ବିଏମ୍‌ସିରେ ଆଉ ୩ ଜୋନ୍‌ ବଢ଼ିବ

ଭୁବନେଶ୍ବର : ବିଏମ୍‌ସିର ଜୋନ୍‌ ସଂଖ୍ୟା ୬କୁ ବୃଦ୍ଧି କରାଯିବ। ଏନେଇ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଗୃହୀତ ହେଲେ ପୂର୍ବରୁ ୩ ଜୋନ୍‌ ବିଶିଷ୍ଟ ଥିବା ବିଏମ୍‌ସିରେ ଜୋନ୍‌ ସଂଖ୍ୟା ହେବ ବୋଲି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ। ଦିନକୁ ଦିନ ବିଏମ୍‌ସିର କଳେବର ବଢ଼ୁଥିବା ବେଳେ ଲୋକଙ୍କୁ ହାତପାହାନ୍ତାରେ ସେବା ଯୋଗାଇଦେବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି।

ଅପରପକ୍ଷେ ବିଏମ୍‌ସି‌ର ୬୭ ୱାର୍ଡ‌‌ରେ ୱାର୍ଡ ଅଫିସ୍‌ କି ୱାର୍ଡ ଅଫିସର୍‌ ନାହାନ୍ତି। ୩ ଜୋନ୍‌ରେ ୩ଜଣ ଜୋନାଲ୍‌ ଡେପୁଟି କମିସନର ମଧ୍ୟ ନାହାନ୍ତି। ୨ଜଣ ଅଫିସର ୩ଟି ଜୋନ୍‌ ସମ୍ଭାଳୁଛନ୍ତି। ଏଭଳି ସ୍ଥିତିରେ ଆଉ ତିନି ଜୋନ୍‌ କିପରି କାମ କରିବ ବୋଲି ଅନେକେ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ ମେୟର୍‌ କହିଛନ୍ତି ଯେ ସେ ଦାୟିତ୍ବ ନେବା ପରେ ପ୍ରତି ୱାର୍ଡରେ ୱାର୍ଡ ଅଫିସ୍‌ ହେବା ଓ ପ୍ରତି ୱାର୍ଡରେ ୱାର୍ଡ ଅଫିସର ନିଯୁକ୍ତ ହେବାକୁ ଗୁରୁତ୍ବ ଦିଆଯାଇଛି। କାମ ଜୋର୍‌ସୋର୍‌ରେ ଚାଲିଛି। ଯେଉଁଠି ସରକାରୀ ଜାଗା ଅଛି, ସେଠାରେ ୱାର୍ଡ ଅଫିସ୍‌ ବିଲ୍‌ଡିଂ ହେବ। ଯେଉଁଠି ନାହିଁ କିମ୍ବା ସମସ୍ୟା ହେଉଛି, ସେଠାରେ ଭଡ଼ା ସୂତ୍ରରେ ଘର ନିଆଯିବ। ଆଗକୁ ନୂଆ ଜୋନ୍‌ ହେଲେ, ସେଥିରେ ଅଫିସର ନିଯୁକ୍ତି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବାରେ ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର