କଟକଣାରେ ପାଳନ ହେଲା ଶ୍ରୀରାମ ନବମୀ, ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ରାସ୍ତା ଉପରେ ଲଗାଇଲେ ଦୀପ, ଭାଙ୍ଗିଲେ ନଡ଼ିଆ

ଭୁବନେଶ୍ବର: ପୁଣିଥରେ ରାମ ନବମୀରେ ଭକ୍ତ ଓ ଭଗବାନଙ୍କ ମଝିରେ ବାଡ଼ ସାଜିଛି କରୋନା କଟକଣା। କିଏ ରାସ୍ତାରେ ଗଲା ବେଳେ ଗାଡ଼ିରେ ମୁଣ୍ଡିଆଟିଏ ମାରି ଦେଇ ଯାଉଛି ତ ଆଉ କିଏ ମନ ବୁଝୁନି ବୋଲି ମନ୍ଦିର ବାହାରେ ନଡ଼ିଆଟିଏ ପିଟି ଦେଇ ଧୂପ ଲଗାଇ ଦେଇଛି। କୋଭିଡ୍‌ ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଭୁବନେଶ୍ବର ଧାର୍ମିକସ୍ଥଳୀ ଗୁଡ଼ିକରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି। ଆଜି ରାମ ନବମୀରେ ମଧ୍ୟ ରାଜଧାନୀର ରାମମନ୍ଦିର ସମେତ ବିଭିନ୍ନ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତମାନେ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ଗତବର୍ଷ ପରି ଏ ବର୍ଷ ମଧ୍ୟ ବିନା ଭକ୍ତରେ ୟୁନିଟ୍-୩ ରାମ ମନ୍ଦିରରେ ଶ୍ରୀରାମ ଜୟନ୍ତୀ ପାଳନ ହୋଇଥିଲା। ଏଥିପାଇଁ ମନ୍ଦିର ପାଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରଭୁ ଶ୍ରୀରାମଙ୍କର ଭୋର ୫.୩୦ରେ ମଙ୍ଗଳ ଆଳତି ନୀତି ଶେଷ ହୋଇଥିଲା। ରାମ ମନ୍ଦିରର ଫାଟକକୁ ବନ୍ଦ ରଖାଯାଇଥିବା ବେଳେ ଫାଟକରୁ ୩୦ମିଟର ଦୂରତା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ବାରଣ କରାଯାଇଥିଲା। ପରେ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଏବଂ ବେଶ କରାଯାଇଥିଲା। ଏହାପରେ ରାମଚରିତ ମାନସ ନବାଙ୍ଗର ପୂର୍ଣ୍ଣାହୁତି ହୋଇ ମଧ୍ୟାହ୍ନ ୧୨ଟାରେ ଶ୍ରୀରାମଙ୍କ ଜୟନ୍ତୀ ଆଳତି ହୋଇଥିଲା। ଶେଷରେ ରାତି ୧୦ଟାରେ ଭୋଗ ଆଳତି ଅନୁଷ୍ଠିତ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ରାମ ମନ୍ଦିର ପରିଚାଳକ ମହାବୀର ଶର୍ମା।

ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ମନା ଥିବାରୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ରାସ୍ତା ଉପରେ ରହି ମୁଣ୍ଡିଆ ମାରୁଥିଲେ। ଆଉ ଦୀପ ଭୋଗ ଦୋକାନ ବନ୍ଦ ଥିବାରୁ ଭକ୍ତ ମାନେ ଘରୁ ଆଣିଥିବା ଦୀପ, ଧୂପ ଏବଂ ଭୋଗକୁ ଆଣି ନିଜେ ଅର୍ଘ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା। କିଛି ଭକ୍ତ ଫାଟକ ପାଖକୁ ଯାଇ ଶ୍ରୀରାମଙ୍କ ଦର୍ଶନ ପାଇଁ ଆକୁଳ ହେଉଥିବା ବେଳେ ପୁଲିସ କର୍ମଚାରୀମାନେ ବାରଣ କରୁଥିଲେ। ଆଉ ଗହଳି ନକରିବା ପାଇଁ ପୁଲିସ କର୍ମଚାରୀମାନେ ଅନୁରୋଧ କରୁଥିବା ବେଳେ ଭକ୍ତମାନେ ଟିକେ ଦର୍ଶନ ପାଇଁ ଅଳି କରୁଥିଲେ। ମନ୍ଦିର ସାମ୍ନାରେ ଛିଡ଼ା ହୋଇ ପ୍ରଭୁଙ୍କୁ ଆରାଧନା କରୁଥିବା ଭକ୍ତ ପ୍ରସାଦ ମହାପାତ୍ର କହିଥିଲେ, କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମନ୍ଦିର ପ୍ରବେଶ ଉପରେ ସରକାର ଲଗାଇଥିବା କଟକଣାକୁ ଆମେ ସ୍ବାଗତ କରୁଛୁ। ହେଲେ ମନ ବୁଝୁନି ବୋଲି ବାଧ୍ୟ ହୋଇ ବାହାରେ ମୁଣ୍ଡିଆ ମାରିଦେଇ ଯାଉଛୁ। ଆଉ ଜଣେ ଭକ୍ତ ଦେବାନନ୍ଦ ସାହୁ କହିଥିଲେ, କରୋନା ଯୋଗୁଁ ଆମେ ୨ବର୍ଷ ହେଲା ରାମ ନବମୀରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିପାରୁନାହୁଁ। ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କ’ଣ ଅଛି? ଅନ୍ୟପକ୍ଷରେ ଦର୍ଶନ ପାଇଁ ଆସିଥିବା ପୂର୍ଣ୍ଣଚନ୍ଦ୍ର ଦାଶ କହିଥିଲେ, ଭଗବାନ ବୋଧହୁଏ ଚାହୁନାହାନ୍ତି। ଯାହା ତାଙ୍କର ଇଚ୍ଛା। ତେଣୁ ଆମେ ବାହାରୁ ମୁଣ୍ଡିଆ ମାରି ଯାଉଛୁ।

ବିନା ଶ୍ରଦ୍ଧାଳୁରେ ପୂଜା ପାଇଲେ ମର୍ଯ୍ୟାଦା ପୁରୁଷୋତ୍ତମ, ଗୁଞ୍ଜରିତ ହେଲାନି ‘ଜୟ ଶ୍ରୀରାମ ଧ୍ବନି’

ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ଶେଷ ହୋଇଛି ଶ୍ରୀରାମ ନବମୀ। ହେଲେ ମନ୍ଦିରରେ ନା ଥିଲେ ଶ୍ରଦ୍ଧାଳୁ ନା ଗୁଞ୍ଜରିତ ହେଉଥିଲା ‘ଜୟ ଶ୍ରୀରାମ ଧ୍ବନି’। ଖାଁ ଖାଁ ଲାଗୁଥିଲା ମନ୍ଦିର। କରୋନା ସବୁକିଛି ବିଗାଡ଼ି ଦେଇଥିଲା। କଟକଣା ଯୋଗୁଁ ଲୋକେ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ପାରି ନ ଥିଲେ। ହେଲେ ଉପବାସ ରହି ଘରେ ନିଜ ପରିବାର ଓ ସମଗ୍ର ବିଶ୍ବର ମଙ୍ଗଳ କାମନା କରିଥିଲେ। ୟୁନିଟ୍ ୩ସ୍ଥିତ ରାମ ମନ୍ଦିର ହେଉ କିମ୍ବା ଗଣ୍ଡମୁଣ୍ଡା ହନୁମାନ ମନ୍ଦିର କେଉଁଠି ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ନଥିଲା। କେବଳ ରୀତିନୀତି ଅନୁସାରେ ଠାକୁରଙ୍କର ପୂଜା ହୋଇଥିଲା। ଭକ୍ତମାନେ ମନ୍ଦିର ଫାଟକ ବାହାରୁ ଠାକୁରଙ୍କୁ ଦର୍ଶନ କରିଥିଲେ। ମାତ୍ର କେଉଁଠି ବି ଗହଳି ହୋଇ ନଥିଲା। ଗଣ୍ଡମୁଣ୍ଡା ହନୁମାନ ମନ୍ଦିର, ନାରଗୋଦା ରାମ ମନ୍ଦିର ସବୁଠି ପରିବେଶ ଥିଲା ଖାଁ ଖାଁ। ଆଜି ଏତେ ବଡ଼ ଦିନରେ ଠାକୁରଙ୍କୁ ପାଖରୁ ଦେଖିବାର ସୁଯୋଗ ନ ପାଇ ଭକ୍ତମାନେ ନିରାଶ ହୋଇଥିଲେ। ବାଧ୍ୟ ହୋଇ ବାହାରୁ ମୁଣ୍ଡିଆ ମାରି ଠାକୁରଙ୍କ ଦର୍ଶନ କରି ଫେରିଥିଲେ।

ସେହିପରି ପ୍ରତିବର୍ଷ ଶ୍ରୀରାମଙ୍କର ଆବାହନ ପାଇଁ ନୂଆପଲ୍ଲୀ ଛକସ୍ଥିତ ଇସ୍କନ ମନ୍ଦିରର କେବଳ ଛୋଟିଆ ତୋରଣଟିଏ ଟଙ୍ଗା ହୋଇଥିଲା। ହଜାର ହଜାର ଫୁଲରେ ଛାଇ ହୋଇ ଯାଉଥିବା ମନ୍ଦିର ଆଜି ଶ୍ରୀହୀନ ଅବସ୍ଥାରେ ଥିବା ପରି ଅନୁଭବ ହେଉଛି ବୋଲି ଦୂରରୁ ଦର୍ଶନ କରୁଥିବା ଜଣେ ଶ୍ରଦ୍ଧାଳୁ କହିଥିଲେ। କେହି କେହି ଭକ୍ତ ବଡ଼ ବିକଳ ହୋଇ ପୁଲିସ କର୍ମଚାରୀଙ୍କୁ ଅନୁରୋଧ କରି ନିଜ ହାତ ତିଆରି ବସ୍ତ୍ର ଠାକୁରଙ୍କୁ ପିନ୍ଧାଇବାକୁ ନିବେଦନ କରୁଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା। କେହି ଆଖିରୁ ଲୁହ ଝରାଇ ଫ‌ାଟକ ନିକଟରେ ରାମଚରିତ ମାନସ ପାଠ କରୁଥିବା ଦେଖାଯାଇଥିଲା। ସମସ୍ତ ମଠ, ୟୁନିଟ୍‌-୧ ହାଟସ୍ଥିତ ରାମ ମନ୍ଦିର, କଳିଙ୍ଗ ବିହାର ହନୁମାନ ମନ୍ଦିର, ଖଣ୍ଡଗିରିସ୍ଥିତ ବିଭିନ୍ନ ମଠରେ ମଧ୍ୟ ବିନା ଆଡ଼ମ୍ବରରେ ରାମ ନବମୀ ପାଳିତ ହୋଇଥିଲା।

 

ସମ୍ବନ୍ଧିତ ଖବର