ପୂଜା ପାଇଁ ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ

ଭୁବନେଶ୍ବର : ପୂଜା ପାଇଁ ସଜେଇ ହୋଇଛି ରାଜଧାନୀ। ମଣ୍ଡପରେ ମା’ଙ୍କ ଦର୍ଶନ ଲାଗି ଭିଡ଼ ଆରମ୍ଭ ହୋଇଛି। ଗହଳି ଦିନବେଳାରୁ ଆରମ୍ଭ ହୋଇ ସଂଧ୍ୟାରେ ଅସମ୍ଭାଳ ହୋଇପଡ଼ିଛି। ଟ୍ରାଫିକ ପୁଲିସ ମଧ୍ୟ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ନୟାନ୍ତ ହୋଇଯାଇଛନ୍ତି। ଗୋଟିଏ ଛକରୁ ଆଉ ଗୋଟିଏ ଛକକୁ ଯିବା ଲାଗି ଅତି କମ୍‌ରେ ଅଧଘଣ୍ଟା ଲାଗୁଛି। ବିଶେଷକରି ବଡ଼ ବଡ଼ ପୂଜାମଣ୍ଡପ ନିକଟରେ ଗହଳି ଉଭୟ ଶ୍ରଦ୍ଧାଳୁ ଓ ପଥଚାରୀଙ୍କୁ ନାକେଦମ୍‌ କରୁଛି। ରସୁଲଗଡ଼, ନୂଆପଲ୍ଲୀ, ଝାରପଡ଼ା, ପୁରଣା ଷ୍ଟେସନ ବଜାର, ସହିଦନଗର ପୂଜାମଣ୍ଡପ ନିକଟରେ ଏଭଳି ଅବସ୍ଥା। ପୂଜା ସମୟରେ ରାଜଧାନୀରେ ସୃଷ୍ଟି ହେବାକୁ ଥିବା ଟ୍ରାଫିକ୍‌ ଜାମ ପରିସ୍ଥିତିର ମୁକାବିଲା କରିବା ଲାଗି ‘ମୋ ବସ’ ଚଳାଚଳକୁ ଦିନ ୨ଟା ପରେ ବନ୍ଦ କରାଯାଇଛି। ସେହିପରି ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଆଗରେ ଏସପିଓଙ୍କୁ ମଧ୍ୟ ନିଯୁକ୍ତି ମିଳିଛି। ଏହା ଛଡ଼ା ପୂଜାମଣ୍ଡପ ସମ୍ମୁଖରେ ଏସପିଓମାନେ ମଧ୍ୟ ଟ୍ରାଫିକ ପରିଚାଳନା କରୁଛନ୍ତି। କିନ୍ତୁ ଭିଡ଼ କମିବାର ନାହିଁ। ଆସନ୍ତାକାଲି ଓ ଦଶହରା‌ରେ ଭିଡ଼ ବଢ଼ିବାର ଅଧିକ ସମ୍ଭାବନା ରହିଛି।

ମା’ ଦୁର୍ଗାଙ୍କ ପୂଜା ସହ ବଡ଼ ବଡ଼ ତୋରଣ ସାଙ୍ଗକୁ ସୁନା ଓ ଚାନ୍ଦିର ମେଢ଼ ଦେଖିବାକୁ ସ୍ମାର୍ଟ ସିଟିରେ ଭକ୍ତଙ୍କର ଗହଳି ବଢୁଛି। ଯେଉଁଥିପାଇଁ ରାଜଧାନୀର ରାଜରାସ୍ତାରେ ଘଣ୍ଟା ଘଣ୍ଟା ଧରି ଜାମ ଲାଗି ରହୁଛି। ବାଣୀବିହାର ଛକରୁ ରସୁଲଗଡ଼ ଛକକୁ ୪୦ ମିନିଟ ଲାଗୁଛି। ପୂଜାମଣ୍ଡପ ଛଡ଼ା ରାଜଧାନୀର ବିଭିନ୍ନ ସପିଂ ମଲ, ୟୁନିଟ-୨ ମାର୍କେଟ, ୧ ନମ୍ବର ମାର୍କେଟରେ ମଧ୍ୟ ଅସମ୍ଭବ ଗହଳି ଲାଗି ରହିଛି।

ଏ ସମ୍ପର୍କରେ ଟ୍ରାଫିକ ଏସିପି କିଶୋର ପାଣିଗ୍ରାହୀ କହିଛନ୍ତି, ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ କମିସନରେଟ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁଠି ଜାମ ହୋଇଥିବା ଖବର ଆସୁଛି ସେଠାରେ ଟ୍ରାଫିକ ପୁଲିସ ପକ୍ଷରୁ ଷ୍ଟ୍ରାଇକିଂ ଫୋର୍ସ ଘଟଣାସ୍ଥଳରେ ପହଞ୍ଚୁଛନ୍ତି।

ସମ୍ବନ୍ଧିତ ଖବର