ୱେବ୍‌ଚ୍ୟାନେଲ୍‌ ସାମ୍ବାଦିକଙ୍କୁ ଖୋଜୁଛି ଉତ୍ତରପ୍ରଦେଶ ପୁଲିସ

ଯୋଗୀ ଆଦିତ୍ୟନାଥଙ୍କ ନାମରେ ଖୋଲିଥିଲେ ଇ-ମେଲ୍‌
ବଡ଼ ସଂସ୍ଥାକୁ ଧମକାଇ ବିଜ୍ଞାପନ ନାଁରେ ଆଣୁଥିଲେ କୋଟି କୋଟି ଟଙ୍କା

ଭୁବନେଶ୍ୱର : ଜଣେ ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ଭୁବନେଶ୍ବରରେ ଖୋଜୁଛି ଉତ୍ତରପ୍ରଦେଶ ପୁଲିସ। ଯୋଗୀ ଆଦିତ୍ୟନାଥଙ୍କ ନାମରେ ଏକ ଇ-ମେଲ୍‌ ଆକାଉଣ୍ଟ ଖୋଲି ବଡ଼ ବଡ଼ ସଂସ୍ଥାଙ୍କୁ ଧମକାଇ ବିଜ୍ଞାପନ ନାମରେ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ପୁଲିସ ତାକୁ ଖୋଜୁଛି। କମିସନରେଟ୍‌ ପୁଲିସ ସହାୟତାରେ ଉକ୍ତ ସାମ୍ବାଦିକଙ୍କ ଘରେ ବାରମ୍ବାର ଚଢ଼ଉ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରିପାରିନାହିଁ। ଅଭିଯୁକ୍ତ ସାମ୍ବାଦିକ ମଧ୍ୟ ସେହିଦିନଠାରୁ ଘରକୁ ଆସୁନାହାନ୍ତି। ତାଙ୍କ ଘର ଉପରେ ସ୍ପେସାଲ ଟାସ୍କଫୋର୍ସ ପୁଲିସ ନଜର ରଖିଛି। ଧମକାଇବା, ଦାଦାବଟି ଆଦାୟ କରିବା ଭଳି ସଙ୍ଗିନ ଦଫାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି।

ସାମ୍ବାଦିକଙ୍କ ନାମ ଉତ୍ତରପ୍ରଦେଶ ପୁଲିସ ଗୁପ୍ତ ରଖିଥିଲେ ମଧ୍ୟ ଭୁବନେଶ୍ବର ଉପକଣ୍ଠରେ ତାଙ୍କ ଘର ବୋଲି ଜଣାପଡ଼ିଛି। ନିଜେ ଏକ ୱେବ୍‌ ପୋର୍ଟାଲ ଖୋଲିଛନ୍ତି। ବଡ଼ବଡ଼ ସଂସ୍ଥାକୁ ଟାର୍ଗେଟ୍‌ କରି ଖବର ପ୍ରସାରଣ କରିନ୍ତି। ଖବର ପ୍ରସାରଣ ପୂର୍ବରୁ ସମ୍ପୃକ୍ତ ସଂସ୍ଥା ସହ ଡିଲ୍‌ କରନ୍ତି। ଡିଲ୍‌ରେ ଦାବି ମୁତାବକ ଅର୍ଥ ମିଳିଗଲେ ଆଉ ଖବର ପ୍ରସାରିତ ହୁଏ ନାହିଁ। ଡିଲ୍‌ ଫେଲ ମାରିଲେ ସମ୍ପୃକ୍ତ ମାଲିକଙ୍କୁ ଧମକ ଦିଅନ୍ତି ଓ ଖବର ପ୍ରସାରଣ କରନ୍ତି। ଏଭଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଏଭଳି ରୋଜଗାରରୁ ଭୁବନେଶ୍ବର ଉପକଣ୍ଠରେ ତାଙ୍କର ଏକ ତିନିମହଲା କୋଠା ରହିଛି। ପତ୍ନୀ ମଧ୍ୟ ଏକ ସଂସ୍ଥାରେ ପୂର୍ବରୁ ନିଉଜ୍‌ ଆଙ୍କର ଭାବେ କାମ କରୁଥିବା ଦିଲ୍ଲୀ ପୁଲିସ ଜାଣିବାକୁ ପାଇଛି।

ତିନିମାସ ତଳେ ସେ ରୋଜଗାର ପାଇଁ ଏକ ନୂଆ ବାଟ ତିଆରି କରିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ସେ ଏକ ଇମେଲ୍‌ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରୁ ଓଡ଼ିଶାରେ ଥିବା ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖୁଥିଲେ। ସମ୍ପୃକ୍ତ ସଂସ୍ଥାମାନେ ସାମ୍ବାଦିକଙ୍କ ୱେବ୍‌ ପୋର୍ଟାଲ୍‌କୁ ବିଜ୍ଞାପନ ଦିଅନ୍ତୁ ବୋଲି ଯୋଗୀ ସୁପାରିସ୍‌ କରୁଥିବା ଚିଠିରେ ଦର୍ଶାଉଥିଲେ। ଗତ ୬ ମାସ ମଧ୍ୟରେ ସେ ୫ଟି ସଂସ୍ଥାରୁ ପାଖାପାଖି ଦେଢ଼କୋଟି ନେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ସନ୍ଦେହ ହେବାରୁ ଗୋଟିଏ ସଂସ୍ଥାର କର୍ତ୍ତୃପକ୍ଷ ଏ ନେଇ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଏଭଳି ସୁପାରିସ୍‌ କାହାରିକୁ କରିନଥିବା ଜଣାପଡ଼ିଥିଲା। ଏଣୁ ସେ ଥାନାରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନାମ ବ୍ୟବହାର କରି ଏଭଳି ଠକେଇ ହେଉଥିବା ଅଭିଯୋଗ ହେବା ପରେ ପୁଲିସ ଏହାକୁ ଗୁରୁତ୍ବର ସହ ନେଇଥିଲା। ଏଥିପାଇଁ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲା। ଓଡ଼ିଶା ଆସିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ତାଙ୍କୁ ଧରିବା ପାଇଁ କମିସନରେଟ୍‌ ପୁଲିସ ସହ ଦିଲ୍ଲୀ ପୁଲିସ ମଧ୍ୟ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

ଫ୍ୟାସନ୍‌ ଏଜେନ୍‌ସିକୁ ମାଗିଥିଲା ୨ ଲକ୍ଷ
ଫେରାର୍‌ ଥିବା ପୋର୍ଟାଲ୍‌ ଏଲକେଏନ୍‌ ସମ୍ପାଦକ ରାଜ୍‌ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଥିବା ଜଣାପଡ଼ିଛି। ଜୁନ୍ ମାସରେ ନୂଆପଲ୍ଲୀ ଥାନାରେ ତା’ ନାଁରେ ବ୍ୟବସାୟୀ ଅଜୟ କୁମାର ବେହେରା ଦାଦାବଟି ମାଗିଥିବା ଅଭିଯୋଗ କରିଥିଲେ ବୋଲି ଜଣାପଡ଼ିଛି। ଏନେଇ ଡିସିପିଙ୍କ ପାଖରେ ବି ଅଜୟ ଅଭିଯୋଗ କରିଥିବା ଜଣାପଡ଼ିଛି। ମାତ୍ର ସାମ୍ବାଦିକ ଢାଲ ପଛରେ ଥିବା ଲୁଟେରା ରା‌ଜ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

ଅଭିଯୋଗାକାରୀ ଅଜୟ କହିଛନ୍ତି ନୂଆପଲ୍ଲୀରେ ତାଙ୍କର ଏକ ଫ୍ୟାସନ୍‌ ଏଜେନ୍ସି ଅଛି। ସେଥିରେ ମଡେଲ୍‌ ଆଶାୟୀଙ୍କୁ ପ୍ରଶିକ୍ଷଣ ଦିଆଯାଏ। ତାଙ୍କ ସଂସ୍ଥାରେ ଯୁବତୀମାନଙ୍କୁ ଅସଦାଚରଣ କରାଯାଉଛି ଓ ଏହାର ଭିଡିଓ ରହିଛି ବୋଲି କହି ରାଜ୍ ତାଙ୍କୁ ଧମକ ଦେଇ ୨ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଲାଇଭ୍‌ କଳିଙ୍ଗ ପୋର୍ଟାଲ୍‌ରେ ସେ ଖବର ପ୍ରସାରଣ କରିବେ ଓ ପୁଲିସରେ ଏତଲା କରାଇବେ ବୋଲି ଧମକ ଦେଇଥିଲେ। ଅଜୟଙ୍କ କହିବା କଥା ସେତେବେଳେ ତାଙ୍କ ବାପା ଅସୁସ୍ଥ ଥିବାରୁ ସେ ହଠାତ୍ ଏଭଳି ଅଭିଯୋଗରେ ବ୍ୟସ୍ତ ହୋଇପଡ଼ିଥିଲେ ଓ ଭିଡିଓ ଦେଖିଲେ ଏକ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ମାତ୍ର ଭିଡିଓ ନଦେଖାଇ ରାଜ୍‌ ଲକ୍ଷେ ଟଙ୍କା ନବାକୁ ଜିଦ୍‌ କରିଥିଲା। ତେଣୁ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ନୂଆପଲ୍ଲୀ ଥାନାରୁ ମିଳିଥିବା ସୂଚନାନୁସାରେ ପରେ ଅଜୟ ଏହି ମାମଲାରୁ ଓହରି ଯିବାକୁ ଲିଖିତ ଭାବେ ଜଣାଇବାରୁ ମାମଲା ଆଗେଇନଥିଲା।

ସମ୍ବନ୍ଧିତ ଖବର