ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ : ଗାନ୍ଧୀଜୀଙ୍କ ସ୍ବପ୍ନର ଗ୍ରାମ ସ୍ବରାଜ ବିନୋବା ଆରମ୍ଭ କରିଥିଲେ

‌କୈଳାସ ଆଦମୀଙ୍କୁ ଗାନ୍ଧୀ-ବିନୋବା ଶାନ୍ତି ପୁରସ୍କାର

ଭୁବନେଶ୍ବର : ଗାନ୍ଧୀଜୀଙ୍କ ପ୍ରକୃତ ଦାୟଦ ଥିଲେ ବିନୋବା ଭାବେ। ଗାନ୍ଧୀଜୀଙ୍କ ସ୍ବପ୍ନର ଭାରତ ନିର୍ମାଣ ବିନୋବା ହିଁ ଆରମ୍ଭ କରିଥିଲେ। ଭୂଦାନ ଓ ଗ୍ରାମଦାନ ମାଧ୍ୟମରେ ସଶକ୍ତ ଓ ବିକଶିତ ଭାରତର ବୀଜରୋପଣ ବିନୋବା କରିଥିଲେ ବୋଲି କହିଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ଭବାନୀ ଚରଣ ପଟ୍ଟନାୟକ।

ଆଜି ବିନୋବା ସେବା ପ୍ରତିଷ୍ଠାନ ସହିତ ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି, ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଗାନ୍ଧୀବାଦୀ ଫୋରମ୍ ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଆଚାର୍ଯ୍ୟ ଭାରତରତ୍ନ ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ ଜୟଦେବ ଭବନରେ ପାଳିତ ହୋଇଯାଇଛି। ପ୍ରତିଷ୍ଠାନର ସାଧାରଣ ସଂପାଦକ ମନୋଜ ଜେନାଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଆଚାର୍ଯ୍ୟ କୂଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ପୁଷ୍ପିତା ଅବସ୍ତି କହିଥିଲେ, ବିନୋବା ବହୁଭାଷା ଓ ଧର୍ମଗ୍ରନ୍ଥକୁ ଅଧ୍ୟୟନ କରି ତାହାର ସାରାଂଶକୁ ଅତି ସୂକ୍ଷ୍ମରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିଥିଲେ। ଗାନ୍ଧୀଜୀଙ୍କ ସ୍ବପ୍ନର ଗ୍ରାମ ସ୍ବରାଜ ଓ ସ୍ବାବଲମ୍ବନ ସମାଜର ନିର୍ମାଣ ବିନୋବା ହିଁ ଆରମ୍ଭ କରିଥିଲେ। ବିନୋବାଜୀଙ୍କ ଦ୍ବାରା ପ୍ରତିଷ୍ଠିତ ଆଚାର୍ଯ୍ୟ କୂଳ ଏବେ ବି ସମାଜକୁ ମାର୍ଗଦର୍ଶନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀମତୀ ଅବସ୍ତି ମତବ୍ୟକ୍ତ କରିଥିଲେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଲେ, ସାଂପ୍ରତିକ ସମାଜରେ ଧନୀ ଓ ଗରିବ ଭିତରେ ତାରତମ୍ୟ ବଢ଼ୁଥିବା ବେଳେ ଗାନ୍ଧୀ ଓ ବିନୋବାଙ୍କ ବିଚାରକୁ ସରକାର ନ ଆପଣାଇଲେ ଆଗକୁ ଜଟିଳ ପରିସ୍ଥିତି ଉପୁଜିବ। ବିଧାୟିକା ଲତିକା ପ୍ରଧାନ କହିଲେ, ଗରିବ ଓ ଭୂମିହୀନଙ୍କୁ ବିକାଶର ମୁଖ୍ୟସ୍ରୋତରେ ଆଣିବାକୁ ଭୂଦାନ ଆନ୍ଦୋଳନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ମହିଳା ଅଧିକାର ଅଭିଯାନର ନମ୍ରତା ଚଢ଼ା କହିଲେ, ମହିଳାଙ୍କ ଉପରେ ବଢ଼ୁଥିବା ହିଂସା ଗାନ୍ଧୀଜୀ ଓ ବିନୋବାଙ୍କ ବିଚାରର ପରିପନ୍ଥୀ। ମହିଳା ସଶକ୍ତୀକରଣରେ ବିନୋବାଙ୍କ ଯଥେଷ୍ଟ ଭୂମିକା ଥିଲା ବୋଲି ସେ କହିଥିଲେ।

ଏହି ଅବସରରେ ମଧ୍ୟପ୍ରଦେଶର ସର୍ବୋଦୟ କର୍ମୀ କୈଳାସ ଆଦମୀଙ୍କୁ ଚଳିତବର୍ଷର ଗାନ୍ଧୀ-ବିନୋବା ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାସହ ଗରିବ ଓ ଅବହେଳିତ ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ପାଇଁ ‘ମୋ ରୋଷେଇ’ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ଓଡ଼ିଶା ଗାନ୍ଧୀବାଦୀ ଫୋରମ୍‌ର ଅଧ୍ୟକ୍ଷା ଆର. ରାଉତରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଜ୍ଞାନରଂଜନ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବାସୁଦେବ ଭଟ୍ଟ, ରାଜୀବ ପଟ୍ଟନାୟକ, ରମେଶ ଭାରତୀ, ଦୀପକ ମହାନ୍ତି, ସ୍ମୃତିରେଖା ନାୟକ, ଆଶୁତୋଷ ସାମଲ, ପ୍ରଦୀପ ଜେନା, ଭାରତୀ ଚାଟାର୍ଜୀ ଓ ସସ୍ମିତା ପ୍ରଧାନ ପ୍ରମୁଖ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର