ତୀବ୍ର ହେଉଛି ଡ୍ରାଇଭର୍‌ ମହାସଂଘ ଆନ୍ଦୋଳନ: ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ, ପୁଲିସ୍‌ର ମୃଦୁ ଲାଠିଚାଳନା

ସାମିଲ୍‌ ହେଲେ ବିଭିନ୍ନ ଦଳର ନେତା, ବଢ଼ିଲା ଅଡ଼ୁଆ

ଭୁବନେଶ୍ବର : ୧୦ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଥିବା ଡ୍ରାଇଭର୍‌ ମହାସଂଘର ଷ୍ଟିୟରିଂଛାଡ଼ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଚାଳକଙ୍କ ପ୍ରତିବାଦ ‌ବେଳେ ଗୁରୁବାର ଦିନ ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଛି। ପୁଲିସ ଓ ଆନ୍ଦୋଳନରତ ଚାଳକ ମୁହାଁମୁହିଁ ହୋଇଥିଲେ। ତେଣୁ ସ୍ଥିତି ଆୟତ୍ତ କରିବାକୁ ପୁଲିସ୍‌ ମୃଦୁ ଲାଠିଚାଳନା କରିଥିଲା।

ଦୁଇ ଦିନ ହେବ ଚାଳକମାନେ ରାଜଧାନୀର ହଂସପାଳ, ତମାଣ୍ଡୋ, ବରମୁଣ୍ଡା, ବାଲିଅନ୍ତା, ବାଲିପାଟଣା, ପାହାଳ, ତ୍ରିଶୁଳିଆ, ଟଙ୍କପାଣି ବ୍ରିଜ୍‌ ଆଦି ଉପକଣ୍ଠ ଅଞ୍ଚଳରେ ଧାରଣା ଦେଇଥିବା ବେଳେ କାଁ ଭାଁ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ଆଜି ଅପରାହ୍‌ଣ ପାଖାପାଖି ୩ଟାରେ ତମାଣ୍ଡୋଠାରେ ଅଭାବନୀୟ ସ୍ଥିତି ଉପୁଜିଥିଲା। ଗତକାଲିଠାରୁ ଅଟକିଥିବା ରାଜ୍ୟ ବାହାରର କିଛି ଟ୍ରକ୍‌ ଚାଳକ ସେମାନଙ୍କୁ ଛାଡ଼ିଦେବା ପାଇଁ ଆନ୍ଦୋଳନକାରୀଙ୍କୁ ନିବେଦନ କରିଥିଲେ। ଚାଳକମାନଙ୍କ ଦାବିକୁ ସମର୍ଥନ ଜଣାଇ ସେମାନେ ଗୋଟିଏ ଦିନ ଭୋକ ଉପାସରେ ଏଠାରେ ପଡ଼ି ରହିଲେ। କିନ୍ତୁ ଆଉ ବିଳମ୍ବ ହେଲେ ସେମାନଙ୍କ ଅବସ୍ଥା ବିଗିଡ଼ିବା ସହ ଟ୍ରକ୍‌ରେ ଥିବା ମାଲ୍‌ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯିବ ବୋଲି ଯୁକ୍ତି ବାଢ଼ିଥିଲେ। ତେଣୁ ଟ୍ରକ୍‌ଗୁଡ଼ିକୁ ଛାଡ଼ି ଦେବାକୁ ସେମାନେ ଅନୁରୋଧ କରିଥିଲେ।

ତେବେ ଏହି ନିବେଦନକୁ ଯଥାର୍ଥ ଦର୍ଶାଇ କିଛି ଆନ୍ଦୋଳନକାରୀ ସେମାନଙ୍କୁ ଛାଡ଼ିବାକୁ ଉଦ୍ୟମ କରିବାରୁ ଆଉ କିଛି ଆନ୍ଦୋଳନକାରୀ ଏଥିରେ ବାଧା ଦେଇଥିଲେ। ଫଳରେ ଏହାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଯାଇଥିଲା ଓ ସେମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପରକୁ ଠେଲାପେଲା ଓ ମାରପିଟ୍‌ କରିଥିଲେ। ଏହି ଗଣ୍ଡଗୋଳ ଯୋଗୁଁ ରାଜପଥରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକ ବି ଅଟକି ଯାଇଥିଲା। ଫଳରେ ରାସ୍ତାର ଦୁଇ ପାର୍ଶ୍ବ ପୂରା ଅଚଳ ହୋଇଯାଇଥିଲା। ପୁଲିସ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲା। କିନ୍ତୁ ଦୁଇ ଗୋଷ୍ଠୀ ନିଜ ଜିଦ୍‌ରେ ଅଟଳ ରହି ଏହି ଘଟଣାରେ ମୁଣ୍ଡ ନ ଖେଳାଇବାକୁ କହି ପୁଲିସ୍‌କୁ ବି ନାଲି ଆଖି ଦେଖାଇଥିଲେ। ତେଣୁ ପୁଲିସ ମୃଦୁ ଲାଠିଚାଳନା କରିଥିଲା। ଫଳରେ ଡ୍ରାଇଭର୍‌ମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଦୁଇ ଦିନ ହେଲା ଅଟକି ରହିଥିବା ଟ୍ରକ୍‌ଗୁଡ଼ିକ ବି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଯାଇଥିଲେ।

ସାମିଲ୍‌ ହେଲେ ବିଭିନ୍ନ ଦଳର ନେତା, ବଢ଼ିଲା ଅଡ଼ୁଆ
ଏପଟେ ଆନ୍ଦୋଳନ ଯୋଗୁଁ ଅସମ୍ଭାଳ ସ୍ଥିତି ଦେଖା ଦେଇଥିବା ବେଳେ ଚାଳକଙ୍କୁ ବିଭିନ୍ନ ଦଳର ସମର୍ଥନ ମିଳିଛି। ଗୁରୁବାର ଦିନ ବିଜେପି ନେତା ତଥା ବିଧାୟକ ନାଉରୀ ନାୟକ, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, ମୁକେଶ ମହାଲିଙ୍ଗ ପ୍ରମୁଖ ଆନ୍ଦୋଳନସ୍ଥଳକୁ ଯାଇ ସମର୍ଥନ ଜଣାଇଛନ୍ତି। ଏକ ପ୍ରତିନିଧିଦଳ ତମାଣ୍ଡୋ ସ୍ଥିତ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସରକାରଙ୍କ ଉପରେ ବର୍ଷିଥିଲେ। ସେମାନେ କହିଥିଲେ ଯେ ଡ୍ରାଇଭର୍‌ଙ୍କ ଆନ୍ଦୋଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲୋକ ସମସ୍ୟାରେ ପଡ଼ିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏପରିକି ଆଲୋଚନା ପାଇଁ ମନ୍ତ୍ରୀ କିମ୍ବା ବିଧାୟକ, କେହି ଘଟଣାସ୍ଥଳକୁ ଆସୁନାହାନ୍ତି। ଗତକାଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ସେମାନଙ୍କ ଦାବିକୁ ବିଧାନସଭାରେ ଉଠାଇବାକୁ କହିଥିଲେ। ତେବେ ଆଜି ବିଜେପିର ସମର୍ଥନ ସରକାରଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ଫଳରେ ଆଗକୁ ସ୍ଥିତି ଜଟିଳ ହେବା ନେଇ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର