ସୀମା ବିବାଦରେ ଫସିଗଲା ଶବ, ୩ ଘଣ୍ଟା ରାସ୍ତାରେ ପଡ଼ି ରହିଲା

ବାରଙ୍ଗ/ତ୍ରିଶୁଳିଆ: ବାରଙ୍ଗ ଓ ନନ୍ଦନକାନନ ଥାନା ଏବଂ ବାରଙ୍ଗ ଜିଆର୍‌ପି ଫାଣ୍ଡି ମଧ୍ୟରେ ସୀମା ବିବାଦ ପାଇଁ ଆଜି ଏକ ଅଜଣା ଶବ ୩ ଘଣ୍ଟାରୁ ଊର୍ଧ୍ବ ସମୟ ହେଲା ରାସ୍ତା ଉପରେ ପଡ଼ି ରହିଥିଲା। ଘଟଣାସ୍ଥଳ ସେମାନଙ୍କ ଥାନା ସୀମା ଅଧୀନରେ ଆସୁ ନଥିବା କହି ଦୁଇ ଥାନାର କର୍ମଚାରୀ ଫେରି ଯାଇଥିଲେ। ସେହିପରି ଶବଟି ରେଳ ଧାରଣାଠାରୁ ମାତ୍ର ୮ ଫୁଟ୍‌ ଦୂରରେ ପଡ଼ିଥିବା ବେଳେ ବାରଙ୍ଗ ଜିଆର୍‌ପି ଫାଣ୍ଡିର ବି ଦେଖା ମିଳିନଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଶେଷରେ ରାତି ପ୍ରାୟ ୯ଟା ବେଳକୁ ନନ୍ଦନକାନନ ଥାନା ପୁଲିସ୍‌ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତକ ହେଲେ, ଚନ୍ଦକା ଥାନା ଅଧୀନ ଶିମୂଳିପାଟଣା ଗ୍ରାମର ମାନସ ବେହେରା ଓରଫ ମାଗୁ (୩୫)। ସେ ଜଣେ ମାନସିକ ବିକାରଗ୍ରସ୍ତ ଓ ତା’ ପିଉସୀ ଘର ଦାଢ଼ାପାଟଣା ଗ୍ରାମରେ ବୋଲି ପୁଲିସ ଜାଣିବାକୁ ପାଇଛି।

ସୂଚନାନୁଯାୟୀ, ଆଜି ସଂଧ୍ୟା ପ୍ରାୟ ୬ଟାରେ ଦାଢ଼ାପାଟଣା ଗ୍ରାମ ମୁଣ୍ଡ ରେଳଧାରଣା ପାର୍ଶ୍ବରେ ଥିବା ହ୍ରଦ ମଧ୍ୟରୁ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ସଂଗଠନର କିଛି ଯୁବକ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନେ ଏ ସଂପର୍କରେ ୧୦୮ ଆମ୍ବୁଲାନ୍ସ ଓ ବାରଙ୍ଗ ଥାନାକୁ ଫୋନ୍‌ କରି ସୂଚନା ଦେଇଥିଲେ। କିନ୍ତୁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଥିଲା। ତେଣୁ ଆମ୍ବୁଲାନ୍ସଟି ଶବ ନ ନେଇ ଫେରି ଯାଇଥିଲା। ପରେ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଘଟଣାସ୍ଥଳ ଖୋର୍ଦ୍ଧା ଜିଲ୍ଲା ଓ ନନ୍ଦନକାନନ ଥାନା ଅଞ୍ଚଳର ହୋଇଥିବା କହି ଫେରି ଆସିଥିଲା। ନନ୍ଦନକାନନ ଥାନା ପୁଲିସ ବି ଘଟଣାସ୍ଥଳ ବାରଙ୍ଗ ଥାନା ଅଞ୍ଚଳ ଅଧୀନରେ କହି ଯାଇ ନଥିଲା। ଅପରପକ୍ଷେ ରେଳ ଧାରଣାଠାରୁ ୮ ଫୁଟ୍ ଦୂରରେ ଶବଟି ପଡ଼ିଥିଲେ ହେଁ ବାରଙ୍ଗ ଜିଆରପି ପୁଲିସ ମଧ୍ୟ ଆସି ନଥିଲା। ଫଳରେ ସୀମା ବିବାଦ ଯୋଗୁଁ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଶବଟି ସେମିତି ରାସ୍ତା ଉପରେ ପଡ଼ି ରହିଥିଲା। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଶେଷରେ ରାତି ପ୍ରାୟ ୯ଟା ବେଳକୁ ନନ୍ଦନକାନନ ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧିତ ଖବର