ଗ୍ରାହକଙ୍କୁ ଠକୁଥିବା ଗାଡ଼ି ଦଲାଲ ଗିରଫ, ଅଡି କାର୍‌ ଦେବ କହି ୧୨ ଲକ୍ଷ ଠକିଥିଲା

ଭୁବନେଶ୍ବର: ଅଡି କାର୍‌ ଦେବା କହି ୧୨ ଲକ୍ଷ ଠକିଥିବା ଜଣେ ଦଲାଲକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେ ହେଉଛି ୟୁନିଟ୍‌-୮ ଅଞ୍ଚଳ କେଶରୀ ଏନକ୍ଲେଭ୍‌ରେ ରହୁଥିବା ପ୍ରଦୀପ ଜେନା। ସେ ସେକେଣ୍ଡ ହ୍ୟାଣ୍ଡ ଦାମୀ ଗାଡ଼ି କାରବାର କରେ। ତେବେ ଗୋଟିଏ ଗାଡ଼ି ଦେଖାଇ ଆଉ ଗୋଟିଏ ଗାଡ଼ି ବିକିଦିଏ। ଅନେକ ଲୋକଙ୍କୁ ଏଭଳି ଠକିବା ପରେ ଆଜି ପ୍ରଦୀପ ଧରାପଡ଼ିଛି। ଅନ୍ୟ କେଉଁ ଥାନାରେ ତା’ ନାମରେ ଏଭଳି ଅଭିଯୋଗ ଅଛି କି ନାହିଁ ସେ ନେଇ ଖୋଳତାଡ଼ ଚାଲିଛି।

ସୂଚନା ମୁତାବକ, ନୂଆପଲ୍ଲୀର ସୁଚିତ ସୁବୋଧ ମିଶ୍ର ୨୦୧୫ ମସିହାରେ ଏକ ସେକେଣ୍ଡ ହ୍ୟାଣ୍ଡ ଅଡି ଗାଡ଼ି କିଣିବା ପାଇଁ ପ୍ରଦୀପ ସହ ଯୋଗାଯୋଗ କରିଥିଲେ। ପ୍ରଦୀପ ତାଙ୍କୁ ଏକ ଗାଡ଼ି(ଓଡି ୦୫ ଏନ୍‌ ୦୯୯୯) ଦେଖାଇଥିଲା। ଏହାର ଦର ୩୮ ଲକ୍ଷ ଟଙ୍କା ଛିଣ୍ଡିଥିଲା। ଅଗ୍ରୀମ ବାବଦକୁ ସୁଚିତ ପ୍ରଦୀପଙ୍କ ଭାଇ ପ୍ରହଲ୍ଲାଦଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଟଙ୍କା ପଠାଇଥିଲେ। ୨୦୧୬ ମସିହା ଫେବ୍ରୁଆରି ୧୯ ତାରିଖରେ ପ୍ରଦୀପ ଆଉ ୧୦ ଲକ୍ଷ ନେଇଥିଲା। ଏଭଳି ମୋଟ ୧୨ଲକ୍ଷ ୪୦ ହଜାର ଟଙ୍କା ନେଇ ପ୍ରଦୀପ ସୁଚିତଙ୍କୁ ସେ ପସନ୍ଦ କରିଥିବା ଗାଡ଼ି ନ ପଠାଇ ଆଉ ଏକ ଗାଡ଼ି (ଓଆର ୦୧ ଭି ୦୧୦୦)ପଠାଇଥିଲା। ଏଣୁ ସୁଚିତ୍‌ ଏହି ଗାଡ଼ିକୁ ରଖିନଥିଲେ। ‌ଗାଡ଼ି ଫେରାଇ ଦେଇ ଟଙ୍କା ଫେରସ୍ତ ଚାହିଥିଲେ। ପ୍ରଥମେ ପ୍ରଦୀପ ୨ ଲକ୍ଷ ଟଙ୍କାର ଚେକ୍‌ ଦେଇ ପରେ ବାକି ଅର୍ଥ ପ୍ରଦାନ କରିବାକୁ କହିଥିଲା। ହେଲେ ଚେକ୍‌ଟି ବାଉନ୍ସ କରିଥିଲା। ଏ ନେଇ ପ୍ରଦୀପଙ୍କ ସହ ଯୋଗାଯୋଗ କରିବାରୁ ସେ ଆଉ ଧରାଛୁଆଁ ଦେଇନଥିଲେ। ଏଣୁ ସୁଚିତ ନୂଆପଲ୍ଲୀ‌ ଥାନରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର