୬୩ ଲକ୍ଷ ଦେଇ ଫସିଲେ ୧୨୬ ଗ୍ରାହକ, ପ୍ରତିଶ୍ରୁତି ପୂରଣ କରୁନି ହାଉସିଂ ବୋର୍ଡ

ଫ୍ଲାଟ୍‌ ନ ପାଇ ସୁଧ ଗଣୁଛନ୍ତି ଲୋକେ, ଫେବ୍ରୁଆରି ୨୮ ସୁଦ୍ଧା ଫ୍ଲାଟ ହସ୍ତାନ୍ତର ‌ହେବ: ହାଉସିଂ ବୋର୍ଡ ଅଧ୍ୟକ୍ଷ

ଖଣ୍ଡଗିରି: ‘ସୁଲଭ ଦରରେ ଘର’। ଓଡ଼ିଶା ହାଉସିଂ ବୋର୍ଡର ଏହି ସ୍ଲୋଗାନରେ ବିଶ୍ବାସ କରି ପ୍ରାୟ ୬୩ ଲକ୍ଷ ଟଙ୍କା ଦେଇ ଫସିଯାଇଛନ୍ତି ୧୨୬ ଗ୍ରାହକ। ୨୦୧୯ ମସିହା ଡିସେମ୍ବର ସୁଦ୍ଧା ଡୁମଡୁମା ଫେଜ-୬ ଅନ୍ତର୍ଗତ ଫ୍ଲାଟ୍‌ ହସ୍ତାନ୍ତର କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିପାଇଁ ଆବଶ୍ୟକ ଟଙ୍କା ପ୍ରଦାନ ସହିତ ଚୁକ୍ତିନାମା ସ୍ବାକ୍ଷରିତ ମଧ୍ୟ ସରିଛି। ହେଲେ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଫ୍ଲାଟ ହସ୍ତାନ୍ତର ହେଉ ନ ଥିବାରୁ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏହାକୁ ନେଇ ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ, ସଚିବ ଏବଂ ବିଶେଷଜ୍ଞ ଦଳଙ୍କ ସହିତ ଆଲୋଚନା ହୋଇଛି। ପ୍ରତ୍ୟେକ ଥର ଫ୍ଲାଟ୍‌ ହସ୍ତାନ୍ତରଣର ନୂତନ ତାରିଖ ଦିଆଯାଉଛି। କିନ୍ତୁ ଠିକ୍‌ ସମୟ ବେଳକୁ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଥିବା କହିଛନ୍ତି ଫ୍ଲାଟ କିଣିଥିବା ବ୍ୟକ୍ତିମାନେ। ଏ ନେଇ ସେମାନେ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସତ୍ତ୍ବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଓଡ଼ିଶା ହାଉସିଂ ବୋର୍ଡ ପକ୍ଷରୁ ଡୁମଡୁମା ଫେଜ-୬ ଫ୍ଲାଟ ନିର୍ମାଣ ଚାଲିଛି। ୩ ପ୍ରକାର ଫ୍ଲାଟ ପାଇଁ ୩ ପ୍ରକାର ଦର। ବ୍ଲକ-ଏ’ର ଟାଇପ-୧ ୩୬ଟି ଫ୍ଲାଟ ପାଇଁ ୬୩ ଲକ୍ଷ ୬୦ ହଜାର, ଟାଇପ-୨ର ୩୬ ଫ୍ଲାଟ ପାଇଁ ୬୧ ଲକ୍ଷ ୮୫ ହଜାର ଟଙ୍କା, ବ୍ଲକ ବି’ର ଟାଇପ-୩ର ୫୪ ଫ୍ଲାଟ ପାଇଁ ୬୧ ଲକ୍ଷ ୯୯ ହଜାର ଟଙ୍କା ଦର ରହିଛି। ନିର୍ଦିଷ୍ଟ ମାନଦଣ୍ଡ ସହିତ ଲଟେରି ଜରିଆରେ ୧୨୬ ଜଣ ଫ୍ଲାଟ ପାଇଥିଲେ। ଏହି ଅନୁସାରେ ୨୦୧୬ ମସିହା ଡିସେମ୍ବର ମାସ ୩୧ ତାରିଖରେ ପ୍ରଥମ କିସ୍ତିରେ ୯ ଲକ୍ଷ ୯୮ ହଜାର ୭୪୯ ଟଙ୍କା ଦିଆଯାଇଥିଲା। ଏହାପରେ ୮ଟି କିସ୍ତିରେ ନିର୍ଧାରିତ ଦର ଏବଂ ସମୟସୀମା ଅନୁସାରେ ସମୁଦାୟ ୬୨ରୁ ୬୩ ଲକ୍ଷ ଟଙ୍କା ସମସ୍ତେ ଦେଇ ସାରିଛନ୍ତି। ପ୍ରତିଶ୍ରୁତି ଅନୁସାରେ ସେମାନଙ୍କୁ ୨୦୧୯ ମସିହା ଡିସେମ୍ବର ମାସ ସୁଦ୍ଧା ଫ୍ଲାଟ ହସ୍ତାନ୍ତର ହୋଇଯିବା କଥା। ଏଥିପାଇଁ ୨୦୧୯ ମସିହା ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତେ ବକେୟା ଦେୟ ପ୍ରଦାନ କାର୍ଯ୍ୟ ସାରି ଦେଇଥିଲେ।

ହାଉସିଂ ବୋର୍ଡର ଚୁକ୍ତିନାମା ଅନୁସାରେ, କୌଣସି କ୍ରେତା ନିର୍ଧାରିତ ସମୟରେ କିସ୍ତି ପ୍ରଦାନ ନ କଲେ ତାଙ୍କୁ ୧୮ ପ୍ରତିଶତ ଅଧିକ ସୁଧ ଦେବାକୁ ପଡ଼ିଥାଏ। ଏପରିକି ଲଗାତାର ୨ ଥର କିସ୍ତି ନଦେଲେ ତାଙ୍କ ଆବଣ୍ଟନ ବାତିଲ ହେବାର ନିୟମ ରହିଛି। ଏଥିଯୋଗୁଁ ଫ୍ଲାଟ କ୍ରୟ ପାଇଁ ଅଧିକାଂଶ ବ୍ୟାଙ୍କରୁ ଋଣ ନେଇ ଗୋଟିଏ ପରେ ଗୋଟିଏ କିସ୍ତି ଦାଖଲ କରିଥିଲେ। ବର୍ତ୍ତମାନ ଫ୍ଲାଟ ହସ୍ତାନ୍ତର ହେଉନଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟାଙ୍କ ଋଣ ବାବଦରେ ଇଏମ୍‌ଆଇ ଓ ସୁଧ କଟିବା ସହିତ ପୂର୍ବବତ ଭଡ଼ା ଦେବାକୁ ପଡ଼ୁଥିବାରୁ ବେତନଭୋଗୀଙ୍କ ପାଇଁ ଘର ଚଳାଇବା କଷ୍ଟକର ହୋଇ ପଡ଼ୁଛି। ଅନେକ ଅବସରପ୍ରାପ୍ତ ଚାକିରି କାଳରେ କରିଥିବା ଜମା ଟଙ୍କାରୁ ଫ୍ଲାଟ କିଣି ସର୍ବସ୍ବାନ୍ତ ହୋଇଛନ୍ତି। ଫ୍ଲାଟ ପାଇବାରେ ବିଳମ୍ବ ହେଉଥିବାରୁ ଚାପଗ୍ରସ୍ତ ହେଉଥିବା କହିଛନ୍ତି।

ହାଉସିଂ ବୋର୍ଡ ପକ୍ଷରୁ ଅହମଦାବାଦ ସ୍ଥିତ କଟାରିଆ କଣ୍ଟ୍ରକସନକୁ ଏହାର ନିର୍ମାଣ କରାଯାଇଛି। ଫ୍ଲାଟରେ ପାଣି, ବିଜୁଳି, ଶୌଚାଳୟରେ ସଂଯୋଗ ଉପକରଣ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏଭଳି ସ୍ଥିତିରେ ଫ୍ଲାଟ ହସ୍ତାନ୍ତର ପରେ ମଧ୍ୟ ଏସବୁ ଘରେ ରହିବା ସହଜ ହେବ ନାହିଁ ବୋଲି ଆଶଙ୍କା କରାଯାଉଛି। ଫ୍ଲାଟ ହସ୍ତାନ୍ତରଣରେ ବିଳମ୍ବ ହେଉଥିବାବେଳେ ସେଥିରେ ପୁଣି ନିମ୍ନମାନର କାର୍ଯ୍ୟ ଅଭିଯୋଗକୁ ହାଉସିଂବୋର୍ଡ ଗୁରୁତ୍ବ ନଦେଲେ ହାଉସିଂ ବୋର୍ଡ ନିଜର ବିଶ୍ବସନୀୟତା ହରାଇବ ବୋଲି ବିଚାର କରାଯାଉଛି। ଏ ନେଇ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି, କରୋନା ଯୋଗୁଁ ୧୦ ମାସରୁ ଊର୍ଧ୍ବ ସମୟ ଧରି ଫ୍ଲାଟ ନିର୍ମାଣ ହୋଇ ପାରିଲା ନାହିଁ। ବର୍ତ୍ତମାନ ଫ୍ଲାଟ ନିର୍ମାଣ କାର୍ଯ୍ୟ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ସମସ୍ତଙ୍କୁ ଫ୍ଲାଟ ହସ୍ତାନ୍ତର କରାଯିବ ବୋଲି ଫ୍ଲାଟ୍‌ କିଣିଥିବା ବ୍ୟକ୍ତିମାନଙ୍କୁ ସୂଚନା ମଧ୍ୟ ଦିଆଯାଇଛି।

ସମ୍ବନ୍ଧିତ ଖବର