ପର୍ଯ୍ୟଟନ ବିନା ଆମର ଅସ୍ତିତ୍ବ ନାହିଁ, ଆସନ୍ତା ପର୍ଯ୍ୟଟନ ଋତୁ ପର୍ଯ୍ୟନ୍ତ ନିସ୍ତାର ନାହିଁ

ଟୁର୍‌ ବାତିଲ କରିଦେଲେଣି ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ବର: ବିଦେଶୀ ପର୍ଯ୍ୟଟକ ଅନଲାଇନ୍‌ ବୁକିଂ ବାତିଲ୍‌ କରି ସାରିଲେଣି। ଆନ୍ତଃଦେଶୀୟ ପର୍ଯ୍ୟଟକ ପର୍ଯ୍ୟଟନ କ୍ଷେତ୍ର ବୁଲିବା କଥା ମନରୁ ପାସୋରି ଦେଲେଣି। ସ୍ଥିତି ଏତେ ସଙ୍ଗିନ ଯେ ୨୦୨୧ ପ୍ରଥମାର୍ଧ ପର୍ଯଟନ ଋତୁ ମଧ୍ୟରେ ଅବସ୍ଥା ସୁଧୁରିବାର କୌଣସି ସମ୍ଭାବନା ନାହିଁ। ଇଣ୍ଡିଆନ ଆସୋସିଏସନ୍‌ ଅଫ୍‌ ଟୁର୍‌ ଅପରେଟର୍ସ ଏଭଳି ଆଶଙ୍କା ବ୍ୟକ୍ତ କରିଥିବା ବେଳେ ଏହି ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ ପ୍ରମାଦ ଗଣିଲେଣି। ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ସମୟ ପର୍ଯ୍ୟଟନ ଋତୁ ହୋଇଥିବା ବେଳେ ଟୁର୍‌ ଅପରେଟର, ଗାଇଡ୍‌, ଡ୍ରାଇଭର, ଫଟୋଗ୍ରାଫର, ରେସ୍ତୋରାଁ ଓ ହୋଟେଲ୍‌ ବ୍ୟବସାୟୀ ଏହି ଋତୁକୁ ପ୍ରତୀକ୍ଷା କରିଥାନ୍ତି। ତେବେ କରୋନା ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି।

ଏଣେ ଟୁର୍‌ ଗାଇଡ୍‌ ଏକ ଅଣସଂଗଠିତ କ୍ଷେତ୍ର ହୋଇଥିବାରୁ କୌଣସି ସରକାରୀ ସାହାଯ୍ୟ ମିଳୁନାହିଁ। ଅନ୍ୟ ସବୁ ଉଦ୍ୟୋଗ ପାଇଁ କିଛି ନା କିଛି ବିକଳ୍ପ ବାଟ ଅଛି। ମାତ୍ର ପର୍ଯ୍ୟଟନ ଶିଳ୍ପରେ କୌଣସି ବିକଳ୍ପ ନାହିଁ। ତେଣୁ ଏକ ଅନିଶ୍ଚିତ ଭବିଷ୍ୟତ ଭିତରେ ବଞ୍ଚିବାକୁ ପଡ଼ୁଛି ବୋଲି ଟୁର୍‌ ବ୍ୟବସାୟ ସହ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷ କହିଛନ୍ତି। ଭାରତ ସରକାରଙ୍କ ଲାଇସେନ୍‌ସପ୍ରାପ୍ତ, ରାଜ୍ୟ ସରକାରଙ୍କ ଲାଇସେନ୍‌ପ୍ରାପ୍ତ ଓ ଜିଲ୍ଲାସ୍ତରରେ; ଏହିଭଳି ୩ ପ୍ରକାରର ଗାଇଡ୍‌ ରହିଥିବା ବେଳେ ଶତାଧିକ ଗାଇଡ୍‌ଙ୍କ ରୋଜଗାରର ପନ୍ଥା ହେଉଛନ୍ତି ପର୍ଯ୍ୟଟକ। ପୁଣି ପଞ୍ଜୀକୃତ ହେବା ବେଳେ ସର୍ତ ଥାଏ ଯେ ସେମାନେ ଅନ୍ୟ କେଉଁଠି କାମ କରିବେ ନାହିଁ। ଫଳରେ ଏବେ ସେମାନଙ୍କ ଜୀବନଧାରଣ ବିପନ୍ନ ହୋଇପଡ଼ିଛି।

ମ୍ୟାଲେରିଆ ଔଷଧ ନେଇ ଆସୁଥିବା ପର୍ଯ୍ୟଟକ କଦାପି କରୋନାରେ ଆସିବେନି
ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଯେବେ ବି ଭାରତର ଭ୍ରମଣ‌ରେ ଆସନ୍ତି, ସେମାନେ ସାଙ୍ଗରେ କଲେରା ଓ ମ୍ୟାଲେରିଆ ଔଷଧ ନେଇ, ନଚେତ୍‌ ପୂର୍ବରୁ ସେବନ କରି ଆସନ୍ତି। ତେଣୁ କରୋନାର ଏ ଭୟାବହ ସ୍ଥିତିରେ ଯେ ସେମାନେ ନିଜ ଜୀବନକୁ ବିପନ୍ନ କରି ଚିତ୍ତ ବିନୋଦନ କରିବାକୁ ଆସି‌ବେ, ତାହା ଭୁଲିଯିବା ଉଚିତ। ପର୍ଯ୍ୟଟକମାନେ ଧୀରେଧୀରେ ଆସନ୍ତା ବର୍ଷର ଟୁର୍‌ ବି ବାତିଲ୍‌ କରୁଛନ୍ତି। ଏହା କେବଳ ହୋଟେଲ୍‌ ନୁହେଁ; ବରଂ ଟୁର୍‌ ଅପରେଟର, ଟୁର୍‌ ଗାଇଡ୍‌, ଟୁର୍‌ ଗାଡ଼ି ଚାଳକମାନଙ୍କୁ ପ୍ରଭୂତ କ୍ଷତି ପହଞ୍ଚାଇଛି। ନିକଟ ଭବିଷ୍ୟତରେ ଏହା ଭରଣା ହେବା ଭଳି ଦେଖାଯାଉ ନାହିଁ। ଏଥିସହ ଯେଉଁ ଟୁର୍‌ ଗାଡ଼ି ଚାଳକମାନେ ନିକଟ ଅତୀତରେ ଗାଡ଼ି କିସ୍ତିରେ ଆଣି ପର୍ଯ୍ୟଟନ କ୍ଷେତ୍ରରୁ ଚଳୁଥିଲେ, ସେମାନଙ୍କ ମାନସିକ ସ୍ଥିତି ଏକଦମ ବିଗିଡ଼ି ଯାଇଛି। ଏହାର କିଛି ବିକଳ୍ପ ବି ନାହିଁ। କେବଳ ଅପେକ୍ଷା କରିବା ଛଡ଼ା କିଛି ଉପାୟ ନାହିଁ।
ମନୋଜ ଭୋଇ (୩୦ ବର୍ଷର ଅଭିଜ୍ଞ ଟୁର୍‌ ଗାଇଡ୍‌)

ସେପ୍ଟେମ୍ବର ସୁଦ୍ଧା ସ୍ବାଭାବିକ ହେଲେ ମଧ୍ୟ ସ୍ଥିତି ସୁଧୁରିବ ନାହିଁ
ଟୁର୍‌ ଗାଇଡ୍‌ମାନଙ୍କର ଏକମାତ୍ର ବିକଳ୍ପ ହେଉଛି ପର୍ଯ୍ୟଟନ କ୍ଷେତ୍ର। ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଗାଇଡ୍‌ମାନେ ପାଖାପାଖି ୨ଲକ୍ଷ ଟଙ୍କା ରୋଜଗାର କରୁଥିବା ବ‌େଳେ ଏହା ହିଁ ସେମାନଙ୍କର ବର୍ଷଯାକର ଗୁଜୁରାଣ ମେଣ୍ଟାଏ। ‌ଏହା ଏକ ସମ୍ବେଦନଶୀଳ ଶିଳ୍ପ। ଭୟ ଥାଇ କେହି କେବେ ବି ବୁଲିବାକୁ ଆସିବେ ନାହିଁ। ଯେତେ ମାଗଣା କି ରିହାତି ଅଫର ଦେଲେ ମଧ୍ୟ କୌଣସି ପର୍ଯ୍ୟଟକ ଆସିବେ ନାହିଁ। ପର୍ଯ୍ୟଟନ କ୍ଷେତ୍ର ବୁଲିବା ପାଇଁ ବିଶେଷକରି ବିଦେଶୀ ପର୍ଯ୍ୟଟକମାନେ ୪ରୁ ୬ମାସ ଆଗରୁ ଯୋଜନା କରନ୍ତି। ତେଣୁ ଯଦି ବି ସେପ୍ଟେମ୍ବର ସୁଦ୍ଧା ସ୍ଥିତି ସ୍ବାଭାବିକ ହୋଇଯାଏ, ତେବେ ବି ଟୁର୍‌ ଗାଇଡ୍‌ମାନେ କିମ୍ବା ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ କାମ ପାଇବେ ନାହିଁ। ୨୦୨୦-୨୧ ପର୍ଯ୍ୟଟନ ଋତୁ ଗଭୀର ଭାବେ ପ୍ରଭାବିତ ହେବ ଏବଂ ଏ କ୍ଷେତ୍ରରେ ବହୁ ବେକାରି ସମସ୍ୟା ବଢ଼ିବ।
ତପନ ମିଶ୍ର (ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାରପ୍ରାପ୍ତ ଟୁର୍‌ ଗାଇଡ୍‌/ଟ୍ରାଭେଲ୍‌ ଫଟୋଗ୍ରାଫର)

ଲେନ୍‌ସ ବନ୍ଦ ପରେ ଦୟନୀୟ ଅବସ୍ଥା
ଧଉଳି ହିଁ ପେଟକୁ ଦାନା ଦେଇଥିଲା। ମାତ୍ର ପର୍ଯ୍ୟଟକଙ୍କ ଭିଡ଼ ବେଳେ ମାର୍ଚ୍ଚ ଅଧାରୁ ପର୍ଯ୍ୟଟନସ୍ଥଳ ବନ୍ଦ ହୋଇଗଲା ପରେ ଜୀବିକା ଅଟକି ଯାଇଛି। ଏଇଥିରୁ ମାସକୁ ପାଖାପାଖି ୧୨ରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଯାଏ। ୨୦ରୁ ଅଧିକ ଫଟୋଗ୍ରାଫରଙ୍କ ଦାନାପାଣି ଏଇଠାରୁ ହିଁ ଯୋଗାଡ଼ ହୁଏ। କ୍ୟାମେରା ଥିଲେ ମଧ୍ୟ ଲୋକେ ଫଟୋଗ୍ରାଫରଙ୍କ କୌଶଳରେ ଫଟୋ ଉଠାଇବାକୁ ଆଗ୍ରହ ପ୍ରକାଶ କରନ୍ତି। କିନ୍ତୁ କରୋନା ସବୁ ବାଟ ବନ୍ଦ କରିଦେଇଛି। ସ୍ଥିତି କେବେ ସ୍ବାଭାବିକ ହେବ ଏବଂ ଆମେ ଧଉଳିକୁ କ୍ୟାମେରା ନେଇ ଫେରିବୁ, କେବଳ ସେଇ ସମୟକୁ ଚାହିଁ ରହିଛୁ। ତେବେ ବାକି ସମୟ କେମିତି ଗୁଜରାଣ ମେଣ୍ଟିବ, ସେ ଚିନ୍ତା ଘାରିଛି।
ପ୍ରଶାନ୍ତ ସ୍ବାଇଁ (ଧଉଳି ଫଟୋଗ୍ରାଫର)

ସମ୍ବନ୍ଧିତ ଖବର