ମାଟ୍ରିକ ଟପର୍‌ଙ୍କୁ ‘ଉତ୍କଳମଣି ଗୋପବନ୍ଧୁ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି’ : ମିଳିବ ଏକ ଲକ୍ଷ ଟଙ୍କା

ଭୁବନେଶ୍ବର: ଓଡିଆ ଜାତି ଓ ମାଟି ପାଇଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଅବଦାନ ଅତୁଳନୀୟ। ସର୍ବଦା ସ୍ୱାଭିମାନୀ ହୋଇ ଶିକ୍ଷା ଓ ତ୍ୟାଗକୁ ପ୍ରାଧାନ୍ୟ ଦେଇ ଆସିଥିବା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁଦୂର ସିଙ୍ଗାପୁରରେ ଥିବା ଓଡିଆ ଏନ୍‌ଆର୍‌ଆଇ ସତ୍ୟ ସୂତାର ଆରମ୍ଭ କରିଛନ୍ତି ‘ଉତ୍କଳମଣି ଗୋପବନ୍ଧୁ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି’। ଓଡ଼ିଶାରେ ପ୍ରତିବର୍ଷ ମାଟ୍ରିକ୍ ଟପର୍‌ମାନଙ୍କୁ ମେଧାବୃତ୍ତି ଜରିଆରେ ୧ ଲକ୍ଷ ଟଙ୍କା ଯୋଗାଇ ଦେବେ ବୋଲି ଆଜି ରେଡ୍‌କ୍ରସ ଭବନଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଶ୍ରୀ ସୂତାର ଘୋଷଣା କରିଛନ୍ତି। ମେଧାବୃତ୍ତିକୁ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ଚଳଚ୍ଚିତ୍ର ନିର୍ଦେଶକ ଶାନ୍ତନୁ କୁମାର ସିଅ ‘ଦ ଟପର୍‌’ ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ମନୀଷା ମିଶ୍ର, ବିଭୁ ପ୍ରସାଦ, ମାନସ ରଞ୍ଜନ, ଆର୍ୟନ ସମେତ ଖୋର୍ଧା ଜିଲ୍ଲାରୁ ଶତାଧିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ପ୍ରକାଶଥାଉକି, କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଫକୀରପୁର ଗ୍ରାମରେ ଜନ୍ମିତ ସତ୍ୟ ସୂତାର ଏବେ ସିଂଗାପୁରରେ ଫୁଡ୍‌ ଏମ୍ପାୟାର କମ୍ପାନିରେ ସାଧାରଣ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ପାଣିପବନରେ ବଡ଼ ହୋଇଥିବା ହେତୁ ନିଜ ମାଟି ଓ ଲୋକଙ୍କ ପାଇଁ କିଛି କର୍ତବ୍ୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସତ୍ୟ ସୂତାର। ଏହି ବୃତ୍ତି ରାଶି ଦ୍ବାରା ଓଡ଼ିଶା ମାଧ୍ୟାମିକ ଶିକ୍ଷା ପରିଷଦ ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଟପର୍‌ ହେଉଥିବା ଛାତ୍ର ବା ଛାତ୍ରୀ ନିଜ ସ୍ୱପ୍ନ ପଥରେ ଆଗେଇବା ପାଇଁ ପ୍ରସ୍ତୁତ କରିପାରିବେ ବୋଲି ଆଶା ରଖିଛନ୍ତି ଶ୍ରୀ ସୂତାର।

ସମ୍ବନ୍ଧିତ ଖବର