ୟୁନିଟ୍‌-୬ ଖେଳ ପଡ଼ିଆରେ ଶୌଚାଳୟ ନିର୍ମାଣ ବନ୍ଦ ଦାବି

ସୁରକ୍ଷା ସମିତିର ବିକ୍ଷୋଭ

ଭୁବନେଶ୍ବର: ୟୁନିଟ୍‌-୬ ହାଇସ୍କୁଲ ଖେଳପଡ଼ିଆରେ ଶୌଚାଳୟ ଓ ବେଆଇନ ପାଚେରି ନିର୍ମାଣ ବନ୍ଦ କରିବା ଦାବିରେ ଆଜି ଖେଳପଡ଼ିଆ ସୁରକ୍ଷା ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମିତି ସହ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହି ବିକ୍ଷୋଭରେ ସାମିଲ ହୋଇ ନିର୍ମାଣ କାର୍ଯ୍ୟ କରୁଥିବା କମ୍ପାନି ବିରୋଧରେ ନାରାବାଜି କରିଥିଲେ।

ଅଭିଯୋଗ ଅନୁସାରେ ଏଲ୍‌ ଆଣ୍ଡ ଟି କମ୍ପାନି କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଠିକା ନେଇଛି। ଏହି ଖେଳପଡ଼ିଆରେ ନିର୍ମାଣ ସାମଗ୍ରୀ ରଖିବା ପାଇଁ ସରକାରଙ୍କଠାରୁ ଅନୁମତି ଆଣିଛି। କିନ୍ତୁ ବେଆଇନ ଭାବେ ଏଠାରେ ଅସ୍ଥାୟୀ ପାଚେରି ତିଆରି କରିବା ସହ ୩୦ଟି ଶୌଚାଳୟ ନିର୍ମାଣ କରିଛି। ଏନେଇ ବିଦ୍ୟାଳୟ ଅଭିଭାବକ ପରିଚାଳନା କମିଟି ସଭାପତି ଯମୁନା ପ୍ରଧାନ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାରୁ ସେଠାରେ ରହିତାଦେଶ ଜାରି କରାଯାଇଥିଲା। ମାତ୍ର କମ୍ପାନି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ନିର୍ମାଣ କରୁଛି। ୟୁନିଟ୍‌-୬ ଆଲୁମିନି ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଦୁର୍ଗା ମହାପାତ୍ରଙ୍କ କହିବା କଥା, ସ୍କୁଲ୍‌ର ଖେଳପଡ଼ିଆ ପିଲାଙ୍କ ଖେଳ ପାଇଁ ଉଦ୍ଦିଷ୍ଟ। ମାତ୍ର ଏଠାରେ ଶୌଚାଳୟ ନିର୍ମାଣ କରି ପଡ଼ିଆର ବିନାଶ କରାଯାଉଛି। ଏହି ବିକ୍ଷୋଭରେ ୟୁନିଟ୍‌-୬ ବାଳିକା ଆଲୁମିନି ଟ୍ରଷ୍ଟର ସଭାପତି ସଂଧ୍ୟା ପଟ୍ଟନାୟକ, ବିଦ୍ୟାଳୟ ଆଲୁମିନି ଟ୍ରଷ୍ଟ ସଂପାଦକ ଚିତ୍ତରଞ୍ଜନ ମହାପାତ୍ର, ଓଡ଼ିଶା ଅଭିଭାବକ ସଂଘ ସଭାପତି ବାସୁଦେବ ଭଟ୍ଟ, ସମାଜସେବୀ ମଧୁସୂଦନ ରେଡ୍ଡୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର