ଗ୍ୟାଲେରିଆ ମଲ୍‌କୁ କାହିଁକି ଏତେ ଅନୁକମ୍ପା

୪ଥର ଭଙ୍ଗା ହେବାକୁ ତାରିଖ ହୋଇଛି, ଥରେ ବି ବୁଲଡୋଜର ଯାଇନି

ଭୁବନେଶ୍ବର : ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌କୁ କାହିଁକି ପ୍ରଶାସନ ଏତେ ଅନୁକମ୍ପା ଦେଖାଉଛି ସେନେଇ ପ୍ରଶ୍ନ ଉଠିଲାଣି। ଏହି ମଲ୍‌ର ବେଆଇନ ସୌନ୍ଦର୍ଯ୍ୟକରଣ ଅଞ୍ଚଳକୁ ଉଚ୍ଛେଦ କରିବା ପାଇଁ ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି (ସିଇଏମ୍‌ସି) ବୈଠକରେ ବାରମ୍ବାର ନିଷ୍ପତ୍ତି ହେଲାଣି, ହେଲେ ଭଙ୍ଗାଯାଉନି। ଯାହାର ଫାଇଦା ନେଇ ମଲ୍‌ କର୍ତ୍ତୃପକ୍ଷଙ୍କ ଇଙ୍ଗିତରେ ଏବେ ବିଏମ୍‌ସି କାର୍ଯ୍ୟାଳୟ ଆଡ଼କୁ ରାସ୍ତା ଘୁଞ୍ଚିଯାଇଛି। ଏପରିକି ଏହି ନିଷ୍ପତ୍ତି ଏମିତି ଗୁପ୍ତ ଭାବେ ନିଆଯାଇଛି ଯେ, ଏନେଇ କୌଣସି ଅଧିକାରୀ ମୁହଁ ଖୋଲୁନାହାନ୍ତି। ରାସ୍ତାର ଡିଜାଇନ୍ ପରିବର୍ତ୍ତନ କରି ହଠାତ୍ ଉଚ୍ଛେଦ କରିବାକୁ ଯୋଜନା ହୋଇଥିବାରୁ ଏହାର ନକ୍ସା ବି କାହାକୁ ଦିଆଯାଉନି।

ମଲ୍‌ ସମ୍ମୁଖରୁ ଜବରଦଖଲ ହଟିଲେ ମାଉସୀ ମା’ଛକରୁ ମ୍ୟୁଜିୟମ୍ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ହେବ ବୋଲି ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୨ ପକ୍ଷରୁ ବିଡିଏ ଓ ବିଏମ୍‌ସିକୁ ଚାରି ଥର ଚିଠି ଲେଖା ହୋଇଥିଲେ ହେଁ ଏହି ଦୁଇ ବିଭାଗର ବାବୁମାନେ ଏନେଇ ଆଖି ବୁଜି ଦେଇଛନ୍ତି। ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ଏପରି ଚଞ୍ଚକତାର ସହ ଏହି ଉଚ୍ଛେଦକୁ ଟାଳି ଦେଉଛନ୍ତି, ଯେପରି ସେମାନେ ପରେ କୌଣସି ଅସୁବିଧାରେ ନପଡ଼ିବେ। ଯାହାର ଫଳ ଏବେ ବିଏମ୍‌ସି ଭୋଗିବାକୁ ଯାଉଛି। ତଥାପି ବାବୁମାନେ ଚେତୁନାହାନ୍ତି। ଜବରଦଖଲ କରି ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରିବାକୁ ଗତବର୍ଷ ଅଗଷ୍ଟ ୧୭, ନଭେମ୍ବର ୨୯, ଡିସେମ୍ବର ୬ ଏବଂ ଡିସେମ୍ବର ୧୬ ପାଇଁ ଚାରିଟି ତାରିଖ ଧାର୍ଯ୍ୟ ହୋଇଥିଲା। ବିଏମ୍‌ସି ଓ ବିଡିଏ କାର୍ଯ୍ୟାଳୟରୁ ସ୍କ୍ବାଡ୍‌ ଓ ବୁଲଡୋଜର୍‌ ବି ବାହାରିଲା। କିନ୍ତୁ ଥରଟିଏ ବି ମଲ୍‌ ସମ୍ମୁଖକୁ ବୁଲଡୋଜର ଗଲାନି। ଭାଙ୍ଗିବା ଦୂରର କଥା।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୨୬, ୨୦୧୯ରେ ବସିଥିବା ମିଳିତ ଉଚ୍ଛେଦକାରୀ ଟିମ୍‌ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ଅଗଷ୍ଟ ୧୭ରେ ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାରେ ଥିବା ଜବରଦଖଲ ଉଚ୍ଛେଦ ହେବ। ଉଚ୍ଛେଦ ବି ହେଲା। ହେଲେ ମାଉସୀ ମା’ ଛକରୁ ବିଏମ୍‌ସି ଅଫିସ ସମ୍ମୁଖ ପର୍ଯ୍ୟନ୍ତ। ମଲ୍‌ ପୂର୍ବରୁ ହଠାତ୍ ଉଚ୍ଛେଦ ବନ୍ଦ ହୋଇଗଲା। ଉଚ୍ଛେଦ କରିବାକୁ ଯାଇଥିବା ସ୍କ୍ବାଡ୍‌ ଖାଇବାକୁ ଯାଉଛନ୍ତି କହି ଉଚ୍ଛେଦ ବନ୍ଦ କଲେ। ଖାଇବାକୁ ଗଲେ ଯେ, ତିନି ମାସ ଯାଏ ଫେରିଲେନି।

ଏହାପରେ ପୁଣି ନଭେମ୍ବର ୨୯ତାରିଖ ଧାର୍ଯ୍ୟ ହେଲା। କିନ୍ତୁ ସେଦିନ କମିସନରେଟ୍ ପୁଲିସ ହଠାତ୍‌ ପୁଲିସ ଫୋର୍ସ ଯୋଗାଇପାରିବନି ବୋଲି ମନା କରିଦେବାରୁ ଉଚ୍ଛେଦ ହେଲାନି। ଡିସେମ୍ବର ୬କୁ ପୁଣି ଉଚ୍ଛେଦ ଘୁଞ୍ଚିଲା। ସେଦିନ ଆଉ କିଛି ଉଚ୍ଛେଦ କାର୍ଯ୍ୟକ୍ରମ ନଥିବାରୁ ମଲ୍‌ ସମ୍ମୁଖରୁ ଉଚ୍ଛେଦ ହେବ ବୋଲି ଆପାତତଃ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଡିସେମ୍ବର ୫ତାରିଖ ସଂଧ୍ୟାରେ ନିର୍ଦ୍ଦେଶ ଆସିଲା ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର ପାଇଁ ଅନନ୍ତ ବାସୁଦେବ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରୁ ଆସନ୍ତାକାଲି ଉଚ୍ଛେଦ ହେବ। ଏହାପରେ ଅନନ୍ତ ବାସୁଦେବ ମନ୍ଦିର ନିକଟ‌କୁ ମିଳିତ ଉଚ୍ଛେଦକାରୀ ଟିମ୍‌ ଯିବାରୁ ମଲ୍‌ ସମ୍ମୁଖ ଉଚ୍ଛେଦ ହେଲାନି।

ପୁଣି ଡିସେମ୍ବର ୧୬ତାରିଖରେ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହେଲା। ହେଲେ ଏହାକୁ ନକରିବାକୁ ବାହାନା ଦେଖାଗଲା ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ହେଉଛି ଏବେ ଉଚ୍ଛେଦ ହୋଇପାରିବନି। ଏହାପରେ ମେ ୧୨ତାରିଖରେ ପୂର୍ତ୍ତ ବିଭାଗର ଭୁବନେଶ୍ବର ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ବିଡିଏ ଉପାଧ୍ୟକ୍ଷଙ୍କୁ ଚିଠି ଲେଖି ଏହି ରାସ୍ତାରୁ ତୁରନ୍ତ ଉଚ୍ଛେଦ କରିବାକୁ ଜଣାଇଥିଲେ। କିନ୍ତୁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନି। ବରଂ ମେ ୧୨ର ଚିଠି ପରେ ଡିଜାଇନ୍‌କୁ ବଦଳାଇବାକୁ କସରତ ଆରମ୍ଭ ହୋଇଗଲା। ଆଉ ଡିଜାଇନ୍‌ ବି ବଦଳିଗଲା।

ସମ୍ବନ୍ଧିତ ଖବର