ସ୍ମାର୍ଟ ଜନପଥ ସ୍ଥିତି ବେହାଲ୍, କର୍ତ୍ତୃପକ୍ଷ ବେଫିକର: ଚିକ୍‌ଚିକ୍ କରୁଥିଲା, ଉଜୁଡ଼ି ଗଲାଣି

ଘାସ ମରିଗଲା, ଗଛ ଖୁଣ୍ଟା ହୋଇଗଲାଣି, ରାସ୍ତା କଡ଼ରେ କୁଢ଼କୁଢ଼ କଂକ୍ରିଟ୍‌ ଆବର୍ଜନା, ଡ୍ରେନ୍‌ରେ ଅଳିଆ ଭର୍ତ୍ତି

ଭୁବନେଶ୍ବର: ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାକୁ ସ୍ମାର୍ଟ ଜନପଥରେ ପରିଣତ କରୁଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌। ଦୁଇବର୍ଷ ହେଲା ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସ୍ମାର୍ଟ ରୂପ ପାଇସାରିଛି। ଏହିଭଳି ରାସ୍ତା ବାକି ଅଞ୍ଚଳରେ ହେବ। ହେଲେ ସ୍ମାର୍ଟ ରୂପ ପାଇଥିବା ରାସ୍ତା ଅବସ୍ଥା କହିଲେ ନ ସରେ। ସ୍ମାର୍ଟ ଜନପଥ ପୂର୍ଣ୍ଣ ରୂପ ପାଉ ପାଉ ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ପୁଣି ଥରେ ନିର୍ମାଣ ହେବ; ଏକଥା ଜଳଜଳ ଦଶିଲାଣି। ଜନପଥକୁ ସ୍ମାର୍ଟ ଜନପଥରେ ପରିଣତ କରିବାର ଦାୟିତ୍ବ ନେଇଛି ଆର୍‌କେଡି ସଂସ୍ଥା। ଟେଣ୍ଡର ନିୟମ ଅନୁଯାୟୀ, ସଂସ୍ଥା ରାସ୍ତା ନିର୍ମାଣ କରିବା ସହ ଏହି ରାସ୍ତାର ରକ୍ଷଣାବେକ୍ଷଣ କରିବ। ହେଲେ ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ (କିଛି ଅଂଶ) ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡ଼ିବାରେ ଲାଗିଲାଣି। ଯେଉଁ ରାସ୍ତାକୁ ନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଛାତି ଫୁଲାଇ ଚା‌ଲୁଥିଲେ, ୫ ବର୍ଷରେ କିଛି କରିଛନ୍ତି ବୋଲି ଦେଖାଉଥିଲେ, ସେ ରାସ୍ତା ଏବେ କର୍ତ୍ତୃପକ୍ଷଙ୍କ ମୁହଁରେ କଳା ବୋଳିଲାଣି।

ସ୍ମାର୍ଟ ଜନପଥରେ ମୁଖ୍ୟ ଆକର୍ଷଣ ହେଉଛି ୟୁଟିଲିଟି କରିଡର୍‌, ଭିନ୍ନ ଡିଜାଇନର ଷ୍ଟ୍ରିଟ୍‌ ଲାଇଟ୍‌, ପବ୍ଲିକ ସ୍ପେସ୍‌ର ଉନ୍ନତୀକରଣ, ଘାସ ଗାଲିଚା, ଜଳବନ୍ଦୀ ହେବନି, ରାସ୍ତା ଉପରେ ବ୍ୟବସ୍ଥିତ ପାର୍କିଂ, ମୋ ବସ୍‌ ଷ୍ଟପ୍‌, ମୋ ସାଇକେଲ୍‌ ଡକ୍। ଏହା ସାଙ୍ଗକୁ ପରିଷ୍କାର ରାସ୍ତାକଡ଼ ପାଚେରିରେ ରଙ୍ଗବେରଙ୍ଗର ଚିତ୍ର। କିନ୍ତୁ ଏବେ ଯେଉଁ ଘାସ ଲଗା ଯାଇଥିଲା, ସେଗୁଡ଼ିକ ମରି ଗଲାଣି। ରାସ୍ତାରେ ଖାଲ ହେଲାଣି, ଘାସ ଗାଲିଚା ନାହିଁ। ଜଳବନ୍ଦୀ ନ ହେବା ପାଇଁ ଯେଉଁ ଡ୍ରେନ୍ ନିର୍ମାଣ କରାଯାଇଥିଲା, ସେ ଡ୍ରେନ୍‌ ଏବେ ପଙ୍କ ଓ ଆବର୍ଜନାରେ ଭର୍ତ୍ତି ହୋଇଗଲାଣି। ମିଡିଆନ୍‌ରେ ଲାଗିଥିବା ବିଭିନ୍ନ ପ୍ରକାରର ଗଛଗୁଡ଼ିକର ରକ୍ଷଣାବେକ୍ଷଣ ହେଉ ନଥିବାରୁ ସେଗୁଡ଼ିକ ରାସ୍ତାକୁ ମାଡ଼ିଗଲାଣି। ଫୁଟପାଥ୍‌ରେ ଯେଉଁ ଗଛ ଲାଗିଥିଲା, ସେଥିରେ ପାଣି ଦିଆ ନଯିବାରୁ ମରି ଯାଇଛି। ରାସ୍ତା କଡ଼ରେ କୁଢ଼କୁଢ଼ କଙ୍କ୍ରିଟ୍‌ ଆବର୍ଜନା। ରାସ୍ତା ନିର୍ମାଣ ସମୟରେ ବାହାରୁଥିବା ଆବର୍ଜନା ଗଦା ହୋଇଛି। ପାଚେରିରୁ ସିମେଣ୍ଟ ପ୍ଲାଷ୍ଟର ଖସି ପଡ଼ିଲାଣି। ଫଳରେ ରାଜଧାନୀ‌ବାସୀ ଯେଉଁ ସ୍ମାର୍ଟ ଜନପଥକୁ ଦେଖିବାକୁ ନିକିମା ହୋଇ ଆସୁଥିଲେ, ଏବେ ସେ ରାସ୍ତାକୁ ଦେଖିଲେ ନାକ ଟେକୁଛନ୍ତି। ସ୍ମାର୍ଟସିଟି କର୍ତ୍ତୃପକ୍ଷ କିନ୍ତୁ ଏଯାଏ ହେଜି ନାହାନ୍ତି। ଆର୍‌କେଡିକୁ ଯେଭଳି ତାଗିଦ୍‌ କରାଯିବା କଥା, ତାହା ସମ୍ଭବତଃ ହୋଇନାହିଁ। ଫଳରେ ଏହି ରାସ୍ତା ତୁରନ୍ତ ରକ୍ଷଣାବେକ୍ଷଣ ନେଇ ସଂପୃକ୍ତ ସଂସ୍ଥା ଆଗ୍ରହ ଦେଖାନଇଥିବା ଅଭିଯୋଗ ହେଉଛି।

ଏନେଇ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ର ମହାପ୍ରବନ୍ଧକ (ଇଞ୍ଜିନିୟରିଂ) ଅଶ୍ବିନୀ ବିଶ୍ବାଳ କହିଛନ୍ତି ଯେ ସ୍ମାର୍ଟ ଜନପଥର (ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ) ରାସ୍ତାର ରକ୍ଷଣାବେକ୍ଷଣ ଆବଶ୍ୟକ ପଡ଼ିଲାଣି। ବହୁ ସ୍ଥାନରେ ଆବର୍ଜନା ଗଦା ହୋଇଛି। ଘାସ, ଗଛ ମରିଗଲାଣି। ତେଣୁ ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଡାକି ଏହାର ରକ୍ଷଣାବେକ୍ଷଣ ନେଇ କହିଛୁ। ଖୁବ୍‌ ଶୀଘ୍ର ଏନେଇ ଏକ ବୈଠକ ବସି ସ୍ମାର୍ଟ ଜନପଥ କାମ ତ୍ବରାନ୍ବିତ କରିବାକୁ କୁହାଯିବ। ବିଏସ୍‌ସିଏଲ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ସ୍ମାର୍ଟ ଜନପଥର ସୌନ୍ଦର୍ଯ୍ୟୀକରଣ ପାଇଁ ଯେଉଁ ଘାସ, ଗଛ ଲାଗିଥିଲା, ସେଥିରେ ପ୍ରତିଦିନ ପାଣି ଦିଆ ନଯିବାରୁ ଏବଂ ତା’ର ରକ୍ଷଣାବେକ୍ଷଣ ନ ହେବାରୁ ସେଗୁଡ଼ିକ ମରିଗଲା। ରାଜଧାନୀରେ ସହର ଭିତରେ ରାସ୍ତାରେ ଲାଗିଥିବା ବିଭିନ୍ନ ପ୍ରକାରର ଗଛର ରକ୍ଷଣାବେକ୍ଷଣ କାମ ବିଏମ୍‌ସି ଓ ବିଡିଏ କରନ୍ତି। ସେମାନେ ନିୟମିତ ପାଣି ଦେବାଠାରୁ ଆରମ୍ଭ କରି ଗଛ କିପରି ସୁରକ୍ଷିତ ରହିବ, ତା’ର ଯତ୍ନ ନିଅନ୍ତି। ତେଣୁ ସ୍ମାର୍ଟ ଜନପଥରେ ଲାଗିଥିବା ଗଛ ଓ ଘାସରେ ପାଣି ଦେବା ସହ ଏହାର ଯତ୍ନ ନେବାକୁ ବିଏମ୍‌ସିକୁ ବାରମ୍ବାର ଚିଠି ଲେଖାଗଲାଣି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ଏନେଇ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଘାସ ଲାଗିଥିଲେ ବି ଏଗୁଡ଼ିକ ମରିଗଲାଣି। ବର୍ତ୍ତମାନ ସ୍ଥିତି ଯାହା ପୁଣି ଘାସ ଲଗାଇବାକୁ ହେବ।

କୌତୂହଳ କଥା ହେଉଛି, ବିଏମ୍‌ସି କମିସନର ଯିଏ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ଏବଂ ବିଡିଏ ଉପାଧ୍ୟକ୍ଷ ବି ‌ସେ। ତିନିଟି ସଂସ୍ଥାର ମୁଖିଆ ଜଣେ ଅଧିକାରୀ ହୋଇଥିବା ବେଳେ ଏତେ ଚିଠି ଦିଆନିଆ ଯାଏ କାହିଁକି କଥା ଯାଉଛି? ତିନି ସଂସ୍ଥାର ମିଳିତ ବୈଠକରେ କ’ଣ ଏନେଇ ବିଏମ୍‌ସି କି ବିଡିଏକୁ ଦାୟିତ୍ବ ଦିଆଯାଇପାରୁନି? ଯଦି ଘରୋଇ ସଂସ୍ଥା ରାସ୍ତାର ରକ୍ଷଣାବେକ୍ଷଣ କରିବାର ଦାୟିତ୍ବ ନେଇଛି, ତାହାଠାରୁ କାମ କାହିଁକି ହାସଲ କରାଯାଉନି? ଏବେ ଯଦି ମରିଥିବା ଘାସ ସ୍ଥାନରେ ନୂଆ ଘାସ ଲାଗିବ, ସେ ଟଙ୍କା କିଏ ଦେବ? ଏହି ଅତିରିକ୍ତ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହେବା ଯାଏଁ କଥା କାହିଁକି ଗଲା? ଯଦି ଆଉ ଘାସ ଲଗାଇ‌‌ବେନି, ତେବେ ଆଗରୁ କାହିଁକି ଘାସ ଲଗାଉଥିଲ? ଯାହାର ଯତ୍ନ ନେଇପାରିବନି ତାହାକୁ ରାସ୍ତାରେ ଲଗାଇ କାହିଁକି ପ୍ରହସନ କରୁଥିଲ? ଏମିତି ମାଳମାଳ ପ୍ରଶ୍ନ ଏବେ ରାଜଧାନୀବାସୀ ପଚାରୁଛନ୍ତି। ହେଲେ ଉତ୍ତର କିଏ ଦେବ?

ସମ୍ବନ୍ଧିତ ଖବର