ମାଷ୍ଟରମାଇଣ୍ଡ୍‌ ରାଜ୍‌କୁ ଲୁଚାଇଛି କିଏ?

ପଶ୍ଚିମବଙ୍ଗ ଆସାନ୍‌ସୋଲ୍‌ର ବ୍ୟବସାୟୀ ଭିଗୁରାମ ସିଂହ ଓ ତାଙ୍କ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ବଟି ପାଇଁ ମୁଣ୍ଡ ଜାମିନ୍ ରଖି ଅମାନବୀୟ ନିର୍ଯାତନା ଦେବା ମାମଲାର ମାଷ୍ଟରମାଇଣ୍ଡ ରାଜ୍‌ ପାଖରେ ଏବେ ବି ପୁଲିସ ପହଞ୍ଚି ପାରିନାହିଁ। ଶୁକ୍ରବାର ରାତିରେ ପୁଲିସ ୱେବ୍‌ ପୋର୍ଟାଲ କାର୍ଯ୍ୟାଳୟରେ ଚଢ଼ଉ କରି ଅପହରଣର ଅନ୍ୟତମ ମୁଖ୍ୟ ସାମ୍ବାଦିକା ଗୁଡ୍ଡିଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲେ ବି ସମ୍ପାଦକ ରାଜ୍ ଫେରାର୍ ହୋଇଗଲା। ତେବେ ରାଜ୍ ଫେରାର୍ ହୋଇଗଲା କି ତାକୁ ଏହି ସୁଯୋଗ ଦିଆଗଲା, ତାହାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ କରାଯାଉଛି। ଜଣେ ରାଜ‌ନୈତିକ ବ୍ୟକ୍ତିଙ୍କ ସହଯୋଗରେ ରାଜ୍‌ ଫେରାର୍ ହେବାକୁ ସୁଯୋଗ ପାଇଥିବା ଚର୍ଚ୍ଚା ହେଉଛି। ଉକ୍ତ ପୋର୍ଟାଲ୍ ପ୍ରତିଷ୍ଠା ପାଇଁ ପୁଞ୍ଜି ଖଟାଇଥିବା ନେତା ଜଣକ ରାଜ୍‌କୁ ଲୁଚାଇଥିବା ଆଲୋଚନା ହେଉଛି। ନେତା ଜଣକ ତାକୁ ରାଜ୍ୟ ବାହାରକୁ ପଠାଇ ଦେଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ତେବେ ପୁଲିସ ରାଜ୍‌କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି କହିଛି। ସ୍ବତନ୍ତ୍ର ଟିମ୍‌ ରାଜ୍‌କୁ ପିଛା କରୁଥିବା କୁହାଯାଉଛି।

ଭିଗୁରାମ ଓ ପୂର୍ଣ୍ଣଚନ୍ଦ୍ର ସେମାନଙ୍କ ବ୍ୟବସାୟ ପାଇଁ ଫାଇନାନ୍‌ସ ଯୋଗାଡ଼ କରିବା ଲାଗି ରାମାନୁଜ ମିଶ୍ରଙ୍କ ମଧ୍ୟସ୍ଥତାରେ ୱେବ୍‌ ‌ପୋର୍ଟାଲ୍‌ ‘ଲାଇଭ୍‌ କଳିଙ୍ଗ ନିଉଜ୍‌’ ସମ୍ପାଦକ ରାଜ୍‌ ସହ ସାକ୍ଷାତ କରିଥିଲେ। ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲରେ ଆଲୋଚନା କରିଥିଲେ। ଏହା ପରେ ରାଜ୍ ସେମାନଙ୍କୁ ରଘୁନାଥପୁର ସାଇ ରେସିଡେନ୍‌ସିସ୍ଥିତ ପୋର୍ଟାଲ କାର୍ଯ୍ୟାଳୟକୁ ନେଇ ପଣବନ୍ଦୀ କରି ରଖିଥିଲା। ୧୦ ଲକ୍ଷ ଟଙ୍କା‌ ଦେଲେ ସେମାନଙ୍କୁ ଛାଡ଼ିବ ବୋଲି କହି ଅକଥନୀୟ ନିର୍ଯାତନା ଦେଇଥିଲା ବୋଲି ଅଭିଯୋଗ ହୋଇଛି। ତେବେ ଏହି ମାମଲା ପଛରେ ଆହୁରି କିଛି ବଡ଼ଧରଣର ରହସ୍ୟ ଛପିଥିବା କୁହାଯାଉଛି। ବ୍ୟବସାୟ ପାଇଁ ଫାଇନାନ୍‌ସ ଆବଶ୍ୟକ କରୁଥିବା ଲୋକଠାରୁ ଫାଇନାନ୍‌ସ ଯୋଗାଡ଼ କରିବା ଲୋକ ବଟି ପାଇଁ ମୁଣ୍ଡଜାମିନ କରି ରଖିବା ଭଳି କଥା, ଏହି ମାମଲାକୁ ଅଧିକ ରହସ୍ୟ ଭିତରକୁ ଟାଣି ନେଇଛି। ଏମିତିକି ରାମାନୁଜ ସହ ରାଜ୍‌ର ସମ୍ପର୍କ ମଧ୍ୟ ସନ୍ଦେହ ଘେରରେ ବୋଲି କୁହାଯାଉଛି। ପ୍ରକୃତରେ ଦୁଇ ବ୍ୟବସାୟୀଙ୍କ କି ପ୍ରକାର ବ୍ୟବସାୟକୁ ରାଜ୍‌ର ସଂସ୍ଥା ଟାର୍ଗେଟ୍‌ କରିଥିଲା, ତାହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। କିନ୍ତୁ ପୁଲିସ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। କେବଳ ବଟି ପାଇଁ ଅପହରଣ କରାଯାଇଥିଲା ବୋଲି ନିରୋଳା କାହାଣୀରେ କଥା ଅଟକି ରହିଛି।

ସୂଚନାଯୋଗ୍ୟ ଚଳିତ ମାସ ୫ତାରିଖରେ ଏଭଳି ଅମାନୁଷିକ ଅତ୍ୟାଚାର ଆରମ୍ଭ ହୋଇଥିବା ବେଳେ ୭ତାରିଖ ସକାଳୁ ସକାଳୁ ଭିଗୁରାମ ଓ ପୂର୍ଣ୍ଣଚନ୍ଦ୍ର ଛାଡ଼ ପାଇଥିଲେ। ଏହା ପରେ ଭିଗୁରାମଙ୍କ ବାପାଙ୍କ ଦେହାନ୍ତ ହେବା କାରଣରୁ ଓ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ୨୦ ଦିନ ପରେ ଥାନାରେ ଅଭିଯୋଗ ହୋଇଥିଲା। ତେଣୁ ଏହି ୨୦ ଦିନ ଭିତରେ ଧୂର୍ତ୍ତ ରାଜ୍ ରାଜ୍ୟ ବାହାରକୁ ଖସି ଯାଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର