ଭେରାଇଟି ଷ୍ଟୋରର ତାଲା ଭାଙ୍ଗି ନଗଦ ଟଙ୍କା ଓ ସାମଗ୍ରୀ ଚୋରି

ବାଲିପାଟଣା: କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଚୋରଙ୍କ ଉତ୍ପାତ ଥମିବାର ନାଁ ଧରୁନି। ଗତକାଲି ତେରବାଟିଆ ଗ୍ରାମର ସୁରେନ୍ଦ୍ର ପରିଡ଼ାଙ୍କ ଦୋକାନ ତାଲା ଭାଙ୍ଗି ନଗଦ ଟଙ୍କା ଏବଂ ବହୁ ସାମଗ୍ରୀ ଚୋରି ହୋଇଛି। ଚୋରି ସମ୍ପର୍କରେ ଦୋକାନ ମାଲିକ ଆଜି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ତେରବାଟିଆ ଗ୍ରାମର ଶିବ ମନ୍ଦିର ନିକଟରେ ସୁରେନ୍ଦ୍ରଙ୍କ ଭେରାଇଟି ଷ୍ଟୋର ଅଛି। ଗତକାଲି ସେ ରାତି ୧୦ଟାରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳୁ ଦୋକାନ ଖୋଲିବାକୁ ଆସିବା ସମୟରେ ସାମ୍ନା ଲୁହା କବାଟ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ପରେ ଦୋକାନ ଡ୍ରରେ ଥିବା ନଗଦ ୧୫ ହଜାର ଓ ୩ ହଜାର ଟଙ୍କାର କଏନ ଏବଂ ସୋରିଷ ତେଲ ୧ ଲିଟର (୧ ପେଟି ) , ୫ ଶହ ଗ୍ରାମ ( ୧ ପେଟି ) , ରିଫାଇନ ୧ ଲିଟର ( ୨ ପେଟି ) ଓ ୫ ଶହ ଗ୍ରାମ ( ୨ ପେଟି ), ସାବୁନ, ସର୍ଫ ଏବଂ  ବିସ୍କୁଟ ପ୍ରଭୃତି ଚୋରି ହୋଇଛି। ସୁରେନ୍ଦ୍ର ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକଙ୍କ ନାଁ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର