ଅଭିନନ୍ଦନ ମାଟ୍ରିକ ଚମ୍ପିଅନ୍ସ-୨୦୧୮

ପରିଶ୍ରମ ସାର୍ଥକ ହୋଇଛି
ଆମ ସ୍କୁଲର ପିଲା ଏ-୧ ପାଇଥିବାରୁ ଆମେ ମାନେ ଗର୍ବ ଅନୁଭବ କରୁଛୁ। ଆମର ବର୍ଷ ସାରାର ଚେଷ୍ଟା ଓ ପିଲାଙ୍କ ପରିଶ୍ରମ ସତରେ ସାର୍ଥକ ହୋଇଛି। ଏଥିପାଇଁ ମୁଁ ମୋ ପିଲାମାନଙ୍କୁ ଧନ୍ୟବାଦ ଦେବି ଯେ ତାଙ୍କ ପାଇଁ ଆଜି ଆମେ ଗର୍ବିତ।
ପ୍ରଭାସ ଚନ୍ଦ୍ର ସାହୁ, ଶିକ୍ଷକ, ଏସ୍‌ଏସ୍‌ଭିଏମ୍‌

ପିଲାଙ୍କ ସଫଳତା ପାଇଁ ଆମେ ଗର୍ବିତ
ସ୍କୁଲ ପିଲାଙ୍କ ଏହି ସଫଳତା ପାଇଁ ସେ ଗର୍ବିତ। ମାଟ୍ରିକ ପରୀକ୍ଷା ଦେଉଥିବା ପିଲାଙ୍କୁ ବର୍ଷେ ଆଗରୁ କୋଚିଙ୍ଗ୍‌ ଦିଆଯାଏ। ପିଲାଙ୍କ ମଧ୍ୟରେ ଗ୍ରୁପ କରାଯାଇ ପାଠ ପଢ଼ାଯାଏ । ଆମେ ତାଙ୍କ ସଫଳତା ପାଇଁ ଖାଲି ଚେଷ୍ଟା କରିଛୁ, କିନ୍ତୁ ସମସ୍ତ ପରିଶ୍ରମ ସେମାନେ କରିଛନ୍ତି। ଏମାନେ ହେଉଛନ୍ତି ଭବିଷ୍ୟତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ।
ତ୍ରିନାଥ ଦାସ, ପ୍ରଧାନ ଶିକ୍ଷକ, ବଳାରାମ ଦେ ବିଦ୍ୟାପୀଠ, ଡାଙ୍ଗୀର

‘ସମ୍ବାଦ’ ନିକଟରେ ଆମେ କୃତଜ୍ଞ
ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଓ କର୍ମପଥକୁ ମଜ୍‌ଭୁତ କରିବା ପାଇଁ ‘ସମ୍ବାଦ’ର ଏହି ପ୍ରୟାସ ସବୁବେଳେ ଗ୍ରହଣୀୟ। ଏହା ପିଲାମାନଙ୍କ ମନରେ ଥିବା ଅସୁମାରୀ ସ୍ୱପ୍ନକୁ ସାକାର କରିବା ପାଇଁ ରାହା ଦେଖାଇ ଆସିଛି। ସେଥିପାଇଁ ‘ସମ୍ବାଦ’ ନିକଟରେ ଆମେ କୃତଜ୍ଞ ।
ବୀଣାପାଣି ପାତ୍ର, ଅଭିିଭାବକ

‘ସମ୍ବାଦ’ର ମାଟ୍ରିକ୍‌ ମନ୍ତ୍ର ପିଲାଙ୍କ ବଡ଼ ଅସ୍ତ୍ର
ମୋ ଝିଅ ଯଦିଓ ୯୩ ପ୍ରତିଶତ ମାର୍କ ରଖିଛି, କିନ୍ତୁ ମାଟ୍ରିକ ଖାତା ଦେଖାରେ କିଛି ତ୍ରୁଟି ରହିଥିବାରୁ ତା ମାର୍କ କମିଯାଇଛି। ସେ ଦିନକୁ ୮ରୁ ୧୦ଘଣ୍ଟା ପରିଶ୍ରମ କରୁଥିଲା। ତା’ଛଡ଼ା ‘ସମ୍ବାଦ’ରେ ବାହାରୁଥିବା ମାଟ୍ରିକ ମନ୍ତ୍ର ପିଲାଙ୍କ ପଢ଼ିବା ପାଇଁ ଏକ ବଡ଼ ଅସ୍ତ୍ର। ଏହା ଦ୍ୱାରା ପିଲାଙ୍କ ପଠନ ଶୈଳୀ ଆହୁରି ମାର୍ଜିତ ହୋଇଛି।
ସୌଦାମିନୀ ଦତ୍ତ, ଅଭିଭାବକ

ପରିଶ୍ରମର ଫଳ ପାଇଛି
ମାଟ୍ରିକ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖିଥିବା ସୋନାଲିସା ପଣ୍ଡା କୁହନ୍ତି, ମୁଁ ଭବିଷ୍ୟତରେ ଜଣେ ଡାକ୍ତର ହେବି। ମୋ ବାପା, ମା’, ଶିକ୍ଷକଙ୍କ ପ୍ରଚେଷ୍ଟା ଆଉ ମୋର ମାଟ୍ରିକ ସମୟରେ ୭ରୁ ୮ ଘଣ୍ଟା ପରିଶ୍ରମ ଫଳରେ ଆଜି ସଫଳତା ପାଇ ପାରିଛି। ତା’ସହିତ ‘ସମ୍ବାଦ’ର ଏହି ସମ୍ବର୍ଦ୍ଧନା ପାଇଁ ଭବିଷ୍ୟତର ପିଲାମାନେ ଆମଠାରୁ ଆହୁରି ଭଲ ନମ୍ବର ରଖିବାକୁ ଚେଷ୍ଟା କରିବେ।
ସୋନାଲିସା ପଣ୍ଡା, ଛାତ୍ରୀ

ଆଗକୁ ବଢ଼ିବାକୁ ଉତ୍ସାହ ମିଳିଛି
ମୁଁ ଦିନକୁ ୮ରୁ ୧୦ଘଣ୍ଟା ପରିଶ୍ରମ କରି ୯୦ ପ୍ରତିଶତ ମାର୍କ ରଖିଛି। ଏଥିପାଇଁ ମୋର ଶିକ୍ଷକ,ମାତା ଓ ପିତା ବହୁତ ଉଦ୍ୟମ କରିଛନ୍ତି। ଭବିଷ୍ୟତରେ ଜଣେ ଭଲ ପ୍ରଫେସର ହୋଇ ଅନେକ ଶିକ୍ଷିତ ପିିଲାଙ୍କୁ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। କାରଣ ଆମ ସମାଜ ସୁସ୍ଥ ରହିବା ପାଇଁ ଶିକ୍ଷିତ ପିଲାଙ୍କ ଆବଶ୍ୟକତା ଅନେକ। ସମ୍ବାଦ ପକ୍ଷରୁ ଏହି ସମ୍ବର୍ଦ୍ଧନା ପାଇ ଆଗକୁ ବଢ଼ିବାକୁ ଉତ୍ସାହ ମିଳିଛି।
ଦୀପଙ୍କର ସ୍ୱାଇଁ, ଛାତ୍ର

ଆଗାମୀ ପିଢ଼ି ପାଇଁ ପାହାଚ
ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖିଥିବା ପ୍ରିୟାଂଶୁ ପରିଡ଼ା କୁହନ୍ତି, ମୁଁ ଭବିଷ୍ୟତରେ ଜଣେ ଭଲ ଆଇଏଏସ୍‌ ଅଫିସର ହେବି। ମାଟ୍ରିକରେ ଭଲ ଫଳାଫଳ ପାଇଁ ମୁଁ ଦିନକୁ ୮ରୁ ୧୦ଘଣ୍ଟା ପରିଶ୍ରମ କରୁଥିଲି। ତା’ସହିତ ମୋ ପିତାମାତା, ସ୍କୁଲର ଶିକ୍ଷକମାନେ ମଧ୍ୟ ବହୁତ ସାହାଯ୍ୟ ସହଯୋଗ କରିଛନ୍ତି। ‘ସମ୍ବାଦ’ ପକ୍ଷରୁ ମିଳିଥିବା ସମ୍ବର୍ଦ୍ଧନା ପାଇ ମୁଁ ବହୁତ ଖୁସି। ଆଗାମୀ ପିଢି ପାଇଁ ଏହା ଏକ ପାହାଚ ସଦୃଶ। ଯାହା ଉପରେ ଚଢ଼ି ସେ ସଫଳତା ପାଇବାକୁ ଆହୁରି ଚେଷ୍ଟା କରିବେ।
ପ୍ରିୟାଶୁଂ ପରିଡ଼ା, ଛାତ୍ର

ଆଗକୁ ଯିବାକୁ ପ୍ରେରଣା ମିଳିଛି
ମାଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତ ରଖିଥିବା ଅଭିପ୍ସା ଦାସ କୁହନ୍ତି, ମୋ ସଫଳତା ପଛରେ ମା’ଙ୍କ ଭୂମିକା ଅତୁଳନୀୟ। ପରୀକ୍ଷା ସମୟରେ ମୁଁ ଦିନକୁ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲି। ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଇଚ୍ଛା। ଆଜି ‘ସମ୍ବାଦ’ ପକ୍ଷରୁ ହେଉଥିବା ସମ୍ବର୍ଦ୍ଧନା ଉତ୍ସବରେ ମତେ ସମ୍ବର୍ଦ୍ଧିତ କରାଯାଇଥିବାରୁ ମୁଁ ବହୁତ ଖୁସି। ‘ସମ୍ବାଦ’ର ଏହା ଏକ ନିଆରା କାର୍ଯ୍ୟକ୍ରମ। ଏହା ପିଲାମାନଙ୍କୁ ଆହୁରି ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ।
ଅଭିପ୍ସା ଦାସ, ଛାତ୍ରୀ

ବାପା, ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ମୁଁ ଏକୁଟିଆ ଚାହିଁଥିଲେ କେବେ ସଫଳତା ପାଇ ପାରି ନ ଥାଆନ୍ତି। ସେଥି ପାଇଁ ମୋ ପିତା, ମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାଟ୍ରିକ ପରୀକ୍ଷା ସମୟରେ ୯ରୁ ୧୦ଘଣ୍ଟା ପରିଶ୍ରମ କରି ୯୦ ପ୍ରତିଶତ ମାର୍କ ରଖିପାରିଛି। ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବାକୁ ମୋର ଇଚ୍ଛା। ଏହି ସମ୍ବର୍ଦ୍ଧନା ପାଇଁ ମୁଁ ‘ସମ୍ବାଦ’କୁ ଧନ୍ୟବାଦ ଦେଉଛି।
ଅଙ୍କିତା ପାତ୍ର, ଛାତ୍ରୀ

ସମ୍ବର୍ଦ୍ଧନା ଉତ୍ସବ ସବୁବେଳେ ମନେ ରହିବ
ମୁଁ ମାଟ୍ରିକ ପରୀକ୍ଷାରେ ୯୧.୩୩ ପ୍ରତିଶତ ରଖିଛି। ଏଥିପାଇଁ ୧୨ରୁ ୧୪ ଘଣ୍ଟା ପାଠ ପଢିଥାଏ। ମୋ ପାଠ ପଢ଼ାର ସମସ୍ତ ଦାୟିତ୍ୱ ବାପା, ମା’ଙ୍କ ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ନେଇଥିଲେ। ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି। ଏହି ସମ୍ବର୍ଦ୍ଧନା ଉତ୍ସବକୁ ମୁଁ ସବୁବେଳେ ମନେ ରଖିବି। କାରଣ ଏହା ମତେ ଆଗକୁ ବଢ଼ିବା ପାଇଁ ଶକ୍ତି ଦେଇଛି।
ଶୁଭମ ଗୌରବ ବିଶ୍ୱାଳ, ଛାତ୍ର

ସମ୍ବନ୍ଧିତ ଖବର