ଶିବ ବିବାହ, ଶୀତଳଷଷ୍ଠୀ ନୀତି ନିର୍ଘଣ୍ଟ, ରାତି ୧୨ରୁ ସାଢ଼େ ୪ଟା ମଧ୍ୟରେ ବିବାହ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ଏନେଇ ସେବାୟତମାନଙ୍କ ସହ ଆଲୋଚନା କରାଯାଇ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଅରୁଣ କୁମାର ବେହେରାଙ୍କ ଅନୁମୋଦନ କ୍ରମେ ନୀତି ନିର୍ଧାରଣ ଘୋଷଣା କରାଯାଇଛି। ଯାତ୍ରାର ନୀତି ନିର୍ଘଣ୍ଟ, ଯାତ୍ରା ପାଇଁ ରାସ୍ତା, ଡ୍ରେନ୍, ପିଇବା ପାଣି, ବିଦ୍ୟୁତ୍ ଯୋଗାଣ ଓ ସେବାୟତଙ୍କ ନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ଜୁନ୍‌ ୭ ତାରିଖରେ ଶିବ ବିବାହ ଓ ୮ ତାରିଖରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ। ବିବାହ ପାଇଁ ଠାକୁର ରାତି ସାଢ଼େ ୯ଟା ୧୨ଟା ସୁଦ୍ଧା ବରାନୁଗମନ କରିବେ। ରାତି ୧୨ଟାରୁ ସାଢ଼େ ୪ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ। ସେହିପରି ୮ ତାରିଖ ରାତି ସାଢ଼େ ୯ରୁ ଶୀତଳଷଷ୍ଠୀ ଯାତ୍ରା ପାଇଁ କେଦାରଗୌରୀ ମନ୍ଦିରରୁ ନବଦମ୍ପତି ବାହାରିବେ ବୋଲି ସ୍ଥିର ହୋଇଛି। ଯାତ୍ରା ପାଇଁ କେଦାରଗୌରୀ ମନ୍ଦିରକୁ ସଫା କରିବା ଓ ବଡ଼ଦାଣ୍ଡ ଶୀତଳଷଷ୍ଠୀ ରାସ୍ତାରେ ଡ୍ରେନ ସ୍ଲାବ୍‌ ପକାଇବା, ଠାକୁରଙ୍କ ଯିବା ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବାକୁ ବିଏମ୍‌ସିକୁ ଚିଠି ଲେଖାଯିବ। ପିଏଚ୍‌ଡି ପକ୍ଷରୁ ୪ଟି ଛକରେ ପାଣି ଟାଙ୍କି ରଖିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ସେହି ଦୁଇ ଦିନ ବିଦ୍ୟୁତ୍ ନ କାଟିବାକୁ ସେସୁକୁ ଚିଠି ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଯାତ୍ରାରେ ଯେଉଁ ସେବାୟତମାନେ ସୂଚାରୁରୂପେ ସେମାନଙ୍କ ଦାୟିତ୍ବ ସମ୍ପନ୍ନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା। ସେହିପରି ଯାତ୍ରାର ଦୁଇ ଦିନ ଆଇନଶୃଙ୍ଖଳା ବ୍ୟବସ୍ଥା ପାଇଁ ପୁଲିସ ବିଭାଗକୁ ଚିଠି ଲେଖାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ସେପଟେ କେଦାର ମନ୍ଦିରରେ ଠାକୁରଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। କେଦାରଗୌରୀ ଡେଭେଲପମେଣ୍ଟ କମିଟି ପକ୍ଷରୁ ମନ୍ଦିରକୁ ରଙ୍ଗ କାମ କରାଯିବା ସହ ବେଦୀକୁ ସଜା ଯିବ। ମନ୍ଦିର ପରିସରରେ ଥିବା ଦୁଇଟି ପୁଷ୍କରିଣୀକୁ ଦୁଇ ଦିନ ମଧ୍ୟରେ ସଫେଇ କରାଯିବ ବୋଲି କମିଟିର ସଭାପତି ନରେନ୍ଦ୍ର ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର