ଏସ୍‌ସିବିରେ କେବେ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍? ପୋ‌ଡ଼ା ରୋଗୀଙ୍କ ପାଇଁ ନାହିଁ ଆଇସିୟୁ ବ୍ୟବସ୍ଥା

ଦୁଇଭାଗ ହୋଇ ଚଟାଣରେ ଗଡୁଛନ୍ତି, ସଂକ୍ରମଣକୁ ମଶାରୀ ସାହା, ୩୦ ବେଡ୍‌କୁ ୫ଶହ ରୋଗୀ, ତିନିଦିନରେ ୧୮ପୋଡ଼ାରୋଗୀ

କଟକ: ଏସ୍‌ସିବିରେ କେବେ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର ବର୍ଣ୍ଣ ଯୁନିଟ୍‌? ଦୁଇଭାଗ ହୋଇ ଚିକିତ୍ସିତ ହେଉଛନ୍ତି ପୋଡ଼ାରୋଗୀ। ପ୍ରଥମେ ବର୍ଣ୍ଣ ୱାର୍ଡରେ ଭର୍ତ୍ତି ହେବା ପରେ ସ୍ଥାନ ଓ ବେଡ୍‌ ଅନୁସାରେ କିଛି ରୋଗୀ ଯାଇଥାନ୍ତି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗକୁ। ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଓ ସର୍ଜରି ବର୍ଣ୍ଣ ଯୁନିଟ୍‌ରେ ରହିଛି ମାତ୍ର ୩୦ଟି ବେଡ୍‌। ହେଲେ ରୋଗୀ ସଂଖ୍ୟା ମାସକୁ ୩ଶହରୁ ଅଧିକ। ଅନେକ ସ୍ଥଳେ ଏହା ୫ ଶହକୁ ବି ଟପିଯାଇଥାଏ। ଖାସ୍‌ ସେଇ କାରଣରୁ ଗୁରୁତର ରୋଗୀ ବି ତଳେ ପଡ଼ି ଚିକିତ୍ସିତ ହୋଇଥାଆନ୍ତି। ସଂକ୍ରମଣ ରୋକିବା ପାଇଁ କେବଳ ସାହା ମଶାରୀଟିଏ। ଆଜି ପର୍ଯ୍ୟନ୍ତ ପୋଡାରୋଗୀଙ୍କ ପାଇଁ ସ୍ବତନ୍ତ୍ର ଆଇସିୟୁ ବ୍ୟବସ୍ଥା ଏସ୍‌ସିବିରେ ହୋଇପାରିଲାନି। ଯାହାଫଳରେ ଗୁରୁତର ରୋଗୀ ଛଟପଟ ହୋଇ ଶେଷରେ ଆଖି ବୁଜି ଦେଉଛନ୍ତି। ଗଲା ଶୁକ୍ରବାରଠୁ ରବିବାର; ତିନିଦିନ ଭିତରେ ଏସ୍‌ସିବିରେ ୧୮ଜଣ ପୋଡ଼ାରୋଗୀ ସର୍ଜରି ବର୍ଣ୍ଣ ୱାର୍ଡରେ ଭର୍ତ୍ତି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ ହୋଇଥିବାରୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସନ୍ତି ଶହ ଶହ ରୋଗୀ। ଏବେ ପୁଣି କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ୧୦ଜଣିଆ ବିଶେଷଜ୍ଞଙ୍କୁ ନେଇ ଉପଦେଷ୍ଟା କମିଟି ଗଠନ କରିଛନ୍ତି। ଆଶା କରାଯାଉଛି ଏସ୍‌ସିବି ଆଉ ପାଦେ ଆଗକୁ ଯିବ। ହେଲେ, ଏହାରି ଭିତରେ କିନ୍ତୁ ଅଟକି ଯାଇଛି ସବୁ ପୁରୁଣା ପ୍ରକଳ୍ପ। ଅନେକ ନିଷ୍ପତ୍ତି ବର୍ଷ ବର୍ଷ ହେଲା ଶୀତଳଭଣ୍ଡାରରେ ପଡ଼ି ରହିଛି। ଏସ୍‌ସିବିରେ ମାସକୁ ପାଖାପାଖି ୫ଶହରୁ ଅଧିକ ପୋଡ଼ାରୋଗୀ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲରୁ ରେଫର ହୋଇ ଆସିଥାନ୍ତି। ହେଲେ, ଏସ୍‌ସିବିରେ ଆଜି ପର୍ଯ୍ୟନ୍ତ ଅଟିକି ରହିଛି ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍‌। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ୪ମହଲା କୋଠାରେ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍‌ ପାଇଁ ଯୋଜନା କରାଯାଇଛି। ସେଥିରେ ଓଟି, ଆଇସିୟୁ ସବୁ ରହିବ। ହେଲେ ଆଜି ପର୍ଯ୍ୟନ୍ତ କାମ ସରିପାରୁନି। ସର୍ଜରି ବିଭାଗ ବର୍ଣ୍ଣ ୟୁନିଟ୍‌ରେ ସପ୍ତାହକୁ ୫୦ରୁ ଅଧିକ ରୋଗୀ ଭର୍ତ୍ତି ହେଉଥିବା ବେଳେ ଅତି ଦୟନୀୟ ଅବସ୍ଥ‌ାରେ ପଡ଼ି ରହୁଛନ୍ତି ରୋଗୀ। ସର୍ଜରି ବର୍ଣ୍ଣ ୱାର୍ଡରେ ପୁରୁଷ ଓ ମହିଳାଙ୍କ ପାଇଁ ମାତ୍ର ୧୬ଟି ବେଡ୍‌ ଥିବାବେଳେ ରୋଗୀ ସଂଖ୍ୟା କିନ୍ତୁ ୫୦ ଉପରେ। ଏଭଳି ସ୍ଥିତିରେ ତଳେ ସଉପ ବିଛାଇ ଉପରେ ମଶାରୀ ଟାଣି ପଡ଼ି ରହୁଛନ୍ତି ପୋଡ଼ାରୋଗୀ। ଏହି କାରଣରୁ ସଂକ୍ରମଣ ଯୋଗୁଁ ଅନେକ ରୋଗୀଙ୍କ ଜୀବନ ଯାଉଛି। ତିନିଦିନ ଭି‌ତରେ ବାଲେଶ୍ବର, ଭଦ୍ରକ, ପୁରୀ ଓ ଅନ୍ୟାନ୍ୟ ଜିଲ୍ଲାରୁ ୧୮ଜଣ ପୋଡ଼ାରୋଗୀ ଭର୍ତ୍ତି ହୋଇଛନ୍ତି। କାହାର ଗ୍ୟାସ୍‌ ଟାଙ୍କି ଫାଟିଯିବା କାରଣରୁ ତ ଆଉ କିଏ ମଶାଧୂପ ନିଆଁରେ ଅଥବା ବାଣ ବିସ୍ପୋରଣରେ ପୋଡ଼ିହୋଇ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ହେଲେ ଶଯ୍ୟା ନଥିବାରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ସେମାନେ। ଅନେକ ରୋଗୀଙ୍କ ଅବସ୍ଥା ଏଭଳି ଯେ, ସେମାନଙ୍କ ପାଇଁ ଆଇସିୟୁ ଅତି ଜରୁରୀ। ହେଲେ, ଏସ୍‌ସିବିରେ ପୋଡ଼ାରୋଗୀଙ୍କ ପାଇଁ ସ୍ବତନ୍ତ୍ର ଆଇସିୟୁ ନାହିଁ। ଏପଟେ, ସ୍ବାସ୍ଥ୍ୟଗତ କାରଣରୁ ପୋଡ଼ାରୋଗୀଙ୍କୁ ସାଧାରଣ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ସେଣ୍ଟ୍ରାଲ, ମେଡିସିନ୍‌ ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇପାରିବ ନାହିଁ। ସେମାନଙ୍କଠାରୁ ଅନ୍ୟ ରୋଗୀମାନେ ସଂକ୍ରମଣର ଶିକାର ହେବାର ଆଶଙ୍କା ଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି। ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲରେ ପୋଡ଼ାରୋଗୀଙ୍କୁ କେବେ ମିଳିବ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍‌ ଓ କେବେ ହେବ ଆଇସିୟୁ ବ୍ୟବସ୍ଥା,‌ ତାହା ଏବେ ବି ବଡ ପ୍ରଶ୍ନ। ଏ ସମ୍ପର୍କରେ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ପଚାରିଲେ , ‘କାମ ଚାଲିଛି ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ’ ବୋଲି ଉତ୍ତର ମିଳୁଛି।

ସମ୍ବନ୍ଧିତ ଖବର