ଭୁବନେଶ୍ବର: ବହୁ ଅବ୍ୟବସ୍ଥା ଘେରରେ ରହିଛି ଭିଏସ୍ଏସ୍ନଗର ବିଏମ୍ସି କଲ୍ୟାଣ ମଣ୍ଡପ। ଜଣେ ବ୍ୟକ୍ତି ଏହାକୁ ବୁକିଂ କରିବା ପରେ ବି ପୁଣି ଟେଣ୍ଟହାଉସ୍ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଆସୁଛି। ଏହି ମଣ୍ଡପ ବାବଦରେ ବିଏମ୍ସିକୁ ଭଡ଼ା ଦେବା ପରେ ପୁଣି ଜଣେ ଗ୍ରାହକଙ୍କୁ ଟେଣ୍ଟହାଉସ୍କୁ ହଜାର ହଜାର ଟଙ୍କା ଗଣିବାକୁ ପଡ଼ୁଛି। ଟେଣ୍ଟହାଉସ୍ରୁ ଫ୍ୟାନ୍, ଲାଇଟ୍ ଭଡ଼ାରେ ନ ଆଣିଲେ ଏଠାରେ କୌଣସି କାର୍ଯ୍ୟ ସୁରୁଖୁରରେ ହୋଇପାରୁନାହିଁ। ବିଏମ୍ସି କର୍ତ୍ତୃପକ୍ଷ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରୁନଥିବାରୁ ଗ୍ରାହକମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି।
ସୂଚନାନୁସାରେ, ବିଏମ୍ସିର ୧୧ ନମ୍ବର ୱାର୍ଡରେ ଏହି କଲ୍ୟାଣ ମଣ୍ଡପ ଅଛି। ଏହି ମଣ୍ଡପ ଉପରେ ଭିଏସ୍ଏସ୍ନଗର, ମଞ୍ଚେଶ୍ବର, ଚକେଇସିହାଣୀ, ସମେଇଗାଡ଼ିଆ, ରଙ୍ଗମାଟିଆ, ଭୋଟପଡ଼ା ଆଦି ଅଞ୍ଚଳର ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରନ୍ତି। ଉକ୍ତ ଅଞ୍ଚଳ ପାଇଁ ଏହା ଏକମାତ୍ର ସରକାରୀ କଳ୍ୟାଣ ମଣ୍ଡପ ହୋଇଥିବାରୁ ଓ ଘରୋଇ କଲ୍ୟାଣ ମଣ୍ଡପ ତୁଳନାରେ ଭଡ଼ା କମ୍ ରହୁଥିବାରୁ ଲୋକେ ଏହା ଉପରେ ଅଧିକ ମାତ୍ରାରେ ନିର୍ଭର କରନ୍ତି। ତେଣୁ ମାସକୁ ୧୫ରୁ ୨୦ଦିନ ଏହି ମଣ୍ଡପ ବୁକିଂ ହୋଇଥାଏ। ହେଲେ ଏହାର ଜରାଜୀର୍ଣ୍ଣ ଅବସ୍ଥା ଗ୍ରାହକକୁ ବ୍ୟଥିତ କରେ। ଏହାର ବହୁ ଟ୍ୟୁବ୍ ଲାଇଟ୍ ଜଳୁନାହିଁ। ବାଥ୍ରୁମ୍ ଭିତରେ ଆଦୌ ଲାଇଟ୍ ବ୍ୟବସ୍ଥା ନଥିବା ବେଳେ ଫ୍ଲସ୍ କାମ କରୁନି। ସେହିଭଳି ବାଥ୍ରୁମ୍ଗୁଡ଼ିକ ନିୟମିତ ସଫା ନ ହେବାରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ବହୁ ଫ୍ୟାନ୍ କେବଳ ନାଁକୁ ଝୁଲୁଛି। ସେଗୁଡ଼ିକ ଅଚଳ ଅବସ୍ଥାରେ ହିଁ ଝୁଲୁଛି।
ତେଣୁ ଲୋକେ ଏହାକୁ ବୁକିଂ କରିବା ପରେ ବି ପୁଣି ଟେଣ୍ଟହାଉସ୍ରୁ କିଛି ଲାଇଟ୍ ଓ ଫ୍ୟାନ୍ ଭଡ଼ାକୁ ଆଣିବାକୁ ବାଧ୍ୟ ହେଉଛନ୍ତି। ଏମିତିକି କିଛି ଲୋକ ପୁଣି ପଇସା ଖର୍ଚ୍ଚ କରି ପାଇଖାନା ସଫା କରୁଛନ୍ତି। ମଣ୍ଡପ ଭଡ଼ା ବାବଦରେ ୩୦ ହଜାର ୧୦୦ ଟଙ୍କା ବିଏମ୍ସିକୁ ପଇଠ କରିବା ପରେ ପୁଣି ଟେଣ୍ଟହାଉସ୍କୁ ହଜାର ହଜାର ଟଙ୍କା ଗଣୁଛନ୍ତି। ମାସିକ ୪/୫ଲକ୍ଷ ଟଙ୍କା ଭଡ଼ା ନେଉଥିବା ବିଏମ୍ସି ଏସବୁ ପ୍ରତି ନଜର ନଦେଇ ଗ୍ରାହକକୁ ପରୋକ୍ଷରେ ଶୋଷଣ କରୁଛି ବୋଲି ଅଭିଯୋଗ ହେଉଛି। ଏନେଇ ବିଏମ୍ସିର ମଣ୍ଡପ ଦାୟିତ୍ବରେ ଥିବା ଅଧିକାରୀ କମଲଜିତ୍ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏ ଅଭିଯୋଗ ବିଷୟରେ ସେ କିଛି ଜାଣିନାହାନ୍ତି। ତେବେ ଏନେଇ ସେ ତୁରନ୍ତ ତଦାରଖ କରି ଅବ୍ୟବସ୍ଥାକୁ ସୁଧାରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।