ସ୍କୁଲ ସହ ଯୋଡ଼ି ହେବ ବିଜ୍ଞାନ ଏକାଡେମି, ବିଜ୍ଞାନ ଶିକ୍ଷକ ତାଲିମକୁ ଦିଆଯିବ ପ୍ରାଥମିକତା

ପ୍ରତି ମାସରେ ସ୍କୁଲକୁ ପଠାଯାଉଛି ମାଗାଜିନ୍‌

ଭୁବନେଶ୍ବର: ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଓଡ଼ିଶା ବିଜ୍ଞାନ ଏକାଡେମି ଯୋଜନା ପ୍ରସ୍ତୁତ କରିଛି। ପ୍ରାଥମିକ ପର୍ଯ୍ୟାୟରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନର ବିଭିନ୍ନ ବିଷୟ ଜଣାଇବା ଲାଗି ଏକାଡେମି ପକ୍ଷରୁ ପ୍ରତି ମାସରେ ପ୍ରକାଶିତ ଦୁଇଟି ମାଗାଜିନ୍‌କୁ ହାଇସ୍କୁଲଗୁଡ଼ିକୁ ପଠାଯାଉଛି। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସରୁମ୍‌ରେ ପିଲାଙ୍କୁ ମାଗାଜିନ୍‌ରେ ଥିବା ବିଭିନ୍ନ ବିଷୟବସ୍ତୁ ସମ୍ପର୍କରେ ଶିକ୍ଷା ପ୍ରଦାନ କରୁଛନ୍ତି। ମାତ୍ର ତାହା ଶତ ପ୍ରତିଶତ ସଫଳ ହୋଇପାରୁ ନାହିଁ। ତେଣୁ ଆଗାମୀ ଦିନରେ ସ୍କୁଲଗୁଡ଼ିକୁ ଏକାଡେମି ସହ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଏନେଇ ଆଲୋଚନା ଶେଷ ହୋଇଥିବା ଏକାଡେମି ସଭାପତି ବିଭୂତି ଭୂଷଣ ମିଶ୍ର କହିଛନ୍ତି।

୧୯୮୧ରେ ପ୍ରତିଷ୍ଠା ହୋଇଥିବା ବିଜ୍ଞାନ ଏକାଡେମି ଇତିମଧ୍ୟରେ ଚାରି ଦଶନ୍ଧି ପୂରଣ କରିଛି। ୪୧ ବର୍ଷ ଭିତରେ ଅନେକ ସଫଳତା ମିଳିଛି। କଲେଜ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ବିଜ୍ଞାନ ସହ ଜଡ଼ିତ ହୋଇ ରହିଛନ୍ତି। ଏକାଡେମି ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ସେଠାରେ କାର୍ଯ୍ୟକ୍ରମ କରାଯାଉଛି। ମାତ୍ର ଏବେ ସମୟ ଆସିଛି ସ୍କୁଲ ପିଲାଙ୍କୁ ବିଜ୍ଞାନ ସହ ଯୋଡ଼ିବାକୁ ହେବ। ୭ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ବିଷୟରେ ଅଧିକ ଶିକ୍ଷା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଫଳରେ ସେମାନେ ତୃଣମୂଳସ୍ତରରୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇପାରିବେ। ସ୍କୁଲସ୍ତରରେ କାର୍ଯ୍ୟକ୍ରମ ଲାଗି ଗଣଶିକ୍ଷା ବିଭାଗର ସହାୟତା ଲୋଡ଼ା ଯାଇଛି। ଏହାଦ୍ବାରା ବିଜ୍ଞାନ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇପାରିବ। ଶିକ୍ଷକଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ ସହ ସେମାନେ ପିଲାଙ୍କୁ କିଭଳି ଶିକ୍ଷା ପ୍ରଦାନ କରିପାରିବେ ସେନେଇ ବି ରୂପରେଖ ପ୍ରସ୍ତୁତ ହୋଇଛି। ସ୍କୁଲ ଆଡପସନ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବିଜ୍ଞାନ ଓ ବୈଷୟିକ ଶିକ୍ଷାର ଅନୁଶୀଳନ ଓ ପରିବର୍ତ୍ତନ କରିବା ଲକ୍ଷ୍ୟରେ ଏକାଡେମି କାର୍ଯ୍ୟ କରୁଛି। ଲବ୍ଧପ୍ରତିଷ୍ଠିତ ତଥା ଖ୍ୟାତିସମ୍ପର୍ଣ୍ଣ ବୈଜ୍ଞାନିକଙ୍କ ଗବେଷଣାଲବ୍ଧ ତଥ୍ୟକୁ ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ କରି ମାନବ ସମାଜ, ରାଜ୍ୟ ତଥା ଦେଶର ଉନ୍ନତି, ଗବେଷଣାରତ ବୈଜ୍ଞାନିକଙ୍କ ଭିତରେ ସମନ୍ଵୟ ରକ୍ଷା ଓ ଉତ୍ସାହିତ, ବିଜ୍ଞାନଭିତ୍ତିକ ସଭାସମିତି କରି ଛାତ୍ର ଓ ଜନସାଧାରଣଙ୍କ ଭିତରେ ବିଜ୍ଞାନର ପ୍ରଚାର, ସମୟଭିତ୍ତିକ ବିଜ୍ଞାନ ସମ୍ବନ୍ଧୀୟ ପତ୍ରପତ୍ରିକା ପ୍ରକାଶ ଓ ବିତରଣ ଦିଗରେ ଏକା‌ଡେମି କାର୍ଯ୍ୟ କରୁଛି। ବୈଜ୍ଞାନିକଙ୍କୁ ସେମାନଙ୍କର ଉପଲବ୍ଧି ଅନୁସାରେ ଉତ୍ସାହିତ ପାଇଁ ପୁରସ୍କୃତ, ବୈଜ୍ଞାନିକ ଓ ବିଜ୍ଞାନ ଲେଖକଙ୍କ ମଧ୍ୟରେ ସମନ୍ବୟ ରକ୍ଷା, ବିଭିନ୍ନ ଜାତୀୟ ପ୍ରତିଷ୍ଠାନ ସହ ମିଳିତ ଭାବେ କାର୍ଯ୍ୟ, ସାମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ସରକାରୀ ବିଜ୍ଞାନ ସଂସ୍ଥା ମଧ୍ୟରେ ସମନ୍ଵୟ ରକ୍ଷା କରାଯାଉଛି। ପ୍ରାଚୀନ ବିଜ୍ଞାନ ବିଦ୍ୟା ଉପରେ ଗବେଷଣା, ଅନୁସନ୍ଧାନ, ପରୀକ୍ଷଣ, ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ତଥା ଉନ୍ନତି ନିମନ୍ତେ ପାଣ୍ଠି ସଂଗ୍ରହ ଓ ପରିଚାଳନା, ବିଜ୍ଞାନ, ବୈଜ୍ଞାନିକ ତଥା ବିଜ୍ଞାନ ସହିତ ଜଡ଼ିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ସମ୍ବନ୍ଧିତ ଖବର