ଶବର ସାହିରେ ଆତଙ୍କ ଘଟଣା‌, ୫ ଗିରଫ

ଭୁବନେଶ୍ବର: ‘ଝିଅକୁ କେହି ଉଠାଇ ନେବ ବାପା କେବେ ସହି ପାରିବନି। ଝିଅ ପଳାଇବା ଦିନଠାରୁ ନିଦ ହଉନଥିଲା। ପ୍ରତିଶୋଧ ନିଆଁରେ ଜଳୁଥିଲି। ହତ୍ୟା ଉଦ୍ଦେଶ୍ୟ ନଥିଲା। କେବଳ ଡରାଇବାର ଉଦ୍ଦେଶ୍ୟ ଥିଲା। ଏଣୁ ଘରେ ପଶି ହାଣିଦେଲୁ’ ବୋଲି ସ୍ବୀକାର କରିଛନ୍ତି ଗିରଫ ଅଭିଯୁକ୍ତ ତଥା ଝିଅର ବାପା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ମାର୍ଥା ସାହିର ଧନଞ୍ଜୟ ଧନି। ଶିରିପୁର ଶବର ସାହିରେ ରାତି ଅଧରେ ଘରେ ପଶି ଆକ୍ରମଣ ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଧନଞ୍ଜୟଙ୍କ ସହ ଆଉ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଭରତପୁର ସତ୍ୟନଗରରେ ରହୁଥିବା ପଟ୍ଟାମୁଣ୍ଡାଇ ମାର୍ଥା ସାହିର ବିଭୁ ପ୍ରସାଦ ଜେନା, ଲିଙ୍ଗରାଜ ଥାନା କପିଳେଶ୍ୱରରେ ରହୁଥିବା ଜୟନ୍ତ ଖୁଣ୍ଟିଆ, ଫରେଷ୍ଟ ପାର୍କରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବାଲୁଗାଁର ତୁଷାର ରାଉତ, ଫରେଷ୍ଟ ପାର୍କରେ ରହୁଥିବା ଝାଡ଼ଖଣ୍ଡ ରାଞ୍ଚିର ଓମ୍‌ ପ୍ରକାଶ ସିଂ। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଆଉ ୨୫ରୁ ୩୦ଜଣ ଫେରାର ଥିବା ପୁଲିସ କହିଛି।

ସୂଚନା ମୁତାବକ, ନୂଆପଲ୍ଲୀ ବେହେରା ସାହିରେ ଧନଞ୍ଜୟ ସପରିବାର ରୁହନ୍ତି। ଶିରିପୁର ଶବର ସାହିର ବାଦଲ ଦେହୁରୀଙ୍କ ପୁଅ ଜୟଦେବ ୧୫ ଦିନ ତଳେ ଧନଞ୍ଜୟଙ୍କ ଝିଅକୁ ନେଇ ଯାଇଥିଲେ। ଏନେଇ ଧନଞ୍ଜୟ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ତେବେ ୨୪ତାରିଖ ଦିନ ସେମାନେ କୋର୍ଟରେ ବିବାହ କରି ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଥିଲେ। ଉଭୟ ସାବାଳକ ହୋଇଥିବାରୁ ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ବୁଝାସୁଝା କରିଥିଲା। ଅନେକ ଯୁକ୍ତିତର୍କ ପରେ ଉଭୟ ପରିବାର ଘରକୁ ଫେରିଥିଲେ। ଧନଞ୍ଜୟଙ୍କ ଝିଅ ଜୟଦେବଙ୍କ ସହ ତାଙ୍କ ଘରକୁ ଚାଲି ଯାଇଥିଲେ। ହେଲେ ଏହାକୁ ଗ୍ରହଣ କରିପାରିନଥିଲେ ଧନଞ୍ଜୟ। ଶୁକ୍ରବାର ବିଳମ୍ବିତ ରାତିରେ ୩୫ରୁ ୪୦ ପେସାଦାର ଅପରାଧୀଙ୍କ ସହ ଶିରିପୁର ଶବରସାହିରେ ପହଞ୍ଚିଥିଲେ। ସେମାନେ ଜୟଦେବକୁ ବାହାରକୁ ଡାକିଥିଲେ। କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଘର ଭିତରେ ପଶି ଝିଅକୁ ଉଠାଇ ନେଇ ଯିବାକୁ ଚାହିଥିଲେ। ବାଦଲଙ୍କ ଭାଇ, ପୁଅ ଓ ଅନ୍ୟ ସମ୍ପର୍କୀୟମାନେ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଜଣକ ପରେ ଜଣଙ୍କୁ ହାଣି ପକାଇଥିଲେ। ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରି ଦଉଡ଼ି ପଳାଉଥିଲେ ମଧ୍ୟ ୩୫ରୁ ୪୦ ଯୁବକ ସେମାନଙ୍କୁ ଗୋଡ଼ାଇ ହାଣିଥିଲେ। ତ୍ରିନାଥ, ସୁଦାମ, ଉମେଶ, ଆଦର, ପାର୍ବତୀ, ଗୁରୁଙ୍କ ସମେତ ସାହିର ଅନ୍ୟ ଜଣେ ଯୁବକ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଦୀର୍ଘ ଅଧଘଣ୍ଟା କାଳ ଦୁର୍ବୃତ୍ତମାନେ ଏଭଳି ଆତଙ୍କ ଖେଳାଇଥିଲେ।

ସମ୍ବନ୍ଧିତ ଖବର