ଜନଜାତିଙ୍କ ଇତିହାସ ଓ ଐତିହ୍ୟ ସର୍ବପ୍ରାଚୀନ

ରାଜଭବନରେ ଜନଜାତି ଶିଳ୍ପୀ ଓ କାରିଗର ସମ୍ବର୍ଧିତ

ଭୁବନେଶ୍ବର: ଜନଜାତିଙ୍କ ଇତିହାସ ଓ ଐତିହ୍ୟ ସର୍ବପ୍ରାଚୀନ। ତାଙ୍କର କଳା ଓ ସଂସ୍କୃତିରେ ଅନନ୍ୟ ଜୀବନବୋଧ ଅଛି। ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ବିଶେଷ ଉଦ୍ୟମ ହେବା ଆବଶ୍ୟକ। ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ଜନଜାତି ଚିତ୍ରକର, ଶିଳ୍ପୀ ଓ କାରିଗରମାନଙ୍କୁ ସମ୍ବର୍ଧିତ କରିବା ଅବସରରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଆଜି ଏହା କହିଛନ୍ତି।

ରାଜଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଲାଲ୍‌ ଆହୁରି କହିଥିଲେ, ପ୍ରତିଭାର ପ୍ରକାଶ ଓ ବିକାଶ ପାଇଁ ଅନୁକୂଳ ପରିବେଶ ଦରକାର। ଜନଜାତିଙ୍କ ମଧ୍ୟରେ ଅଫୁରନ୍ତ ସୃଜନଶକ୍ତି ରହିଛି। ଏହି ପ୍ରତିଭା ଆହୁରି ପ୍ରସାରିତ ହେବା ଦରକାର। ଏଥିପାଇଁ ସରକାର ବିଭିନ୍ନ ସୁବିଧା ଉପଲବ୍ଧ କରାଉଛନ୍ତି। ଆଗାମୀ ଦିନରେ ଜନଜାତିଙ୍କ ସୃଜନ ପ୍ରତିଭାର ଉପଯୁକ୍ତ ମୂଲ୍ୟାୟନ ଓ ଆକଳନ ହୋଇପାରିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ଓଡ଼ିଶାର ଜନଜାତି କଳା ଓ କାରିଗରୀ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର