ମୁଣ୍ଡାସାହି ବସ୍ତିରେ ଆତଙ୍କରାଜ ମାମଲା: ୬ ନାବାଳକଙ୍କ ସମେତ ୨୦ ଗିରଫ

ଭୁବନେଶ୍ବର : ଶୁକ୍ରବାର ମୁଣ୍ଡାସାହି ବସ୍ତିରେ ଖଣ୍ଡାରେ ହଣାକଟା କରି ଆତଙ୍କରାଜ ସୃଷ୍ଟି କରିଥିବା ମାମଲାରେ ମଞ୍ଚେଶ୍ବର ଥାନା ପୁଲିସ ରବିବାର ୬ ଜଣ ନାବାଳକଙ୍କ ସମେତ ୨୦ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସୁକୁମାର ସାହୁ ଓରଫ ସାନୁ, ନୀରଜ ନାୟକ ଓରଫ କାଳୁ, ବଳରାମ ଜେନା ଓରଫ ମୁନା, ଜଗତସିଂହପୁର ବାଲିକୁଦାର ଶ୍ରୀନିବାସ ବାରିକ ଓରଫ୍ ଶିବା, କଟକ ବାଲିପୁଟର ଡମ୍ବରୁଧର ନାୟକ ଓରଫ ରାଜୁ, ବାବୁଲା ନାୟକ, ଅନିଲ ପାତ୍ର, ଶ୍ରୀକାନ୍ତ ସାହୁ, ପ୍ରଦ୍ୟୁମ୍ନ ପୁହାଣ, ଆଲୋକ ବାରିକ, ବିଶ୍ବଜିତ ଜେନା, ସଂଜିତ ନାୟକ ଓ ଅରୁଣ କୁମାର ମହାନ୍ତି। ଏହି ମାମଲାର ମୁଖ୍ୟ ସୂତ୍ରଧର ସାଜନ ଫେରାର୍ ହୋଇଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନାବାଳକମାନଙ୍କୁ ଜୁଭେନା‌ଇଲ୍‌ ଜଷ୍ଟିସ୍‌ ବୋର୍ଡ ସମ୍ମୁଖରେ ହାଜର କରାଯାଇଛି।

ପୁଲିସ ସୂଚନାନୁସାରେ ଗତ ଗୁରୁବାର ମୁଣ୍ଡାସାହିସ୍ଥିତ ମଣ୍ଡପରେ କ୍ୟାରମ୍‌ ଖେଳ ଚାଲିଥିଲା। କ୍ୟାରମ୍‌ ଖେଳକୁ ନେଇ ମୁଣ୍ଡାସାହି ବସ୍ତି ଓ କେନାଲବନ୍ଧ ସାହି ପିଲାଙ୍କ ମଧ୍ୟରେ ବଚସା ହୋଇଥିଲା। କଥା କଟାକଟିରୁ ହାତାହାତି ଯାଏ କଥା ଯାଇଥିଲା। ତେବେ ପିଲାଙ୍କ ଗଣ୍ଡଗୋଳକୁ ନେଇ ମୁଣ୍ଡାସାହିର କିଛି ଯୁବକ କେନାଲବନ୍ଧ ସାହିର କିଛି ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ମୁଣ୍ଡାସାହି ଯୁବକଙ୍କ ଆକ୍ରମଣକୁ କେନାଲବନ୍ଧ ସାହି ଯୁବକମାନେ ସହଜରେ ଗ୍ରହଣ କରି ପାରିନଥିଲେ। ପ୍ରତିଶୋଧ ପାଇଁ ସେମାନେ ସଜବାଜ ହୋଇଥିଲେ। ଏଥିପାଇଁ ସ୍ଥାନୀୟ ଏକ ହୋଟେଲରେ ଯୋଜନା ତିଆରି ହୋଇଥିଲା। କେନାଲବନ୍ଧ ସାହିର ସାଜନ ଏହାର ନେତୃତ୍ବ ନେଇଥିଲା। ଯୋଜନା ମୁତାବକ ୫୦ରୁ ଅଧିକ ପିଲା ଶୁକ୍ରବାର ସନ୍ଧ୍ୟାରେ ହୋଟେଲରେ ଏକାଠି ହୋଇଥିଲେ। ହୋଟେଲରେ ଏକ ଭୋଜି ହୋଇଥିଲା ଓ ମୁଣ୍ଡାସାହିର ଛବିନ୍ଦ୍ର ଦାସ, ବିପିନ ପୂର୍ତ୍ତି, ରଘୁନାଥ, ଟାଇଗର, ସୂରଜ, ନକୁଳ, ଶୁକଦେବ, ମଣି, ରାଉତ ଓ ରଂଜନ ଭଳି କିଛି ଯୁବକଙ୍କୁ ଟାର୍ଗେଟ୍‌ କରାଯାଇଥିଲା।

ଯୋଜନା ଅନୁସାରେ ସନ୍ଧ୍ୟା ୫ଟାରେ ସେମାନେ ନିକଟସ୍ଥ ପଡ଼ିଆରେ ଏକାଠି ହୋଇଥିଲେ। ସନ୍ଧ୍ୟା ୬ଟା ୩୦ରେ ମୁଣ୍ଡାସାହି ଭିତରକୁ ପଶି ମିସନ ଆରମ୍ଭ କରିଥିଲେ। ରାସ୍ତାରୁ ଷ୍ଟ୍ରିଟ୍‌ ଲାଇଟ୍ ଲିଭାଇ ଆରମ୍ଭ କରିଥିଲେ ଆତଙ୍କରାଜ। ୪ଟି ଅଟୋ, ୩ଟି ବାଇକ୍ ଓ ୮ଟି ଘର ଭାଙ୍ଗିବା ସହିତ ମୁଣ୍ଡାସାହି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଖଣ୍ଡା ଚୋଟରେ ମୁଣ୍ଡାସାହିର ୮ରୁ ଅଧିକ ଲୋକ ରକ୍ତାକ୍ତ ହୋଇଯାଇଥିଲେ। ଟାର୍ଗେଟ୍‌ରେ ଥିବା ଛବିନ୍ଦ୍ର, ରଘୁନାଥ, ବିପିନ, ରାଉତଙ୍କ ସମେତ ଯଶୋମତି ଦେହୁରୀ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର