ଆଜି ପ୍ରଥମ କର୍ପୋରେସନ ବୈଠକ: ମୁଖ୍ୟ ପ୍ରସଙ୍ଗ ହେବ ଡେଙ୍ଗୁ

ଭୁବନେଶ୍ୱର: ବିଏମ୍‌ସି ଅଫିସ୍‌ରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ପ୍ରଥମ କର୍ପୋରେସନ୍‌ ବୈଠକ ବସିବାକୁ ସ୍ଥିର ହୋଇଛି। ନୂଆ କରି ଜିତିଥିବା କେତେକ କର୍ପୋରେଟର୍‌ଙ୍କ ସହ ପ୍ରଥମ ମହିଳା ମେୟର ସୁଲୋଚନା ଦାସଙ୍କ ପାଇଁ ଏହା ପ୍ରଥମ ବୈଠକ ହେବ। କେତେକ ପୁରୁଣା କର୍ପୋରେଟର୍‌ ଦୀର୍ଘ ତିନି ବର୍ଷ ପରେ ଏଭଳି ବୈଠକରେ ଯୋଗ ଦେବେ। ଏଣୁ ସମସ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଆସନ୍ତାକାଲି ବିରୋଧୀ ବିଭିନ୍ନ ପ୍ରସଙ୍ଗ ନେଇ ମେୟରଙ୍କୁ ଘେରିବାକୁ ଯାଉଥିବା ବେଳେ ବିଏମ୍‌ସି ପକ୍ଷରୁ ଏକ ଏଜେଣ୍ଡା ଧାର୍ଯ୍ୟ ହୋଇଛି। କିନ୍ତୁ ଏଜେଣ୍ଡା‌ରେ ନଥିବା ଡେଙ୍ଗୁ ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି। ଏହାକୁ ନେଇ କେତେକ କର୍ପୋରେଟର୍‌ ବିଏମ୍‌ସିର ଦୁର୍ବଳ ମୁକାବିଲାକୁ ଟାର୍ଗେଟ୍‌ କରିବେ ବୋଲି ଜଣାପଡ଼ିଛି।

ଏଜେଣ୍ଡାରେ ଡ୍ରେନ୍‌ ଓ ପରିମଳ ବ୍ୟବସ୍ଥା ମୁଖ୍ୟ ରହିଛି। ବର୍ଷାଋତୁ ଆସୁଥିବାରୁ ଶତପ୍ରତିଶତ ଡ୍ରେନ୍‌ ସଫେଇ ଜରୁରୀ ହୋଇଛି। ଏଣୁ ପ୍ରତ୍ୟେକ ଡ୍ରେନ୍‌ ଯେଭଳି ସଫେଇ ହେବ, ତାହା କର୍ପୋରେଟର୍‌ମାନେ ହିଁ ନିଶ୍ଚିତ କରିବେ। ନିଜ ନିଜ ୱାର୍ଡରେ ଯଦି ଶତପ୍ରତିଶତ ସଫେଇ ହୁଏ, ତେବେ ସମଗ୍ର ବିଏମ୍‌ସି ଅଞ୍ଚଳରୁ ଜଳ ନିଷ୍କାସନ ସମ୍ଭବ ହୋଇପାରିବ। ଏଣୁ ବୈଠକରେ ଏ ନେଇ ଆଲୋଚନା ହେବ। ଭତ୍ତା ଆଉ ଏକ ମୁଖ୍ୟ ପ୍ରସଙ୍ଗ ହେବ। ଏବେ ଭତ୍ତା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ କରାଯାଇଛି। ନଗଦ ଟଙ୍କା ବାଣ୍ଟିବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। କିନ୍ତୁ ଏଭଳି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନେ ବ୍ୟାଙ୍କ୍‌ ଆକାଉଣ୍ଟ, ପାସ୍‌ବୁକ୍‌, ଏଟିଏମ୍‌ ବାବଦରେ ସମ୍ପୂର୍ଣ୍ଣ ଅଜ୍ଞ ରହିଛନ୍ତି। ଫଳରେ ଆକାଉଣ୍ଟକୁ ପଇସା ଆସୁଥିଲେ ମଧ୍ୟ ଅନେକେ ଜାଣି ପାରୁନାହାନ୍ତି। ଆ‌ଉ କାହାକୁ ବୁଝିବାକୁ ପାସ୍‌ବୁକ୍‌ ଦେଇ ଠକେଇର ଶିକାର ହେଉଛନ୍ତି। ଅନେକ ସମୟରେ ଏମାନେ କର୍ପୋରେଟରଙ୍କ ଦ୍ବାରସ୍ଥ ହେଉଛନ୍ତି। ସେହିଭଳି ମହାଯାତ୍ରା ଗାଡ଼ି ମଧ୍ୟ ଅନ୍‌ଲାଇନ୍‌ରେ ବୁକିଂ ହେଉଛି। ବସ୍ତି ଭିତରେ କେହି ରାତି ଅଧ‌ରେ ପ୍ରାଣ ହରାଇଲେ, ଏହି ଗାଡ଼ି ବୁକିଂ କରିବାକୁ ସେମାନେ ନାକେଦମ୍‌ ହେଉଛନ୍ତି ଓ କର୍ପୋରେଟରଙ୍କ ଦୁଆରେ ପହଞ୍ଚୁଛନ୍ତି। ଏଣୁ ଏହାକୁ କିଭଳି ସରଳୀକରଣ କରାଯାଇ ପାରିବ ସେ‌ ନେଇ ବୈଠକରେ ଆଲୋଚନା ହେବ।

ଅନ୍ୟପଟେ ପରିମଳ ବ୍ୟବସ୍ଥାରେ ସୁଧାର ଆସି ପାରୁନାହିଁ। ୬୭ ୱାର୍ଡକୁ ୧୦ଟି ଜୋନ୍‌ ବ୍ୟବସ୍ଥା କରି ସଫେଇ କରିବାକୁ ସ୍ଥିର କରାଯାଇଥିଲେ ମଧ୍ୟ ପ୍ରସଙ୍ଗ ଅଦାଲତୀ ଲଢ଼େଇରେ ଫସି ରହିଛି। ଏଣୁ ବିଏମ୍‌ସି କୌଣସି ନିଷ୍ପତ୍ତି ନେଇ ପାରୁନାହିଁ। ଏହାକୁ ନେଇ କ’ଣ ବାଟ ବାହାର କରିହେବ, ସେ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ବିଏମ୍‌ସିକୁ ସାଧାରଣ ପ୍ରଶାସନ ବିଭାଗ ଅନେକ ଜାଗା ଦେଇଛି। ବିଭିନ୍ନ ସମୟରେ ବିଏମ୍‌ସି ବିଭିନ୍ନ ପ୍ରକଳ୍ପରୁ ଜାଗା ଫେରାଇ ଆଣି ନିଜ ପାଖରେ ରଖିଛି। ହେଲେ କେତେ ଜାଗା ଅଛି? କିଏ କେଉଁଠି ମାଡ଼ି ବସିଛି? ଏ ନେଇ କୌଣସି ହିସାବ କିମ୍ବା ଲ୍ୟାଣ୍ଡ ବ୍ୟାଙ୍କ୍‌ ମଧ୍ୟ ନାହିଁ। ମାମଲା କୋର୍ଟରେ ଗଡ଼ୁଥିଲେ ମଧ୍ୟ ନା ବିଏମ୍‌ସି ନା ଜିଏ, କେହି କୋର୍ଟ ଯାଉନାହାନ୍ତି। ଏଣୁ ଜବରଦଖଲକାରୀ ବର୍ଷବର୍ଷ ଧରି ମୂଲ୍ୟବାନ୍‌ ଜମି ଉପଭୋଗ କରୁଛି। ଗୋଟିଏ କ୍ଲିକ୍‌ରେ କେଉଁ ଜମି କାହା ପାଖରେ ଅଛି, ସେ ବିଷୟରେ ଜାଣିବା ପାଇଁ ବା ଏହି ଜମିଗୁଡ଼ିକୁ ବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହେବ। ଏହା ବାଦ୍‌ ଯାନ୍ତ୍ରିକ ସଫେଇ ବ୍ୟବସ୍ଥାକୁ ଆଉ କିଛି ଅଞ୍ଚଳକୁ ପରିବର୍ଦ୍ଧିତ କରିବା, କର୍ମଚାରୀଙ୍କୁ ଏରିୟର ପ୍ରଦାନ କରିବା, ଷ୍ଟ୍ରିଟ୍‌ ଲାଇଟ୍‌ ପ୍ରଭୃତି ଉପରେ ଆଲୋଚନା ହେବାକୁ ସ୍ଥିର କରାଯାଇଛି।

ସମ୍ବନ୍ଧିତ ଖବର