+୨ ପ୍ରଥମ ବର୍ଷରେ ପାସ୍‌ ବାଧ୍ୟତାମୂଳକକୁ ବିରୋଧ : ରାସ୍ତାରେ ଛାତ୍ରଛାତ୍ରୀ, କ୍ୟାମ୍ପସରେ ଭଙ୍ଗାରୁଜା, ବଢ଼ୁଛି ଅସନ୍ତୋଷ

ଆଶ୍ୱାସନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ଯୁକ୍ତ୨(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପ୍ରଥମ ବର୍ଷ ପରୀକ୍ଷାରେ ପାସ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଫେବ୍ରୁଆରି ମାସରେ ବାର୍ଷିକ ପରୀକ୍ଷା ହେବ। ଏଥିରେ ୩୩% ମାର୍କ ନ ରଖିଲେ ଛାତ୍ରଛାତ୍ରୀ ଫେଲ୍‌ ହେବେ। ଯେଉଁମାନେ ୩୩%ରୁ କମ୍‌ ମାର୍କ ରଖିଥିବେ ସେମାନଙ୍କୁ ମେ’ ମାସରେ ଆଉ ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ। ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ରଛାତ୍ରୀ ଯୁକ୍ତ୨ ଦ୍ବିତୀୟ ବର୍ଷ ତଥା ଦ୍ବାଦଶ ଶ୍ରେଣୀକୁ ଯିବେ। ଗତ ସପ୍ତାହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେବା ପରେ ଏବେ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି। ଗତ ଶନିବାର ଦିନ ଭୁବନେଶ୍ବରସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ। ଆଉ ଆଜି ଭୁବନେଶ୍ବରର ଅନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ପୁରୀସ୍ଥିତ ଏସ୍‌ସିଏସ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିବା ସହ କ୍ୟାମ୍ପସ୍‌ରେ ଭଙ୍ଗାରୁଜା କରିଛନ୍ତି।

ଭୁବନେଶ୍ବର ଓ ପୁରୀରେ ଛାତ୍ର ଅସନ୍ତୋଷ ପରେ ମନ୍ତ୍ରୀ ଶ୍ରୀ ଦାଶ ଛାତ୍ରଛାତ୍ରୀଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଯେ ପିଲାମାନଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ହୋଇଛି। ଆଗରୁ ପ୍ରଥମ ବର୍ଷରେ ପରୀକ୍ଷା ହେଉଥିଲା। ଏବେ ବି ସେହି ପରୀକ୍ଷା ହେବ। ନୂଆ କଥା କିଛି ନାହିଁ। ବିଦ୍ୟାଳୟଗୁଡ଼ିକ ଆଗରୁ ପରୀକ୍ଷା କରୁଥିଲେ। ଏବେ ବି ପରୀକ୍ଷା ପରିଚାଳନା କରିବେ। ଏବେ କବେଳ ପରୀକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇଛି। ପାସ୍‌ ପାଇଁ ୩୩% ମାର୍କ ରଖିବା‌ ବ୍ୟବସ୍ଥା‌ ଆଗରୁ ରହି ଆସିଛି। ଆମେ ବି କହିଛୁ ଯେ ଯେଉଁ ପିଲାମାନେ ପ୍ରଥମ ବର୍ଷ ପରୀକ୍ଷାରେ ରହିଯିବେ ସେମାନଙ୍କ ପାଇଁ ମେ’ ମାସରେ ଆଉଥରେ ସୁଯୋଗ ରହିଛି। କୌଣସି ବି ଛାତ୍ରଛାତ୍ରୀଙ୍କୁ ଫେଲ୍‌ କରିବା ବିଭାଗର ଉଦ୍ଦେଶ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କୋର୍ସ ସରିବା ନେଇ ପିଲାମାନେ ଯେଉଁ ଅଭିଯୋଗ କରୁଛନ୍ତି ସେନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ କଲେଜ କର୍ତୃପକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ। ତେଣୁ କ’ଣ ପଢ଼ାଯାଇଛି ଓ କ’ଣ ପଢ଼ାଯାଇ ନାହିଁ ତାହାକୁ ଆଧାର କରି ସେମାନେ ପ୍ରଶ୍ନପତ୍ର ତିଆରି କରିବେ। ପିଲାମାନେ ସେତେ ଅସନ୍ତୁଷ୍ଟ ହେବାର କାରଣ ନାହିଁ। ଯଦି ଯୁକ୍ତ୨ ପ୍ରଥମ ବର୍ଷରେ ପିଲାମାନେ ଭଲ କରିବେ ‌ଦ୍ବିତୀୟ ବର୍ଷରେ ଭଲ ରେଜଲ୍ଟ ହେବ। ଏଭଳି ଯୁକ୍ତି ଦର୍ଶାଇ ଅନ୍ୟ କାହା କଥାରେ ପ୍ରଭାବିତ ନ ହେବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି। ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷାରେ ୩୩% ମାର୍କ ରଖି ପାସ୍ କରିବା ବାଧ୍ୟତାମୂଳକ ନିଷ୍ପତ୍ତିକୁ ନେଇ ଭୁବନେଶ୍ବରର ରାଜଧାନୀ, ମହର୍ଷି, ଦେବରାୟ, ଏକାମ୍ର, ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ପୂର୍ବାହ୍ନ‌ରେ ଛାତ୍ରଛାତ୍ରୀଙ୍କ ରୋଷ ଦେଖିବାକୁ ମିଳିଥିଲା। ରାଜଧାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଲାମାନେ ଟାୟାର ଜାଳି ଆନ୍ଦୋଳନ କରିବା ସହ ଝରକା କାଚ ବାଡ଼େଇ ଭାଙ୍ଗିଥିଲେ। ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ କ୍ୟାମ୍ପସ ନିକଟରେ ଥିବା ରାସ୍ତା ଅବରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ହେଉଛି ଯେ ବର୍ଷ ଶେଷ ବେଳକୁ ହଠାତ୍ ଏଭଳି ନିଷ୍ପତ୍ତି କାହିଁକି ନିଆଗଲା? ଏପର୍ଯ୍ୟନ୍ତ ପ୍ରଥମ ବର୍ଷ ପାଠପଢ଼ା ସରିନାହିଁ। ତେଣୁ ଫେବ୍ରୁଆରିରେ କିଭଳି ପରୀକ୍ଷା ଦେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ତେଣୁ ନୂଆ ନିୟମ ଲାଗୁ ପାଇଁ ଅଧିକ ସମୟ ଦିଆଯାଉ। ନ ହେଲେ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେଉ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର