ଅବ୍ୟବସ୍ଥା ଘେରରେ ଏମ୍‌ସ ହୃଦ୍‌ଶଲ୍ୟ ବିଭାଗ

ଅନୁପଯୋଗ ଅବସ୍ଥାରେ ଓଟି, ଆଇସିୟୁ ଶଯ୍ୟା ଅଭାବ

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସର କାଡିଓଥୋରାସିକ୍‌ ଆଣ୍ଡ୍‌ ଭାସ୍କୁଲାର୍‌ ସର୍ଜରି ଅର୍ଥାତ ହୃଦ୍‌ରୋଗ ଅସ୍ତ୍ରୋପଚାର ବିଭାଗରେ ଘୋର ଅବ୍ୟବସ୍ଥା ଲାଗି ରହିଛି। ଦୁର୍ବଳ ଭିତ୍ତିଭୂମି ପାଇଁ ଏହି ବିଭାଗ ଏବେ ଏକ ପ୍ରକାର କୋମା ଅବସ୍ଥାରେ ଥିବା କୁହାଯାଉଛି। ଏଠାରେ ଥିବା ଦୁଇଟି ଓଟି ମଧ୍ୟରୁ ଗୋଟିଏ ଅନୁପଯୋଗ ଅବସ୍ଥାରେ ରହିଛି। ଏଠିକା ଆଇସିୟୁରେ ମାତ୍ର ୫ଟି ଶଯ୍ୟା। ଆବଶ୍ୟକ ସଂଖ୍ୟକ ଡାକ୍ତର ଥିଲେ ହେଁ ଓଟି ପାଇଁ ଆବଶ୍ୟକ ସଂଖ୍ୟକ ଟେକ୍‌ନିସିଆନ୍‌ ଓ ନର୍ସ ନାହାନ୍ତି। ତେଣୁ ଗୁରୁତର ରୋଗୀ ଆସୁଥିଲେ ମଧ୍ୟ ଅସ୍ତ୍ରୋପଚାର ପାଇଁ ସେମାନଙ୍କୁ ୩ ରୁ୪ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଫଳରେ ତୁରନ୍ତ ଅସ୍ତ୍ରୋପଚାର ଦରକାର କରୁଥିବା ରୋଗୀମାନେ ବାଧ୍ୟ ହୋଇ ଘରୋଇ ହସ୍ପିଟାଲକୁ ଯାଉଛନ୍ତି। ମାତ୍ର ଗରିବ ରୋଗୀମାନେ ଭାଗ୍ୟକୁ ଆଦରି ଏମ୍‌ସ ପକ୍ଷରୁ ଧାର୍ଯ୍ୟ ସମୟକୁ ଅପେକ୍ଷା କରୁଛନ୍ତି।

ନୟାଗଡ଼ ଜିଲ୍ଲାର ଝିଲି ପାଲ୍‌ ହୃଦ୍‌ରୋଗ ସମସ୍ୟା ନେଇ ଜୁଲାଇ ମାସରେ ଏମ୍‌ସ ଆସିଥିଲେ। ବିଭାଗୀୟ ଡାକ୍ତର ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା କହିଥିଲେ। ମାତ୍ର ଆବଶ୍ୟକ ଶଯ୍ୟା ନଥିବାରୁ କିଛି ଦିନ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ ଓ କିଛି ମାସ ପାଇଁ ଔଷଧ ଲେଖିଦେଲେ ବୋଲି ତାଙ୍କ ଭାଇ କହିଛନ୍ତି। ତୁରନ୍ତ ଅସ୍ତ୍ରୋପଚାର ଦରକାର କରୁଥିବା ତାଙ୍କ ଭଉଣୀଙ୍କୁ ଏବେ ସେପ୍ଟେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଭାଗ୍ୟରେ ଯାହା ଥିବ ବୋଲି ସେ ବଡ଼ ଦୁଃଖରେ କହିଛନ୍ତି। ସେହିଭଳି ବଲାଙ୍ଗୀର ଜିଲ୍ଲାର ହେମକର ପ୍ରଧାନଙ୍କ ପାଇଁ ଏମ୍‌ସରେ ଶଯ୍ୟା ବ୍ୟବସ୍ଥା ନହେବାରୁ ସେ ଏଠାରୁ ଫେରିଛନ୍ତି। ପରିବାର ଲୋକେ କୌଣସି ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଇବା ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି। ସରକାରୀ ହିସାବରେ ରାଜ୍ୟରେ କେବଳ ଏମ୍ସ ଓ ଏସ୍‌ସିବିରେ ହିଁ ହୃଦ୍‌ରୋଗ ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି। ସମ୍ବଲପୁର ଭୀମ୍‌ସାର ଓ ବ୍ରହ୍ମପୁର ଏମ୍‌କେସିଜିରେ ଏହି ସୁବିଧା ନାହିଁ। ଏଥିଯୋଗୁଁ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ପ୍ରାୟ ୨୦ ରୁ ୩୦ ହୃଦ୍‌ରୋଗୀ ଭୁବନେଶ୍ବର ଏମ୍‌ସକୁ ଆସନ୍ତି। ଅର୍ଥାତ୍‌ ସପ୍ତାହକୁ ପ୍ରାୟ ୧୫୦ରୁ ୨୦୦ ରୋଗୀ ଆସିଥାଆନ୍ତି। ମାତ୍ର ବିଭାଗର ସ୍ଥିତି ଏଭଳି ଯେ ସପ୍ତାହରେ କେବଳ ୪ରୁ୫ ଜଣଙ୍କ ଅସ୍ତ୍ରୋପଚାର ହୋଇପାରୁଛି। ମାତ୍ର ଦୁଇଟି ଓଟି ମଧ୍ୟ ପର୍ଯ୍ୟାପ୍ତ ନୁହେଁ। କିନ୍ତୁ ସେଥିରେ ପୁଣି ଏବେ ଗୋଟିଏ ଓଟି ଅଚଳ ହୋଇ ପଡ଼ିଛି। ଅନ୍ୟ ଓଟିରେ ଥିବା ୩୦ ଶଯ୍ୟାରୁ ଏବେ କେବଳ ୧୫ଟି ଶଯ୍ୟା ଉପଯୋଗୀ ରହିଛି। ଅନ୍ୟ ୧୫ଟି ଶଯ୍ୟା କୋଭିଡ୍‌ ରୋଗୀଙ୍କ କାର୍ଯ୍ୟରେ ଲାଗୁଛି। ପ୍ରଥମତଃ ଓପିଡି ଏବଂ ଓଟି ବନ୍ଦ ଯୋଗୁଁ ଅପେକ୍ଷାରେ ଥିବା ରୋଗୀ ସଂଖ୍ୟା ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି। ସେଥିରେ ଅସ୍ତ୍ରୋପଚାର ସ୍ବାଭାବିକ ହେଉନଥିବାରୁ ଅପେକ୍ଷାରେ ଥିବା ରୋଗୀଙ୍କ କଷ୍ଟ ବଢୁଛି। ତେଣୁ ଅନେକ ରୋଗୀ ଘରୋଇ ଡାକ୍ତରଖାନା କିମ୍ବା ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି ଓ ଆର୍ଥିକ ସଂକଟ ଭଳି ଦୁର୍ଦ୍ଦଶାର ଶିକାର ହେଉଛନ୍ତି।

ତେଣୁ ହୃଦ୍‌ଶଲ୍ୟ ବିଭାଗ ପାଇଁ ବାଇପାସ୍‌ ସର୍ଜରି ମେସିନ୍‌ ଯୋଗାଇବା, ଅଚଳ ଓଟିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା, ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଓ ଅଧିକ ନର୍ସ ନିଯୁକ୍ତି କରି ଭିତ୍ତିଭୂମି ଦୃଢ଼ କରିବା ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ତଥାପି ଏଭଳି ଦୁର୍ବଳ ଭିତ୍ତିଭୂମି ମଧ୍ୟରେ ଏଠାରେ ଏକ୍‌ମୋ ଚିକିତ୍ସା ଆରମ୍ଭ କରାଯାଇଛି। ବର୍ତ୍ତମାନ ଏହି ବିଭାଗରେ ସହକାରୀ ପ୍ରଫେସର ଡ. ସିଦ୍ଧାର୍ଥ ସାଠିଆ, ଡ. ସତ୍ୟପ୍ରିୟ ମହାନ୍ତି, ସହଯୋଗୀ ପ୍ରଫେସର ଡ. ରୁଦ୍ରପ୍ରତାପ ମହାପାତ୍ର ଓ ୨ ଜଣ ଟେକ୍‌ନିସିଆନ୍‌ ରହିଛନ୍ତି।

ଛୁଟିରେ ଡାକ୍ତର, ଦୁର୍ଦ୍ଦଶାରେ ରୋଗୀ, ଗାଳି ଶୁଣୁଛନ୍ତି ସ୍ବାସ୍ଥ୍ୟ କର୍ମଚାରୀ
ଏମ୍ସରେ ଓପିଡି ଟିକେଟ ପାଇଁ ବିଳମ୍ବିତ ରାତିରୁ ଧାଡ଼ିରେ ଛିଡ଼ା ହେଉଛନ୍ତି ରୋଗୀ କିମ୍ବା ସମ୍ପର୍କୀୟ। କିନ୍ତୁ ଠିକ ସମୟରେ ଟିକେଟ ଧରି ପହଞ୍ଚିବାବେଳକୁ ଡାକ୍ତର ଛୁଟିରେ। ଏଭଳି ସ୍ଥିତିରେ ଦୂର ବାଟ ଯାତ୍ରା କରି ଆସିଥିବା ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେଉଛି। ଏହି ସମୟରେ ଉପସ୍ଥିତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ରୋଗୀ ସମ୍ପର୍କୀୟଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ସୂଚନା ଅନୁଯାୟୀ, ହୃଦରୋଗ ବିଭାଗ ଡାକ୍ତର ଦେବାଶିଷ ଦାସ ସ୍ବାସ୍ଥ୍ୟଗତ କାରଣରୁ ୧୩ ତାରିଖରୁ ଛୁଟିରେ ଅଛନ୍ତି। ତାଙ୍କୁ ଓପିଡିରେ ଦେଖାଇବା ପାଇଁ ଜଣେ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କୁ ଧରି ଦୂର ବାଟରୁ ଆସିଥିଲେ। ମାତ୍ର ନଥିବା ଜାଣିବା ପରେ ପାଟିତୁଣ୍ଡ କରିଥିଲେ। ପ୍ରାୟ ପ୍ରତ୍ୟେକ ଦିନ ହୃଦରୋଗ ବିଭାଗରେ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏଠାରେ ଜଣେ ଠିକା ଡାକ୍ତରଙ୍କ ସମେତ ସମୁଦାୟ ୩ ଜଣ ଡାକ୍ତର ଅଛନ୍ତି। ଦୈନିକ ୧୫୦ ରୋଗୀ ଆସୁଛନ୍ତି। ଜଣେ ଡାକ୍ତର ଓପିଡିରେ ରହିଲେ, ଅନ୍ୟ ଜଣଙ୍କ ଓଟିରେ ଡ୍ୟୁଟି ରହୁଛି। ଏଭଳି ସ୍ଥିତିରେ ରୋଗୀ ଦୁର୍ଦଶା ବୃଦ୍ଧି ପାଇବାରେ ଲାଗିଛି। ଏଥିପ୍ରତି ଏମ୍ସ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର