ରାଜଧାନୀରେ ଖୋଲିବ ଆଉ ୩ ମାଛ ମାର୍କେଟ୍‌: ପୁରୁଣା ୪ଟି ବଜାର ନେବ ନୂଆ ରୂପ

ଜାଗା ପାଇଁ ଜିଏକୁ ଚିଠି ଲେଖିବ ବିଏମ୍‌ସି

ଭୁବନେଶ୍ବର: ରାଜଧାନୀରେ ସବୁଠାରୁ ପୂତିଗନ୍ଧମୟ ପରିବେଶ ହେଉଛି ମାଛ ମାର୍କେଟ୍‌। ଗ୍ରାହକ ଯେଉଁଠି ଛିଡ଼ା ହେବେ, ସେଠାରେ ଦୁର୍ଗନ୍ଧ ପାଣି ଭାସୁଥିବ। ମାର୍କେଟ୍‌ ସାରା ମାଛ, କୁକୁଡ଼ା ଓ ଛେଳିରୁ ବାହାରୁଥିବା ଜୈବିକ ଆବର୍ଜନା। ମାଛ ବେପାରୀ କେତେବେଳେ ଗଛ ମୂଳେ ବସିଲେଣି ତ’ କେତେବେଳେ ରାଜପଥ କଡ଼ରେ। ଏଭଳି ଅବ୍ୟବସ୍ଥିତ ମାଛ ମାର୍କେଟ୍‌ରେ ସୁଧାର ଆଣିବାକୁ ଉଦ୍ୟମ କରିଛି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ। ରାଜଧାନୀରେ ଆଉ ନୂଆ ୩ଟି ମାଛ ମାର୍କେଟ୍‌ ଖୋଲିବା ସହ ଯେଉଁ ୪ଟି ପୁରୁଣା ମାଛ ମାର୍କେଟ୍‌ ରହିଛି, ତାହାର ଉନ୍ନତୀକରଣ କରିବାକୁ ବିଭାଗ ଯୋଜନା କରିଛି। ଏଥିପାଇଁ ମାଛ ବେପାରୀ, ବଜାର ପାଇଁ ଜାଗା ପ୍ରଭୃତିକୁ ନେଇ ଏକ ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଭାଗ ବିଏମ୍‌ସିକୁ ଚିଠି ଲେଖିଥିଲା। ଚିଠିକୁ ଆଧାର କରି ବିମ୍‌ସି ଜାଗା ଚିହ୍ନଟ କରିବା ସହ ବେପାରୀଙ୍କ ତାଲିକା କରିଛି। ଜାଗା ପାଇଁ ଖୁବ୍‌ଶୀଘ୍ର ସାଧାରଣ ପ୍ରଶାସନ ବିଭାଗକୁ ବିଏମ୍‌ସି ଚିଠି ଲେଖିବ ବୋଲି ଜଣାପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ଅତି କମ୍‌ରେ ତିନୋଟି ମାଛ ମାର୍କେଟ୍‌ ଖୋଲିବାକୁ ସ୍ଥିର ହୋଇଛି। ପରେ ଆବଶ୍ୟକତାକୁ ଆଖି ଆଗରେ ରଖି ଅଧିକ ଖୋଲାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ବଜାର ପାଇଁ ବିଭାଗ ସମସ୍ତ ଖର୍ଚ୍ଚ ବହନ କରିବ। ବିଏମ୍‌ସି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବ ବୋଲି ନିଷ୍ପତ୍ତି ହୋଇଛି।

ନୂଆ ବଜାର ପାଇଁ ରସୁଲଗଡ଼, ବଡ଼ଗଡ଼ ଓ ୟୁନିଟ୍‌-୪ ଅଞ୍ଚଳରେ ଜାଗା ଚିହ୍ନଟ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ବୀକୃତି ମିଳିଲେ ଏହି ଜାଗାରେ ନୂଆ ବଜାର ନିର୍ମାଣ ହେବ। ଗୋଟିଏ ବଜାରରେ ଶହେରୁ ଊର୍ଦ୍ଧ୍ବ ବ୍ୟବସାୟୀ ବସିବା ଭଳି ଯୋଜନା ରହିଛି। ସେହିଭଳି ପୁରୁଣା ବଜାରଗୁଡ଼ିକର ଉନ୍ନତୀକରଣ ପାଇଁ ସ୍ଥିର ହୋଇଛି। ନୂଆ ବଜାର ତିଆରି ହେବା ପୂର୍ବରୁ ଏହି ପୁରୁଣା ବଜାରରେ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ କରାଇବାକୁ ସ୍ଥିର କରାଯାଇଛି। ପୁରୁଣା ବଜାରରେ ନିରବଚ୍ଛିନ୍ନ ପାଣି ଯୋଗାଣ, ବର୍ଜ୍ୟବସ୍ତୁ ପରିଚାଳନା, ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା, ଗ୍ରାହକ ଚଲାବୁଲା କରିବା ପାଇଁ ଉପଯୁକ୍ତ ଜାଗା ପାଇଁ ବ୍ୟବସ୍ଥା ହେବ। ବେପାରୀମାନେ ବଜାର ଛାଡ଼ି ଯେଭଳି ଗଛମୂଳେ, ରାସ୍ତା କଡ଼ରେ, ଜନବସତି ପାଖରେ ନ ବସିବେ, ସେଥିପାଇଁ ବିଏମ୍‌ସି ନଜର ରଖିବ। ସେଭଳି କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଉଲ୍ଲେଖଯୋଗ୍ୟ, ମାଛ ବେପାରୀମାନେ ଅବ୍ୟବସ୍ଥିତ ଢଙ୍ଗରେ ବସିବା ସହ ମାଛ ବଜାରରେ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ନଥିଲା। କୋଭିଡ୍‌ ସମୟରେ ପରିସ୍ଥିତି ଆହୁରି ଉତ୍କଟ ହୋଇଥିଲା। ମାଛ ବ୍ୟବସାୟୀମାନେ ସହରରେ ଏଣେତେଣେ ବସି ବେପାର କରିବା ସହ ଆବର୍ଜନା ଫିଙ୍ଗିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ବିଏମ୍‌ସି ଏ ଦିଗରେ କୌଣସି ବ୍ୟବସ୍ଥା କରୁନଥିଲା। ଏଣୁ ବିଏମ୍‌ସି ଅଞ୍ଚଳରେ ଥିବା ମାଛମାର୍କେଟ୍‌କୁ ଉନ୍ନତ କରିବା ସହ ଆଉ ୩ଟି ମାର୍କେଟ୍‌ ଖୋଲିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର