କେବେ ଉଠିବ ରେଳ ଫାଟକ? ଚାରି ରେଳ ଲେଭଲ କ୍ରସିଂରେ ବାଜି ଲାଗୁଛି ଜୀବନ

ସରକାରଙ୍କ ନିକଟରେ ଅଟକିଛି ଆରଓବି ଡିଜାଇନ୍‌
୨୦୨୦-୨୧ରୁ କାର୍ଯ୍ୟ ଅନୁମୋଦନ ହେଲାଣି

ଭୁବନେଶ୍ବର : ବଢ଼ୁଛି ରାଜଧାନୀର କଳେବର। ଗୋଟିଏ ପରେ ଗୋଟିଏ ଅଞ୍ଚଳ ଭୁବନେଶ୍ବରରେ ସାମିଲ ହେଉଛି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ରୂପରେଖ ପ୍ରସ୍ତୁତ ଚାଲିଛି। ରାସ୍ତା ସମ୍ପ୍ରସାରଣ, ଡ୍ରେନ୍‌, ସ୍ବରେଜ, ଅଣ୍ଡର୍‌ ଗ୍ରାଉଣ୍ଡ ଇଲେକ୍ଟ୍ରି କେବଲିଂ କରାଯାଇଛି। ଏତେ ସବୁ ପରେ ଅଧା ରାଜଧାନୀବାସୀଙ୍କ ଜୀବନରେଖା ପାଲଟିଛି ରେଳ ଲାଇନ୍‌। ରାତି ପାହିଲା ମାତ୍ରେ ଲୋକେ ରେଳ ଲାଇନ୍‌ ପାର୍‌ ହୋଇ ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଯାଉଛନ୍ତି। ଗୋଟିଏ କି ଦୁଇଟି ନୁହେଁ, ବରଂ ଚାରି ଚାରିଟି ରେଳ କ୍ରସିଂରେ ପ୍ରତିଦିନ ଘଣ୍ଟା ଘଣ୍ଟା ଅଟକୁଛି ଲକ୍ଷାଧିକ ଲୋକଙ୍କ ଜୀବନଯାତ୍ରା। ସହରରେ ତିନୋଟି ଲେଭଲ କ୍ରସିଂ ବନ୍ଦ ହୋଇ ରେଲୱେ ଓଭରବ୍ରିଜ୍‌(ଆର୍‌ଓବି) ନିର୍ମାଣ ହୋଇଛି। ତା’ପରେ ବି ଅଧାରୁ ଅଧିକ ଲେଭଲ କ୍ରସିଂ ଏବେ ବି ଆର୍‌ଓବି ଅପେକ୍ଷାରେ। ବହୁ ବର୍ଷ ଧରି ଆର୍‌ଓବି ନିର୍ମାଣ ଲାଗି ନକ୍ସା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଭିଏସ୍‌ଏସ୍‌ନଗର ଆର୍‌ଓବି କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ପଟିଆ, କଳାରାହାଙ୍ଗ ଓ ପଦାସାହି ତଥା ନୂଆ ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ଆର୍‌ଓବି ନିର୍ମାଣ ଲାଗି ଯୋଜନା ହୋଇଥିଲେ ମଧ୍ୟ ସଫଳତା ମିଳିନି। ଯେଉଁଥିପାଇଁ ଏବେ ବି ଭୁବନେଶ୍ବରର ଲକ୍ଷାଧିକ ଲୋକେ ରେଳ ଫାଟକ କେବେ ଉଠିବ ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି।

ଭିଏସ୍‌ଏସ୍‌ନଗରରୁ ମଞ୍ଚେଶ୍ୱରକୁ ଯୋଗାଯୋଗ କରୁଥିବା ସବୁଠାରୁ ବ୍ୟସ୍ତବହୁଳ ରେଳ ଲେଭଲ୍ କ୍ରସିଂ ଉପରେ ଓଭରବ୍ରିଜ ନିର୍ମାଣ ପାଇଁ ୨୦୧୯ ମାର୍ଚ୍ଚ ମାସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୪୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଓଭରବ୍ରିଜ୍‌ ଦେଢ଼ ବର୍ଷ ଭିତରେ ଶେଷ ହେବ ବୋଲି ପ୍ରତିଶ୍ରୁ୍ତି ମିଳିଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ବି ପଡ଼ିପାରିଲା ନାହିଁ। ଏବେ ବି ଦୈନିକ ହଜାର ହଜାର ଲୋକ ବିପଦ ସଙ୍କୁଳ ଭାବେ ରେଳ ଲାଇନ୍‌ ଦେଇ ଯିବାଆସିବା କରୁଛନ୍ତି। ଏଥିପାଇଁ କାହାର ବି ନିଘା ନାହିଁ। ବରଂ ଆର୍‌ଓବି ନକ୍ସାକୁ ନେଇ ରାଜ୍ୟ ସରକାର ଓ ରେଳପଥ କର୍ତୃପକ୍ଷ ମଧ୍ୟରେ ଟଣାଓଟରା ଏବେ ବି ଜାରି ରହିଛି।

ଭୌଗୋଳିକ ଅବସ୍ଥିତି ଦୃଷ୍ଟିକୋଣରୁ ପଦାସାହି, ପଟିଆ ଓ କଳାରାହାଙ୍ଗ ଲେଭଲ କ୍ରସିଂ ଭୁବନେଶ୍ବର ସହ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ୫ଟି ଗ୍ରାମ ପଞ୍ଚାୟତକୁ ମୁଖ୍ୟ ରାସ୍ତା ଭାବେ ସଂଯୁକ୍ତ ହୋଇଛି। ଗ୍ରାମବାସୀଙ୍କ ପାଇଁ ଉପଲବ୍ଧ ସମସ୍ତ ମୌଳିକ ଆବଶ୍ୟକତା ଯେମିତି କି ବିଦ୍ୟାଳୟ, କଲେଜ, ହସ୍ପିଟାଲ୍, ବ୍ୟାଙ୍କ୍, ଅଫିସ୍ ଆଦିରେ ପହଞ୍ଚିବା ପାଇଁ ସେମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ। ପ୍ରତିଦିନ ଏହି ରେଳ ଲାଇନ୍‌ ଦେଇ ବହୁ ଟ୍ରେନ୍ ଯାତାୟାତ କରୁଥିବାରୁ ଏହି ଲେଭଲ କ୍ରସିଂ ପ୍ରାୟ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହୁଛି। ଯାହା ଦ୍ବାରା ଅଞ୍ଚଳର ପ୍ରାୟ ୪୦ ହଜାର ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେଉଛି। ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେବା ସହ ଆମ୍ବୁଲାନ୍ସ ସେବା ମଧ୍ୟ ବିଳମ୍ବିତ ହେଉଛି। କଳାରାହାଙ୍ଗରେ ଆରଓବି ନିର୍ମାଣ କରିବାକୁ ୨୦୨୧ ଜାନୁଆରିରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ନୂଆଦିଲ୍ଲୀଠାରେ ସେତେବେଳର କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଆଲୋଚନା କରିଥିଲେ। ସକାରାତ୍ମକ ପ୍ରତିଶ୍ରୁତି ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ କଳାରାହାଙ୍ଗ, ପଟିଆ ଓ ଭିଏସ୍‌ଏସ୍‌ନଗର ନିକଟରେ ହେବାକୁ ଥିବା ଆରଓବି କାର୍ଯ୍ୟକୁ ୨୦୨୦-୨୧ ଆର୍ଥିକ ବର୍ଷରେ ଅନୁମୋଦନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଡିଜାଇନ୍‌ ପ୍ରସ୍ତୁତ ହୋଇଥିଲା ସେଥିରେ ସଂଶୋଧନ ଆଣିବାକୁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ସମୟରେ କୁହାଯାଇଛି, ଯାହାକି ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନିକଟରେ ପଡ଼ି ରହିଛି। ନୂଆ ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ହେବାକୁ ଥିବା ଆରଓବି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଡିଜାଇନ୍‌ ପ୍ରସ୍ତୁତ କରାଯାଇ ରେଳପଥ ନିକଟରେ ଦାଖଲ ହୋଇଛି। ଯାହାକୁ ଅନୁଧ୍ୟାନ କରାଯାଉଥିବା ରେଳପଥ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନା ଅନୁଯାୟୀ କଳାରାହାଙ୍ଗ ଆରଓବି ଡିଜାଇନ୍‌ରେ ସଂଶୋଧନ କରିବାକୁ ରେଳପଥ ପକ୍ଷରୁ ଗତ ଜାନୁଆରି ୬ରେ କୁହାଯାଇଥିଲେ ମଧ୍ୟ ତାହାକୁ ରାଜ୍ୟ ସରକାର ଚାପି ବସି ପଡ଼ିଛନ୍ତି। ସେହିପରି ପଟିଆ ଆରଓବି ସଂଶୋଧନ ପ୍ରସ୍ତାବ ଫେବ୍ରୁଆରି ୧ ଓ ଭିଏସ୍‌ଏସ୍‌ନଗର ଆରଓବି ଡିଜାଇନ୍‌ ସଂଶୋଧନ ପ୍ରସ୍ତାବ ଫେବ୍ରୁଆରି ୧୧ରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଉକ୍ତ ୩ଟି ଏବେ ବି ସରକାରଙ୍କ ଅନୁମୋଦନ ଅପେକ୍ଷାରେ। ଭିଏସ୍‌ଏସ୍‌ ନଗର ଆରଓବି ନିର୍ମାଣ ଦିଗରେ ଆଗୁଆ ପଦକ୍ଷେପ ନିଆଯିବ। ପରବର୍ତୀ ସମୟରେ ଅନ୍ୟ ତିନୋଟି ଆରଓବି ନିର୍ମାଣ ସହ ରେଳ ଫାଟକ ଉଠାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପୂର୍ବତନ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର