ଗାଁ ଦିବସ ଅଭିଯାନର ଶୁଭାରମ୍ଭ: ଉନ୍ମୋଚିତ ହେଲା ଅଭିଯାନର ସଙ୍ଗୀତ ଭିଡିଓ ଓ ପତ୍ରିକା

ଭୁବନେଶ୍ବର: ‘ଆସ ଗାଁକୁ ଯିବା, ପାଳିବା ଗାଁ ଦିବସ’। ଗାଁରେ କଳା ସଂସ୍କୃତିର ପ୍ରଚାର, ପ୍ରସାର ଓ ବିକାଶର ଆହ୍ୱାନ ନେଇ ପ୍ରଥମଥର ଗାଁ ଦିବସ ପାଳନ ପାଇଁ ଆଜି ହୋଟେଲ୍‌ ପେଣ୍ଟାଗନ୍‌ଠାରୁ ‘ଗାଁ ଦିବସ ଅଭିଯାନ’ ଆରମ୍ଭ ହୋଇଯାଇଛି। ସାଂସ୍କୃତିକ ସଙ୍ଗଠନ ‘କଳାକ୍ଷେତ୍ର’ ପକ୍ଷରୁ ଆୟୋଜିତ ଏହି ଅଭିଯାନର ଉଦ୍‌ଘାଟନୀ ଅବସରରେ ଯୋଜନା, ସମନ୍ବୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସକ ସୁଶୀଲ କୁମାର ଦାସ, ଶକ୍ତି ବିଭାଗର ସ୍ବତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକ, ଜଳସମ୍ପଦ ବିଭାଗର ନି‌ର୍ଦ୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ ଓ ଅଭିନେତା ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଗାଁ ଦିବସ ଅଭିଯାନର ସଙ୍ଗୀତ ଭିଡିଓ ଓ ଗାଁ ଅଭିଯାନର ପତ୍ରିକା ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ ଓ ସଦସ୍ୟ ସମ୍ପାଦକ ବାସୁଦେବ ମାଳବିଶୋଇ ଉପସ୍ଥିତ ଥିଲେ।

ଗାଁ ଦିବସ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଳବିଶୋଇ କହିଥିଲେ, ସବୁ ଦିବସ ହେଉଛି। ହେଲେ ଗାଁ ଦିବସ ନାହିଁ। ପ୍ରଥମଥର ପାଇଁ ଢେଙ୍କାନାଳ ଜିଲ୍ଲାର ଏକ ସଂସ୍କୃତିସମ୍ପନ୍ନ ଗାଁରେ ଏହି ଦିବସର ଶୁଭାରମ୍ଭ କରିବାକୁ ଯାଉଛୁ। ଆସନ୍ତା ଫେବ୍ରୁଆରି ୨୭ ଓ ୨୮ ଦୁଇ ଦିନବ୍ୟାପୀ ଗାଁ ଦିବସ ପାଳନ ହେବ, ଯେଉଁଥିରେ କଳା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା ହେବ। ଉଭୟ ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳର କଳାକାର, ସାହିତ୍ୟିକ ଓ ସାଂସ୍କୃତିକ ଦଳଙ୍କୁ ନେଇ ବହୁବିଧ କାର୍ଯ୍ୟକ୍ରମ ହେବ। ଗ୍ରାମାଞ୍ଚଳର ବିଶିଷ୍ଟ ପ୍ରତିଭାମାନଙ୍କୁ ‘କଳାକ୍ଷେତ୍ର ସମ୍ମାନ’ରେ ସମ୍ମାନିତ କରାଯିବ। ଦିବସ ପାଳନ ପରଠୁ ସେହି ଗାଁର ବିକାଶ ଧାରାରେ ବି ସାମିଲ ହେବ କଳାକ୍ଷେତ୍ର। ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି କଳାକ୍ଷେତ୍ର ଗାଁ ନାଁରେ ନାମିତ କରିବ। ପରେ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ କଳାକ୍ଷେତ୍ର ଗାଁ ଗଢ଼ି ତୋଳିବା ସଙ୍ଗଠନ ଆଶା ରଖିଛି।

ସମ୍ବନ୍ଧିତ ଖବର