ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ : ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ କଳା ଦିନ

ଭୁବନେଶ୍ବର : ୧୯୭୫ ଜୁନ୍ ୨୫ ତାରିଖ। ଭାରତର ଗଣତନ୍ତ୍ରର ଇତିହାସରେ ଏକ କଳା ଦିନ। ଏହି ୨୫ ତାରିଖ ମଧ୍ୟରାତ୍ରରେ ଦେଶରେ ଘୋଷଣା ହୋଇଥିଲା ଜରୁରୀକାଳୀନ ପରିସ୍ଥିତି। ସ୍ବାଧୀନତା ପରେ ଏମିତି ଏକ ସମୟକୁ ଦେଶବାସୀ ସାମ୍ନା କରିବେ ବୋଲି ଭାବି ନ ଥିଲେ। ଜରୁରୀକାଳୀନ ପରିସ୍ଥିତିର ସପକ୍ଷ ଓ ବିପକ୍ଷରେ ଥିବା ବହୁ ବଡ଼ ବଡ଼ ନେତାଙ୍କର ପରଲୋକ ହୋଇଗଲାଣି। କିନ୍ତୁ ସେହି ଅଧ୍ୟାୟଟି ସବୁବେଳେ ‌ରାଜନୈତିକ ଦୁନିଆରେ ଚର୍ଚ୍ଚାର ପ୍ରସଙ୍ଗ ହୋଇ ରହିଛି।

ଯଦିଓ ଜୁନ୍ ୨୫ ତାରିଖରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଲା, ତେବେ ସେହି ମାସ ୧୨ ତାରିଖରୁ ହିଁ ଦେଶରେ ଆରମ୍ଭ ହୋଇଯାଇଥିଲା ଏକ ଅଭାବନୀୟ ପରିସ୍ଥିତି। ୧୯୭୧ ମସିହା ଲୋକସଭା ନିର୍ବାଚନରେ ଇନ୍ଦିରା ଗାନ୍ଧୀ ରାଏବଲାରିରୁ ନିର୍ବାଚିତ ହୋଇଥିଲେ। ତାଙ୍କ ନିର୍ବାଚନକୁ ଅସିଦ୍ଧ କରିବା ଦାବିରେ ପରାଜିତ ପ୍ରାର୍ଥୀ ରାଜ ନାରାୟଣ ଆହ୍ଲାବାଦ ହାଇକୋର୍ଟରେ ଦ୍ବାରସ୍ଥ ହେଲେ। ତାଙ୍କର ଯୁକ୍ତି ଥିଲା ଶ୍ରୀମତୀ ଗାନ୍ଧୀ ତାଙ୍କ ନିର୍ବାଚନରେ ଶାସନ କଳର ଅପବ୍ୟବହାର କରିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଜଗମୋହନଲାଲ ସିହ୍ନା ୧୯୭୫ ଜୁନ୍ ୧୨ ତାରିଖରେ ଐତିହାସିକ ରାୟ ଦେଇ ଶ୍ରୀମତୀ ଗାନ୍ଧୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ। ଏପରିକି ୬ ବର୍ଷ ପାଇଁ ତାଙ୍କୁ ନିର୍ବାଚନ ଲଢ଼ିବାରେ ମଧ୍ୟ କୋର୍ଟ ରୋକ୍ ଲଗାଇଲେ। ଏହା ପର ଠାରୁ ଶ୍ରୀମତୀ ଗାନ୍ଧୀଙ୍କ ଇସ୍ତଫା ଦାବିରେ ବିରୋଧୀମାନେ ଆନ୍ଦୋଳନ ଆରମ୍ଭ କରିଦେଲେ। ଶ୍ରୀମତୀ ଗାନ୍ଧୀଙ୍କ ସମର୍ଥନରେ ମଧ୍ୟ ଶୋଭାଯାତ୍ରା ହେଲା। ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଶ୍ରୀମତୀ ଗାନ୍ଧୀ ସୁପ୍ରିମକୋର୍ଟ ଗଲେ। ଜୁନ୍ ୨୪ ତାରିଖରେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଲେ। ଶ୍ରୀମତୀ ଗାନ୍ଧୀ ସଂସଦକୁ ଯାଇପାରିବେ, କିନ୍ତୁ ଚୂଡ଼ାନ୍ତ ରାୟ ନ ଆସିବା ଯାଏ ଭୋଟ୍‌ ଦେଇପାରିବେ ‌ନାହିଁ ବୋଲି ସୁପ୍ରିମ‌କୋର୍ଟ କହିଲେ।

The Hans India

ଏହା ପରେ ଇନ୍ଦିରାଙ୍କ ବିରୋଧରେ ଆନ୍ଦୋଳନ ଆହୁରି ତୀବ୍ର ହେଲା। ୨୫ ତାରିଖରେ ଜୟପ୍ରକାଶ ନାରାୟଣ ଓ ମୋରାରଜୀ ଦେଶାଇ ସରକାର ବିରୋଧରେ ଆନ୍ଦୋଳନ ତୀବ୍ର କରିବାକୁ ଆହ୍ବାନ ଦେଲେ। ସେହି ୨୫ ତାରିଖ ରାତିରେ ହିଁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ଜରୁରୀକାଳୀନ ପରିସ୍ଥିତି ‌ଲାଗୁ କରିବାକୁ ଅଧ୍ୟାଦେଶ ଜାରି କରି ରାଷ୍ଟ୍ରପତିଙ୍କୁ ନିକଟକୁ ପଠାଇଲେ। ମାତ୍ର କିଛି ଘଣ୍ଟା ମଧ୍ୟରେ ତତ୍‌କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ ଏଥିରେ ମୋହର ଲଗାଇଲେ। ଏହି ଅଧ୍ୟାଦେଶ ପାଇଁ ଇନ୍ଦିରା କ୍ୟାବିନେଟ୍‌ ବି ଡାକି ନ ଥିଲେ।

ପାଖାପାଖି ୨୧ ମାସ ରହିଲା ଜରୁରୀକାଳୀନ ପରିସ୍ଥିତି। ଏହାକୁ ଯେଉଁମାନେ ବିରୋଧ କଲେ ସେମାନଙ୍କୁ ଗିରଫ କରାଗଲା। କୌଣସି ପ୍ରକାର ଗଣତାନ୍ତ୍ରିକ ଆନ୍ଦୋଳନକୁ ଅନୁମତି ଦିଆଗଲା ନାହିଁ। ବିରୋଧୀ ଦଳଗୁଡ଼ିକର ପ୍ରମୁଖ ନେତାମାନଙ୍କୁ ଜେଲ୍‌ରେ ଭର୍ତ୍ତି କରାଗଲା। ବହୁ ନେତାଙ୍କୁ ଘରୁ ଉଠାଇ ନେଲା ପୁଲିସ୍‌। ସାରା ଦେଶରେ ପ୍ରଶାସନ ଓ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟ ଦେଖିବାକୁ ମିଳିଲା। ଗଣମାଧ୍ୟମର କଣ୍ଠରୋଧ କରିଦିଆଗଲା। ବିଚାର ବ୍ୟବସ୍ଥାକୁ ମଧ୍ୟ ଏକପ୍ରକାରୀ ଅକାମୀ କରି ଦିଆଗଲା। ଜରୁରୀକାଳୀନ ପରିସ୍ଥିତିକୁ ଭାରତର ଗଣତନ୍ତ୍ରରେ ଏକ କଳା ଫର୍ଦ୍ଦ ‌ଭାବେ ସବୁଦିନ ପାଇଁ ବିବେଚନା କରାଯାଉଛି। ଏପରିକି କଂଗ୍ରେସର ବହୁ ‌େନତା ମଧ୍ୟ ଏହା ଏକ ଐତିହାସିକ ତ୍ରୁଟି ବୋଲି ବହୁ ସମୟରେ ସ୍ବୀକାର କରିଛନ୍ତି। ଓଡ଼ିଶାରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଆନ୍ଦୋଳନ ଜୋର୍‌ଦାର୍ ହୋଇଥିଲା। ବିରୋଧୀ ଦଳର ପ୍ରମୁଖନେତାମାନଙ୍କୁ ଗିରଫ କରାଯାଇଥିଲେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଲୁଚିଛପି ଏହା ବିରୋଧରେ ଜନମତ ସୃଷ୍ଟି କଲେ।

୧୯୭୭ ମାର୍ଚ୍ଚ ୨୩ ତାରିଖରେ ବିଧିବଦ୍ଧ ଭାବେ ଜରୁରୀକାଳୀନ ପରିସ୍ଥିତି ଉଠିଲା। କିନ୍ତୁ ତାହା ପୂର୍ବରୁ ଅର୍ଥାତ ୧୯୭୭ ଜାନୁଆରି ୧୮ ତାରିଖରେ ଦେଶରେ ଗଣତାନ୍ତ୍ରିକ ନିର୍ବାଚନ ପାଇଁ ଇନ୍ଦିରା ଗାନ୍ଧୀ ଘୋଷଣା କରିଥିଲେ। ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତି କରିଦିଆଯାଇଥିଲା। ଏହି ନିର୍ବାଚନ‌େର ଅଣକଂଗ୍ରେସ ନେତାମାନଙ୍କ ଭୋଟର୍‌ଙ୍କ ପାଇଁ ସ୍ଲୋଗାନ୍ ଥିଲା ‘ଗଣତନ୍ତ୍ର ବନାମ ଏକଛତ୍ରବାଦ’। ଭୋଟର୍‌ଙ୍କ ଉପରେ ତାହାର ପ୍ରଭାବ ମଧ୍ୟ ପଡ଼ିଥିଲା। ଇନ୍ଦିରା ଗାନ୍ଧୀ ନିଜେ ନିର୍ବାଚନରେ ପରାଜୟ ବରଣ କରିବା ସହ କଂଗ୍ରେସ ବହୁ ଆସନରେ ହାରିଥିଲା। ଫଳରେ କେନ୍ଦ୍ର ସମେତ ବହୁ ରାଜ୍ୟରେ ଅଣକଂଗ୍ରେସ ସରକାର ପ୍ରତିଷ୍ଠା ହୋଇଥିଲା।

ଜରୁରୀକାଳୀନ ପରିସ୍ଥିତିକୁ ଉଠାଇବା ପାଇଁ ଆନ୍ଦୋଳନ ଦାନା ବାନ୍ଧୁଥିଲା ବେଳେ ଓଡ଼ିଶାରେ ବିରୋଧୀ ଦଳର ପ୍ରମୁଖ ନେତାମାନଙ୍କୁ ଗିରଫ କରିନିଆଗଲା। ୧୨ ଶହରୁ ଅଧିକ ଲୋକଙ୍କୁ ଗିରଫ କରି ବିଭିନ୍ନ ଜେଲ୍‌ରେ ଭର୍ତ୍ତି କରାଗଲା। ମୁଁ ନିଜେ ଗିରଫ ହୋଇ ସମ୍ବଲପୁର ଜେଲ୍‌ରେ ଥିଲି। ଜେଲ୍‌ ଭିତରେ ମଧ୍ୟ ବହୁ ବନ୍ଦୀଙ୍କୁ ନିର୍ଯାତନା ଦିଆଯାଉଥିଲା। ସେହି ସମୟରେ ବନ୍ଦୀ ହୋଇଥିବା ଲୋକଙ୍କୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ। ଦେଶର କିଛି ରାଜ୍ୟରେ ସେମାନଙ୍କ ପାଇଁ ପେନ୍‌ସନ୍‌ର ବ୍ୟବସ୍ଥା କରାଯାଇଛି। କିନ୍ତୁ ଓଡ଼ିଶାରେ ଏବେ ୩୦୦ରୁ ୪୦୦ ଜଣ ବନ୍ଦୀ ଜୀବିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ଲୋକ କଷ୍ଟରେ ଅଛନ୍ତି। ତେଣୁ ଓଡ଼ିଶା ସରକାର ସେମାନଙ୍କ ପାଇଁ ତୁରନ୍ତ ପେନ୍‌ସନ୍‌ର ବ୍ୟବସ୍ଥା ଲାଗୁ କରନ୍ତୁ।
ବିମ୍ବାଧର କୁଅଁର, ରାଜ୍ୟ ସଭାପତି, ଲୋକତନ୍ତ୍ର ସେନାନୀ ସଂଘ

ସେତେବେଳେ ମୁଁ ଛାତ୍ର ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲି ଓ କଟକ ଜେଲ୍‌ରେ ବନ୍ଦୀ ଥିଲି। ସେହି ଆନ୍ଦୋଳନ ଯୋଗୁ ହିଁ ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହୋଇପାରିଥିଲା ଓ ଅଣକଂଗ୍ରେସ ସରକାର କ୍ଷମତାକୁ ଆସିଥିଲେ। କିନ୍ତୁ ସେହି ସମୟରେ ବନ୍ଦୀ ହୋଇଥିବା ଆନ୍ଦୋଳନକାରୀଙ୍କୁ ବର୍ତ୍ତମାନର ସରକାର ଉଚିତ ସମ୍ମାନ ଦେଉ ନାହିଁ। ସେମାନଙ୍କୁ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ଦେଇ ପେନ୍‌ସନ୍ ଲାଗୁ କରିବାକୁ ଦାବି ହେଉଥିଲେ ବି ତାହା ଏ ଯାଏ କାର୍ଯ୍ୟକାରୀ ହୋଇପାରୁ ନାହିଁ।
ଶ୍ରୀଧର ଦାଶ, ରାଜ୍ୟ ଆବାହକ, ଲୋକତନ୍ତ୍ର ସେନାନୀ ସଂଘ

କଂଗ୍ରେସ ଭିତରେ ମଧ୍ୟ ଏହାକୁ ବିରୋଧ କରାଯାଇଥିଲା। ଇନ୍ଦିରା ଗାନ୍ଧୀ କ୍ୟାବିନେଟ୍‌ ନ ଡାକି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ୍‌ କରିଥିଲେ। ଏହାକୁ ବହୁ କଂଗ୍ରେସ ନେତା ନାପସନ୍ଦ କରିଥିଲେ। ସେହି ସମୟରେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା। ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା। ଆମେ ସେତେବେଳେ ପ୍ରାଚୀର ପତ୍ର କରି ଲୋକଙ୍କୁ ସୂଚନା ଦେଉଥିଲୁ। ସରକାରଙ୍କ ବିରୋଧରେ କେହି ପାଟି ଫିଟାଇବା ଅପରାଧ ଥିଲା। ଅବଶ୍ୟ ଦରଦାମ ନିୟନ୍ତ୍ରଣ ଓ କଳା ବଜାରୀଙ୍କ ଉପରେ ଚଢ଼ଉ ଯୋଗୁ କିଛି ଲୋକ ଆଶ୍ବସ୍ତ ‌ହୋଇଥିଲେ।
ରବି ଦାସ, ବରିଷ୍ଠ ସାମ୍ବାଦିକ

ସମ୍ବନ୍ଧିତ ଖବର