ନିଶା ବେପାରୀଙ୍କ ଆକ୍ରମଣରେ ଆହତ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ବର: ନୂଆପଲ୍ଲୀ ଅଞ୍ଚଳରେ ନିଶା ବେପାରୀଙ୍କ ଆକ୍ରମଣର ଶିକାର ହୋଇଥିବା ଛାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଛାତ୍ର ହେଉଛନ୍ତି ପଟିଆ ଅଞ୍ଚଳର ଅନନ୍ତ ମହାନ୍ତି। ଆଜି ଭୋର୍‌ରୁ ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ହସ୍‌ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସନ୍ଧ୍ୟାରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣାରେ ସମ୍ପୃକ୍ତ ଘରୋଇ ହସ୍‌ପିଟାଲରେ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଛାତ୍ର ସ୍ବର୍ଗଦ୍ବାରରେ ପହଞ୍ଚିଥିଲେ। ଦୁଇ ଦୁଇ ଥର ଅପରେସନରେ ପରିବାରବର୍ଗ ବହୁ ଅର୍ଥ ବ୍ୟୟ କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରି ନଥିଲା। ଏପରି ଘଟଣାରେ ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି। ତାଙ୍କର ମୃତ୍ୟୁ ପରେ ନୂଆପଲ୍ଲୀ ଥାନାରେ ହୋଇଥିବା ହତ୍ୟା ଉଦ୍ୟମ ମାମଲା ହତ୍ୟା ମାମଲାକୁ ପରିବର୍ତ୍ତିତ ହୋଇଛି।

ପ୍ରକାଶ ଥାଉକି, ଗତ ୬ ତାରିଖ ସନ୍ଧ୍ୟାରେ ଅନନ୍ତ ନୂଆପଲ୍ଲୀରୁ ଟ୍ୟୁସନ୍‌ରୁ ଫେରୁଥିଲେ। ନୂଆପଲ୍ଲୀ ଏନ୍‍-୩ ଶନିମନ୍ଦିର ପାଖରେ କେତେକ ଯୁବକ ରାସ୍ତା ପାର୍ଶ୍ବରେ ବସି କାହାକୁ ଗାଳିମନ୍ଦ କରୁଥିଲେ। ସେହି ବାଟ ଦେଇ ଯାଉଥିବା ଅନନ୍ତ ଭାବିଲେ, ଯୁବକମାନେ ତାଙ୍କୁ ଗାଳି କରୁଛନ୍ତି। ଏ ସମ୍ପର୍କରେ ଦୁଇ ଯୁବକଙ୍କୁ ସେ ପଚାରିବାରୁ ସେମାନେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଗୋଡ଼େଇ ଗୋଡ଼େଇ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ମାମଲାରେ ପୁଲିସ ମାତ୍ର ଜଣକୁ ଗିରଫ କରିଥିଲା। ଅନ୍ୟମାନେ ଖୋଲାଖୋଲି ଭାବରେ ବୁଲୁଥିବା ସତ୍ତ୍ବେ ସେମାନଙ୍କୁ ଗିରଫ କରାଯାଉ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର