ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ : ଓଡ଼ିଶାକୁ ଶ୍ରେଷ୍ଠ କରିବା ବିଜୁବାବୁଙ୍କର ଲକ୍ଷ୍ୟ ଥିଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ କେବଳ ଜଣେ ମହାନ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକ ଚିନ୍ତାଧାରା। ତାଙ୍କ ଦେଶଭକ୍ତି, ଜାତି ପ୍ରୀତି, ସାହସ ଓ ସେବାର ତୁଳନା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବରେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗ ଦେଇ ଏ କଥା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଓଡ଼ିଶାକୁ ପ୍ରତି କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ କରିବା ଥିଲା ବିଜୁବାବୁଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ତେଣୁ ସେ କ୍ଷମତାରେ ବେଶୀ ଦିନ ନଥିଲେ ମଧ୍ୟ ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଇଛନ୍ତି। ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ଦୃଶ୍ୟମାନ ଉନ୍ନତି ଆଣିପାରିଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ହେଉ ବା ବିପର୍ଯ୍ୟୟ ପରିଚାଳନା, ପୁଞ୍ଜିନିବେଶ ବା ଭିତ୍ତିଭୂମି ବିକାଶ ସବୁକ୍ଷେତ୍ରରେ ଆଜି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସାମାଜିକ ନିରାପତ୍ତା, କ୍ରୀଡ଼ା ଆଦି ପ୍ରତି କ୍ଷେତ୍ରରେ ମଧ୍ୟ ରାଜ୍ୟ ସ୍ୱତନ୍ତ୍ର ସ୍ଥାନ ପାଇଛି। କୋଭିଡ୍‌ ମହାମାରୀ ନିୟନ୍ତ୍ରଣରେ ଓଡ଼ିଶାର ସଫଳତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି ଦେଇଛି। ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା ପାଇଁ ଆମକୁ ବିଶ୍ୱ ମାନଦଣ୍ଡରେ ଚିନ୍ତା କରିବାକୁ ପଡ଼ିବ। ତେଣୁ ଆମକୁ ଛୋଟ ଛୋଟ କଥାକୁ ଭୁଲି ବଡ଼ ଲକ୍ଷ୍ୟ, ବଡ଼ ସ୍ୱପ୍ନ ନେଇ କାମ କଲେ ତାହା ହେବ ବିଜୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋକ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ସବରେ ଉପସ୍ଥିତ ରହି ନିଜର ବକ୍ତବ୍ୟରେ ବିଜୁ ପଟ୍ଟନାୟକଙ୍କୁ ଜଣେ ବିରଳ ଐତିହାସିକ ବ୍ୟକ୍ତିତ୍ୱ ବୋଲି କହିଥିଲେ। ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର ପୁରପଲ୍ଲୀର ଜନନେତା। ଶିକ୍ଷାବିତ୍‌ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ବିଜୁ ପଟ୍ଟନାୟକ କେବଳ ଜଣେ ରାଜନୀତିଜ୍ଞ ନୁହେଁ, ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ଓଡ଼ିଶାର ରାଜନୀତି, ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଦେଶର ସୁରକ୍ଷା ଏବଂ ଭିତ୍ତିଭୂମିର ଉନ୍ନତି ପାଇଁ ଉଦ୍ଦାମତାର ସହ କାର୍ଯ୍ୟ କରିଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ୱାଗତ ଅଭିଭାଷଣରେ ପ୍ରବାଦ ପୁରୁଷଙ୍କ ଓଡ଼ିଶା ଜାତିକୁ ପ୍ରାଣଭରି ଭଲ ପାଇବା ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ସବୁବେଳେ ନିୟୋଜିତ ଥିଲେ ବୋଲି କହିଥିଲେ। ଉତ୍କଳ ପ୍ରସଙ୍ଗର ସଂପାଦକ ଲେନିନ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ। ବିଭାଗୀୟ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ ସହ ବିଜୁ ପଟ୍ଟନାୟକଙ୍କର ସ୍ମରଣୀୟ ଗୁଣାବଳିର ଅବତାରଣା କରିଥିଲେ। ପୂର୍ବାହ୍ନରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜୟଦେବ ଭବନ ପରିସରରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର