ରାଜପଥ ଡିଭାଇଡର୍‌ରୁ ଗଛ ଉଭାନ୍‌

ଚନ୍ଦ୍ରଶେଖରପୁର: ରାଜଧାନୀରେ ରାଜପଥ ସୌନ୍ଦର୍ଯ୍ୟୀକରଣ ପାଇଁ ଡିଭାଇଡରରେ ବିଭିନ୍ନ କିସମର ଗଛ ଲଗାଯାଉଛି। ପ୍ରତିବର୍ଷ ଏବାବଦରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ମାତ୍ର ପ୍ରତିବର୍ଷ ବି ଏହି ଗଛଗୁଡ଼ିକ ଉଭାନ୍‌ ହୋଇଯାଉଛି। କେତେବେଳେ ଉପଯୁକ୍ତ ଯତ୍ନ ଓ ରକ୍ଷଣାବେକ୍ଷଣ ଅଭାବରୁ ଗଛ ମରିଯାଉଛି ତ କେତେବେଳେ ବୁଲା ଗୋରୁଗାଈଙ୍କ ମୁହଁରେ ଯାଉଛି। ଫଳରେ ରାଜପଥର ସୌନ୍ଦର୍ଯ୍ୟୀକରଣ ଏକପ୍ରକାର ପ୍ରହସନରେ ପରିଣତ ହେଉଛି।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜୟଦେବବିହାର-ନନ୍ଦନକାନନ ରାସ୍ତାର ସୌନ୍ଦର୍ଯ୍ୟୀକରଣ ପାଇଁ ଡିଭାଇଡରରେ ପ୍ରତିବର୍ଷ ହଜାର ହଜାର ଚାରା ଲଗାଯାଉଛି। ଏଥିରେ ବିଭିନ୍ନ ପ୍ରକାରର ଔଷଧୀୟ ଓ ଫୁଲ ଗଛ ରହୁଛି। କିନ୍ତୁ ବର୍ଷା ଦିନ ପରେ ଗଛସବୁ ଉଭାନ୍‌ ହୋଇଯାଉଛି। ପରବର୍ତ୍ତୀ ଖରାଦିନ ବେଳକୁ ଗଛସବୁ ରହୁନାହିଁ। ଜୟଦେବବିହାର ଛକରୁ ଆରମ୍ଭ କରି ନାଲ୍‌କୋ ଛକ, କାନନବିହାର, ଡମଣା, ପଟିଆ, କିଟ୍ ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଡିଭାଇଡରରେ କନିଅର, ଟଗର, ଚମ୍ପା, ସେବତୀ, ମାଳତୀ, ହେନା, ମନ୍ଦାର, ପଳାଶ, ଦୁଦୁରା ପରି ଫୁଲ ଗଛ ଓ ବହୁ କିସମର ଔଷଧୀୟ ଗଛ ଲଗାଯାଇଥିଲା। ବର୍ତ୍ତମାନ ସେହି ଗଛଗୁଡ଼ିକ ଆଉ ନାହିଁ।

କିଛି କିଛି ସ୍ଥାନରେ ଅଳ୍ପ ଗଛ ଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ସେଥିରୁ ବହୁ ଗଛ ମରିବାକୁ ବସିଲାଣି। ଠିକ ଭାବେ ପାଣି ଦିଆଯାଉନଥିବା ବେଳେ ଗଛ ମୂଳରେ ମାଟି ଦିଆଯାଉନଥିବାରୁ ଏଭଳି ସ୍ଥିତି ଉପୁଜୁଛି। ଗଛ ଲଗାଇବାଠାରୁ ଯତ୍ନ ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସବୁପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କର୍ମଚାରୀମାନଙ୍କ ଅବହେଳାରୁ କିଛି ଫଳପ୍ରଦ ହେଉନାହିଁ। ଏବେ ଏହି ରାସ୍ତାରେ ବହୁ ସ୍ଥାନ ଫାଙ୍କା ହୋଇଗଲାଣି। ଆଉ କିଛିଦିନ ପରେ ଡିଭାଇଡର ସମ୍ପୂର୍ଣ୍ଣ ଫାଙ୍କା ହୋଇଯିବ। ବଡ଼ କଥା ହେଉଛି ଗଛଗୁଡ଼ିକର ସୁରକ୍ଷା ପାଇଁ ଡିଭାଇଡରରେ ଲଗାଯାଇଥିବା ଲୁହା ବାଡ଼ ବା ଗୋବାରଣ ବହୁ ସ୍ଥାନରୁ ଚୋରି ହୋଇଗଲାଣି।

ଫଳରେ ଯେତିକି ବି ଗଛ ରହୁଛି, ତାହା ବୁଲା ଗୋରୁଗାଈଙ୍କ ଆହାର ପାଲଟିଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗଛ ଲଗାଯାଉଛି, କିନ୍ତୁ ଯତ୍ନ ନେବାକୁ କେହି ନାହିଁ। ମନ ହେଲେ କର୍ମଚାରୀମାନେ ୧୫ଦିନରେ ଥରେ ପାଣି ଦେଉଛନ୍ତି। କେବେ ବି ଗଛ ମୂଳରେ ମାଟି ଦିଆଯାଉନାହିଁ। ଗୋବାରଣ ଚୋରି ହୋଇଗଲେ, ଆଉ ନୂଆ ଲଗାଯାଉନାହିଁ। ଏନେଇ ବିଡିଏର ଅଧିକାରୀଙ୍କ କହିବା କଥା ଗଛଗୁଡ଼ିକର ଅଧିକ ଯତ୍ନ ନିଆଯାଇଛି। କିନ୍ତୁ ଗୋବାରଣ ଚୋରି ହେଉଥିବାରୁ ବୁଲା ଗୋରୁଗାଈ ଗଛ ନଷ୍ଟ କରିଦେଉଛନ୍ତି। ରାତିରେ କିଛି ଲୋକ ମଧ୍ୟ ଗଛ ଉପାଡ଼ି ନେଇଯାଉଛନ୍ତି।

ସମ୍ବନ୍ଧିତ ଖବର