ଯୁବକଙ୍କୁ ନିର୍ଧୁମ୍‌ ଛେଚି ଲୁଟ୍‌, ୨ ଗିରଫ

ବାଲିପାଟଣା : ଯୁବକଙ୍କୁ ନିର୍ଧୁମ୍‌ ଛେଚି ତାଙ୍କଠାରୁ ୨ଟି ଦାମୀ ମୋବାଇଲ୍‌, ଟଙ୍କା ଓ ଏଟିଏମ୍‌ କାର୍ଡ ଛଡ଼ାଇ ନେବା ଅଭିଯୋଗରେ ବାଲିପାଟଣା ଥାନା ପୁଲିସ ଗତକାଲି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବେଙ୍ଗବତୀ ଗ୍ରାମର ଶେଖ ଜବାର୍‌ (୨୫) ଓ ଜିକ୍ରେନ୍‌ ଶାହ ଓରଫ ଜଙ୍ଗଲୀ (୨୭)। ସେମାନଙ୍କଠାରୁ ଲୁଟ୍‌ ସାମଗ୍ରୀ ଜବତ ହୋଇଛି। ଶନିବାର ଦିନ ପୁଲିସ୍‌ ସେମାନଙ୍କୁ କୋର୍ଟଚାଲାଣ କରିଛି।

ପୁଲିସ୍‌ ସୂଚାନୁସାରେ, ଗତ ଗୁରୁବାର ଆଠଗଡ଼ର ହରକୃପା ମହାନ୍ତି ଏବଂ ଅନୁଗୁଳର ଆନନ୍ଦ ବନମାଳିପୁରସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥି‌ଲେ। ସଂଧ୍ୟା ପ୍ରାୟ ୭ଟାରେ ସେମାନେ ଘରକୁ ଫେରୁଥିବା ବେଳେ ଧାନହରା ଛକ ନିକଟରେ ସେମାନଙ୍କ ଗାଡ଼ିରୁ ପେଟ୍ରୋଲ ସରି ଯାଇଥିଲା। ହରକୃପା ପେଟ୍ରୋଲ ପାଇଁ ନିକଟସ୍ଥ ଟାଙ୍କିକୁ ଯାଇଥିବା ବେଳେ ଆନନ୍ଦ ଗାଡ଼ି ପାଖରେ ଫୋନ୍‌ରେ କଥା ହେଉଥିଲେ। ଏହି ସମୟରେ କିଛି ଯୁବକ ତାଙ୍କ ପାଖ‌ରେ ଅଟକିଥିଲେ। ଆନନ୍ଦ କିଛି କହିବା ଆଗରୁ ସେମାନେ ତାଙ୍କୁ ଜୋରଜବରଦସ୍ତ ଗାଡ଼ିରେ ଏକ ଅନ୍ଧାରିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କଠାରୁ ୨ଟି ଦାମୀ ମୋବାଇଲ, ଅଢ଼େଇ ହଜାର ଟଙ୍କା, ଏଟିଏମ୍‌ ଛଡ଼ାଇ ନେଇଥିଲେ।

ସମ୍ବନ୍ଧିତ ଖବର