ପୁଣି ଆରମ୍ଭ ହେଲା ‘ବସ୍ତିକୁ ଚାଲ’ ଅଭିଯାନ

ଅପରାଧ ନିୟନ୍ତ୍ରଣ ସମେତ ୩ଟି ଦିଗ ଉପରେ ଗୁରୁତ୍ବ ଦିଆଯିବ: ଡିସିପି

ଭୁବନେଶ୍ବର: ଏକାଧିକ ବସ୍ତିରେ ଗୋଷ୍ଠୀ ସଂଘର୍ଷ ଓ ରକ୍ତପାତ ଘଟଣା ପରେ ଭୁବନେଶ୍ବର କମିସନରେଟ ପୁଲିସ ଅପରାଧ ନିୟନ୍ତ୍ରଣ ପାଇଁ ପୁଣି ପୁରୁଣା କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ଯୋଜନା କରିଛି। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରର ଖାରବେଳନଗର, ନୂଆପଲ୍ଲୀ, କ୍ୟାପିଟାଲ୍, ଭରତପୁର, ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ଏୟାରଫିଲ୍ଡ, ଏୟାରପୋର୍ଟ, ସହିଦନଗର ପ୍ରମୁଖ ୧୦ଟି ଥାନାରେ ଥିବା ବସ୍ତି ଅଞ୍ଚଳରେ ଏହି ଯୋଜନା ପୁନଃ କାର୍ଯ୍ୟକାରୀ କରାଯିବ। ପ୍ରତି ବସ୍ତିରେ କେତେ ଲୋକ ରହୁଛନ୍ତି, ସେମାନେ କି କି କାର୍ଯ୍ୟରେ ଲିପ୍ତ, ବସ୍ତିରେ କେତେଜଣ ଅପରାଧୀ ରହୁଛନ୍ତି ତଥା ଜେଲ୍‌ରୁ ଫେରିବା ପରେ ସେମାନେ ଆପରାଧିକ କାର୍ଯ୍ୟକଳାପରୁ ନିବୃତ୍ତ ରହୁଛନ୍ତି କି ନାହିଁ ସେ ବିଷୟରେ ନଜର ରଖିବା ପାଇଁ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ ବସ୍ତିର ଦାୟିତ୍ବ ଦିଆଯିବ।

ଏହା ବ୍ୟତୀତ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ସ୍ଥାପନ ପାଇଁ ମଝିରେ ମଝିରେ ସ୍ବାସ୍ଥ୍ୟସେବା ଶିବିର, ରକ୍ତଦାନ ଶିବିର, ପିଲାଙ୍କୁ ବହି ଖାତା ବଣ୍ଟନ ସହ ବିଭିନ୍ନ ସମୟରେ ବୈଠକ ବସିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ବସ୍ତିରେ ବିଭିନ୍ନ ସମୟରେ ଘଟୁଥିବା ଛୋଟ ବଡ଼ ଗଣ୍ଡଗୋଳ ଓ ଅନ୍ୟାନ୍ୟ ସମସ୍ୟାକୁ ଦାୟିତ୍ବରେ ଥିବା କର୍ମଚାରୀ ସମାଧାନ କରିବେ। ଅପରପକ୍ଷରେ ବସ୍ତିରେ ଚାଲୁଥିବା ବିଭିନ୍ନ ବେଆଇନ୍ ନିଶା କାରବାର, ଅପରାଧ କରି ଲୁଚୁଥିବା ଅପରାଧୀଙ୍କ ବିଷୟରେ ଗୁପ୍ତ ତଥ୍ୟ ଏହି ପୁଲିସ କର୍ମଚାରୀମାନେ ଥାନାକୁ ଜଣାଇବେ ବୋଲି ଡିସିପି ସୂଚନା ଦେଇଛନ୍ତି।

ତେବେ କରୋନାର ଦ୍ବିତୀୟ ଲହର ପରେ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଖାରବେଳନଗର ଥାନାଧିକାରୀ ଅରୁଣ ସ୍ବାଇଁ ଭଗବତୀନଗର ବସ୍ତିକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ବସ୍ତିର ମହିଳାମାନେ ଆପରାଧିକ ମାମଲାରେ ପୁଲିସକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର