୍ରାହୀ, ସାହିତ୍ୟିକ ବିଭୂତି ପଟ୍ଟନାୟକ, ଅସିତ ମହାନ୍ତି, ଦେବୀପ୍ରସନ୍ନ ପଟ୍ଟନାୟକ, ଫନୀ ମହାନ୍ତି, ବସନ୍ତ ପଣ୍ଡା, ବିଷ୍ଣୁପ୍ରିୟା ଓତା, ସୁଶାନ୍ତ କୁମାର ନାୟକ, ଅମରେଶ ପଟ୍ଟନାୟକ, ବିଜୟ କୁମାର ଶତପଥୀ, ଶ୍ୟାମ ଭୋଇ, ପ୍ରଦୀପ କୁମାର ପଣ୍ଡା, କ୍ଷେତ୍ରବାସୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସାହିତ୍ୟ ଅକାଦେମିର ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର