ଓଡ଼ିଶା ପରିବେଶ କଂଗ୍ରେସର ଦ୍ୱିତୀୟ ଦିବସ, ଜୈବ ବିବିଧତା ହିଁ ଖାଦ୍ୟ ନିରାପତ୍ତାର ରକ୍ଷା କବଚ

ଚନ୍ଦ୍ରଶେଖରପୁର: ଜୈବ ବିବିଧତାର ସୁରକ୍ଷା ହେଲେ ହିଁ ଖାଦ୍ୟ ନିରାପତ୍ତା ଓ ମହାମାରୀ ମୁକାବିଲା ସମ୍ଭବ ହୋଇ ପାରିବ। ଏହା ମଣିଷ ପାଇଁ ରକ୍ଷା କବଚ ଭାବେ କାମ କରିବ। ଜୈବ ବିବିଧତା ମହତ୍ତ୍ବକୁ ତୃଣମୂଳସ୍ତରରେ ହୃଦୟଙ୍ଗମ କରି ବିଭିନ୍ନ ସ୍ତରରେ ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରୟାସ ଅତ୍ୟନ୍ତ ଜରୁରୀ। ନ ହେଲେ ଆମେ ଖାଦ୍ୟାଭାବ ଓ ମହାମାରୀ କବଳରୁ ମୁକ୍ତି ପାଇପାରିବା ନାହିଁ। ଗତକାଲିଠାରୁ ଆରମ୍ଭ ହୋଇଥିବା ପରିବେଶ କଂଗ୍ରେସର ଦ୍ୱିତୀୟ ଦିବସରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଅଜୟ ପରିଡ଼ା ଏହା କହିଛନ୍ତି। ‘ଜୈବ ବିବିଧତା, ଖାଦ୍ୟ ନିରାପତ୍ତା ଓ ମହାମାରୀ’ ବିଷୟବସ୍ତୁ ଉପରେ ଆଧାରିତ ବୈଷୟିକ ଅଧିବେଶନରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ ଅଧ୍ୟକ୍ଷତା କରିଥିବା ବେଳେ ସିୱାଇଏସ୍‌ଡିର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ ସହ ଅଧ୍ୟକ୍ଷ ଭାବେ ଯୋଗଦେଇଥିଲେ। ଏହି ଅଧିବେଶନରେ ଓଡ଼ିଶା ପରିବେଶ ସମିତିର ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ, ଚିଲିକା ଉନ୍ନୟନ କର୍ତୃପକ୍ଷର ପୂର୍ବତନ ନିର୍ଦେଶକ ଅଜିତ ପଟ୍ଟନାୟକ, ପୂର୍ବତନ ପରିବେଶ ନିର୍ଦ୍ଦେଶକ ଭାଗିରଥି ବେହେରା, ସସ୍ମିତା ମହାନ୍ତି, ଉତ୍କଳ ରଞ୍ଜନ ମହାନ୍ତି, ଫକୀର ଚରଣ ପ୍ରଧାନ, ପ୍ରଦୀପ୍ତ କୁମାର ନନ୍ଦ, ମିନାକ୍ଷୀ ପାଢୀ, ହରପ୍ରିୟା ସାମନ୍ତରାୟ, ରମା ସାମନ୍ତ ପ୍ରମୁଖ ଯୋଗଦେଇ ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ପରବର୍ତୀ ଅଧିବେଶନରେ କେନ୍ଦ୍ର ସରକାରଙ୍କ ନିର୍ବାଚନ କମିସନଙ୍କ ପୂର୍ବତନ ଉପଦେଷ୍ଟା ଭଗବାନ ପ୍ରକାଶ ଅଧ୍ୟକ୍ଷତା କରିଥିବା ବେଳେ ସହ ଅଧ୍ୟକ୍ଷ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ମିତାଲି ଚିନ୍ନାରା ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପୂର୍ବତନ ଉପଦେଷ୍ଟା ଭିପି ଉପାଧ୍ୟାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅଧିବେଶନରେ ଏ କେ ପଢିହାରୀ, ଏସ ପି ମହାପାତ୍ର, ବାଳ ମୁକୁନ୍ଦ ଦାସ, ନିରଞ୍ଜନ ବେହେରା, ଅନ୍ତର୍ଯ୍ୟାମୀ ପ୍ରଧାନ, ସୋନିକା ସୁମନ ପ୍ରମୁଖ ପ୍ରବନ୍ଧ ଉପସ୍ଥାପନା କରିଥିଲେ। ବର୍ତମାନ ସମୟରେ ଅନେକ ପ୍ରଜାତିର ପ୍ରାଣୀ, କିଟ, ପତଙ୍ଗ, ବିହଙ୍ଗ, ଗଛ ଲତା ଆଦି ବିଲୁପ୍ତ ହୋଇଯାଇଛନ୍ତି। ଏମାନଙ୍କ ବିଲୁପ୍ତି ଆମ ପରିବେଶର ସନ୍ତୁଳନକୁ ପ୍ରତି ମୂହୁର୍ତ୍ତରେ ଆହ୍ୱାନ ଦେଉଛି। ଏମାନଙ୍କ ବିଲୁପ୍ତି ଜୀବଜଗତର ନିରନ୍ତରତା ପ୍ରତି ଆହ୍ୱାନ ସୃଷ୍ଟି କରୁଛି। ଏଥିରୁ ମିକ୍ତି ପାଇଁ ଜୈବ ବିବିଧତାର ସୁରକ୍ଷା ସମସ୍ତଙ୍କର ପ୍ରୟାସ ହେବା ଉଚିତ ବୋଲି ଆଜିର ଅଧିବେଶନଗୁଡ଼ିକରେ ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମକୁ ବି ବି ସାମନ୍ତ, କୁମାରୀ ଅନ୍ୱେଷା ଦାସ, ସନ୍ତୋଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର