ଆରମ୍ଭ ହେଲା ଗୋଖି ବାବା ମେଳା: ନଡ଼ିଆ ଯାଚିଲେ ହଜିବା ଜିନିଷ ମିଳେ!

ପୁରୁଣା ଭୁବନେଶ୍ୱର: ସୁନ୍ଦରପଦାସ୍ଥିତ ଗୋଖିବାବା ପୀଠରେ ଆରମ୍ଭ ହୋଇଛି ମେଳା। ଆଜି ପାଣି ତୋଳା, ଭାଗବତ ପାଠ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଛି। ଆସନ୍ତା କାଲି ମକର ସଂକ୍ରାନ୍ତି ତିଥିରେ ଗାଦି ପୂଜା, ଯଜ୍ଞ କରାଯିବା ସହ ଭାଗବତ ପାଠ ଓ ନାମ ସଂକୀର୍ତନ କରାଯିବ। ପ୍ରଚଳିତ ଲୋକକଥା ଅନୁଯାୟୀ ଗୋଖିବାବା ପୀଠରେ କିଛି ଆଲୌକିକ ଶକ୍ତି ରହିଛି। ଏହି ପୀଠରେ ନଡ଼ିଆ ଯାଚିଲେ ହଜିବା ଜିନିଷ ମିଳିଯାଏ ବୋଲି ବିଶ୍ବାସ ରହିଛି। ଚାଷ ଜମିରେ ପୋକ ହେଉ କି ଗାଈଗୋରୁଙ୍କୁ ରୋଗ। ଏମିତିକି କେହି ଯଦି ହଜିଯାଏ ତେବେ ସେ ମିଳିଯାଏ ବୋଲି ବହୁ କାଳରୁ ରହି ଆସିଥିବା ବିଶ୍ବାସକୁ ଆଧାର କରି ଅନୁଷ୍ଠିତ ହୋଇ ଆସୁଛି ଏହି ମେଳା। ପ୍ରାୟ ୩ଶହ ବର୍ଷ ତଳେ ସୁନ୍ଦରପଦା ନିକଟ ପୋଖରୀପୁଟ ଗ୍ରାମରେ ରହୁଥିଲେ ଗୋଖି ଦାସ । ବାଲ୍ୟକାଳରୁ ନିଜ ପିତାମାତାଙ୍କୁ ହରାଇ ଅନାଥ ହୋଇ ଗାଈ ଚରାଇ ଗୁଜୁରାଣ ମେଣ୍ଟାଉଥିଲେ। ୩ଜଣ ସନ୍ଥଙ୍କର ସଂସ୍ପର୍ଶରେ ଆସିବା ପରେ ତାଙ୍କ ଜୀବନର ଗତିପଥକୁ ବଦଳି ଯାଇଥିଲା। ତୃଷାର୍ତ ସନ୍ଥଙ୍କ ତୃଷ୍ଣା ନିବାରଣ ପାଇଁ ସେମାନଙ୍କ ପରାମର୍ଶରେ ସେ ଆଗରୁ କେବେ ପ୍ରସବ କରିନଥିବା ଗାଈର କ୍ଷୀର ଦୁହିଁ ଦୁଗ୍ଧ ପ୍ରଦାନ କଲେ। ଏହି ଘଟଣାରେ ଗୋଖୀ ଦାସ ନିଜେ ଚକିତ ହୋଇଯିବା ପରେ ସେମାନଙ୍କ ସଙ୍ଗରେ ସିଦ୍ଧିଲାଭ ପାଇଁ ଚାଲିଯାଇଥିଲେ। କିଛି ବର୍ଷ ପରେ ଗୋଖୀ ଦାସ ସୁନ୍ଦରପଦା ପ୍ରତ୍ୟାବର୍ତନ କଲେ। ତାଙ୍କର ଭିନ୍ନ ବେଶଭୂଷା ଓ ଚାଲିଚଳଣି ଯୋଗୁ ଲୋକେ ତାଙ୍କୁ ଗୋଖୀବାବା ନାମରେ ନାମିତ କଲେ। ଗ୍ରାମର ପବିତ୍ର ପୀଠ ସୁନ୍ଦରେଶ୍ୱର ଓ ଦଧିବାମନ ଜୀଉଙ୍କ ମନ୍ଦିର ନିକଟରେ କୁଡ଼ିଆ କରି ରହିବାର ବ୍ୟବସ୍ଥା କଲେ। ସେତେବେଳେ ଭୁବନେଶ୍ୱର ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଜଙ୍ଗଲକୁ ଯାଇ ଚେରମୂଳି ସଂଗ୍ରହ କରୁଥିଲେ ଗୋଖି ବାବା। ହଜିଲା ଦ୍ରବ୍ୟ ମିଳିବାରେ ସାହାଯ୍ୟ କରିବା ସହିତ ଗ୍ରାମରୁ ମହାମାରୀ ହଟାଉଥିଲେ। ଗ୍ରାମବାସୀଙ୍କର ବିଭିନ୍ନ ରୋଗବ୍ୟାଧି ପାଇଁ ପରାମର୍ଶ ଦେଲେ ଏବଂ ଗାଈଗୋରୁଙ୍କ ରୋଗ ସମସ୍ୟାର ସମାଧାନ କଲେ। ଏକଦା ଜଣେ ମୁସଲମାନଙ୍କ ଚାଷ ଜମିରେ ବାଡ଼ ଭାଙ୍ଗି ଗାଈଗୋରୁ ପ୍ରବେଶ କରୁଥିଲେ। ଏହା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାରୁ ସେ ‌ଗୋଖୀ ବାବାଙ୍କ ସହଯୋଗ ଲୋଡ଼ିଥିଲେ। ବାବା ତାଙ୍କୁ ଜମିରେ ବାଡ଼ ନ ଦେବାକୁ ପରାମର୍ଶ ଦେଲେ ଏବଂ କୌଣସି ଗାଈଗୋରୁ ଜମିରେ ପ୍ରବେଶ କରିବେ ନାହିଁ ବୋଲି ନିର୍ଭୟ ପ୍ରତିଶ୍ରୁତି ଦେଲେ। ସେହିଦିନଠୁ ଏପର୍ଯ୍ୟନ୍ତ ସେହି ଜମିରେ ଗାଈଗୋରୁ ଚରିବାର କେହି ଦେଖି ନାହାନ୍ତି ବୋଲି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କୁହନ୍ତି । ସେବେଠୁ ଏହି ିଶ୍ବାସରେ ମେଳା ଅନୁଷ୍ଠିତ ହେଉଛି।

ସମ୍ବନ୍ଧିତ ଖବର