ରାଜଧାନୀରେ ରଙ୍ଗିନ୍‌ କେଶ, ମୁଖା ଓ ହର୍ବାଲ ରଙ୍ଗ ବିକ୍ରି ବଢ଼ୁଛି

ଭୁବନେଶ୍ବର: ଗତ କିଛି ବର୍ଷ ହେଲା ରାଜଧାନୀରେ ହର୍ବାଲ ରଙ୍ଗର ଚାହିଦା ବଢ଼ିଛି। ସାଧାରଣ ଅବିର ତୁଳନାରେ ହର୍ବାଲ ରଙ୍ଗ ଅଧିକ ଦାମୀ ହୋଇଥିଲେ ହେଁ ସ୍ବାସ୍ଥ୍ୟ ଅନୁକୂଳ ହୋଇଥିବାରୁ ରାଜଧାନୀବାସୀ ହର୍ବାଲ ରଙ୍ଗକୁ ପସନ୍ଦ କରୁଛନ୍ତି। ତେବେ ମୁଣ୍ଡଫଟା ଭଳି ରସାୟନଯୁକ୍ତ ରଙ୍ଗ ବିକ୍ରି ବି କିଛି କମ୍ ନାହିଁ। ଅନ୍ୟ ପକ୍ଷରେ ଏହି ଅବସରରେ ଠାକୁର ଭୋଗଖିଆ ପର୍ବ ଚାଲିଥିବାରୁ ଲୋକେ ଫଗୁ ବା ଅବିର କିଣିବାକୁ ଭିଡ଼ କରୁଛନ୍ତି। ଏବେ କିଛି ବର୍ଷ ହେଲାଣି ବାସ୍ନ‌ାଯୁକ୍ତ ଫଗୁ ମିଳୁଛି। ପାଉଡର ଭଳି ଅବିରରେ ବିଭିନ୍ନ ମହକ ଦିଆଯାଉଛି। ମହକଯୁକ୍ତ ଅବିର କିଣିବାକୁ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗ୍ରହ କରୁଛନ୍ତି। ଏଭଳି ମହକଯୁକ୍ତ ଅବିରର କିଲୋ ପିଛା ଦାମ ରହିଛି ୧୬୦ରୁ ୨ ଶହ ଟଙ୍କା। ହର୍ବାଲ ରଙ୍ଗ ଦର ୧୫୦ ଗ୍ରାମକୁ ୬୦ ଟଙ୍କା, ପାଉଡର ରଙ୍ଗ ଦର ୨୫୦ ଗ୍ରାମକୁ ୪୦ ଟଙ୍କା ରହିଛି। ଏହାସହ ବାସ୍ନା ଫଗୁର ଛୋଟ ଛୋଟ ପ୍ୟାକେଟ୍ ମଧ୍ୟ ରହିଛି। ଏହାର ୧୦ ଟଙ୍କାରୁ ୩୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଛି। ରଙ୍ଗ ଖେଳିବା ପାଇଁ ବିଭିନ୍ନ ସମାଗ୍ରୀ ମଧ୍ୟରେ ପିଚିକାରୀ ମୂଲ୍ୟ ୨୦ ଟଙ୍କାରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଆଙ୍ଗ୍ରି ବାର୍ଡ ପିଚିକାରୀ ଦର ୨୦୦ ଟଙ୍କା, ପ୍ରେସର୍‌ ଗନ୍ ଦାମ ୨୦୦ ଟଙ୍କାରୁ ୪୫୦ ଟଙ୍କା ରହିଛି। ସେହିଭଳି ବିଭିନ୍ନ କେଶ ରଙ୍ଗହାଟରେ ମିଳୁଛି। ସ୍କେଲିଟନ୍ ହେୟାର ଉଇଥ୍‌ ମାସ୍କ, କଲର ହେୟାର, ଜଟାୟୁ ହେୟାର ସମେତ ରଙ୍ଗବେରଙ୍ଗର ହେୟାର ମିଳୁଛି। ଏସବୁ ଦାମ୍‌ ୮୦ ଟଙ୍କାରୁ ଆରମ୍ଭ କରି ୧୨୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହଭିଳି ବିଭିନ୍ନ ମାସ୍କ ବା ମୁଖା ୩୦ ଟଙ୍କାରୁ ୧୫୦ଟଙ୍କାରେ ବିକ୍ରି ହେଉଛି। ସ୍ପାଇଡର ମାସ୍କ ଓ ହନୁମାନ ମାସ୍କ ସହିତ ନକଲି ଚୁଟିର ଚାହିଦା ରହିଛି। ତେବେ ଏହି ସବୁ ସାମଗ୍ରୀ କୋଲକାତା ଓ ଦିଲ୍ଲୀରୁ ଆସୁଥିବା ବେଳେ ସାମାନ୍ୟ ଦର ବୃଦ୍ଧି ଏବେ ଗ୍ରାହକଙ୍କୁ ନିରାଶ କରିଛି। ଏନେଇ ରାଜମହଲ ଛକର ରଙ୍ଗ ଦୋକାନୀ କାଳିଆ ମହାଳିକଙ୍କ କହିବା କଥା ଦୁଇ ବର୍ଷ ହେଲା ବେପାର ଠପ୍ ହୋଇଯାଇଥିଲା। ତେଣୁ ଭଲ ମାଲ୍‌ ମଧ୍ୟ ନଥିଲା। ଏବେ ଜଟଣୀ ଓ କୋଲକାତାରୁ ଏଥର ଭଳିକି ଭଳି ମାସ୍କ ଓ ପିଚିକାରୀ ଆସିଛି। ତଥାପି ଲୋକଙ୍କ ଭିତରେ ହୋଲି ଅବସରରେ ଆଗ୍ରହ ରହିଛି ଓ ସେମାନେ ହୋଲି ଉପକରଣ କିଣୁଛନ୍ତି।

ନୂଆପଲ୍ଲୀ ବେହେରା ସାହିରେ ଦୋଳ ଯାତ୍ରା

ବେହେରା ସାହିରେ ପାଣିତୋଳା ଉତ୍ସବ

ନୂଆପଲ୍ଲୀ ବେହେରା ସାହିରେ ଆଜି ବେହେରା ସାହି ଗ୍ରାମ କମିଟି ପକ୍ଷରୁ ପାଣିତୋଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୋଳ ମହୋତ୍ସବ ଉପଲକ୍ଷେ ଗୋପାଳମାନେ ବେହେରା ସାହି ଭାଗବତ ଘର ପାଖରୁ ବାହୁଙ୍ଗି ନେଇ ନୂଆପଲ୍ଲୀ ବାଲୁଙ୍କେଶ୍ଵର ମନ୍ଦିର ପର୍ଯ୍ୟନ୍ତ ପାରମ୍ପରିକ ବାଜା ବଜାଇ ଶୋଭାଯାତ୍ରାରେ ଯାଇଥିଲେ। ଏଥିରେ ଗ୍ରାମ କମିଟିର ସଭାପତି ନବକିଶୋର ବେହେରା, ସଂପାଦକ ପ୍ରକାଶ ବେହେରା, ବିଷ୍ଣୁ ବେହେରା, ସନ୍ତୋଷ ମହାକୁଡ଼, ପ୍ରଭାତ ବେହେରା, ବୁଦ୍ଧଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର