ହୋଲ୍‌ସେଲ୍‌ ହାଟ ସ୍ଥାନାନ୍ତର ମାମଲା: କଟା ଗଛ କିଏ ନେଲା?

ଖଣ୍ଡଗିରି: ୟୁନିଟ୍‌-୧ ହୋଲ୍‌ସେଲ୍ ପରିବା ହାଟ ଭଗବାନପୁରକୁ ସ୍ଥାନାନ୍ତର ହେବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭଗବାନପୁର ପ୍ଲଟ୍‌ ନମ୍ବର ୮୩ରେ ଥିବା ୧୦ ଏକର ପରିମିତ ଜାଗାକୁ ସଫା ଓ ସମତୁଲ କରାଯାଉଛି। ସେହିଭଳି ବ୍ୟବସାୟୀମାନଙ୍କ ପାଇଁ ରେକର୍ଡ ପତ୍ର କାମ ବି ଜାରି ରହିଛି। ତେବେ ଏହା ଭିତରେ ଏକ ବଡ଼ କେଳେଙ୍କାରୀ ପଦାକୁ ଆସିଛି। ଏହି ୧୦ଏକର ଜମିରେ ଥିବା ଶହଶହ ଗଛ କଟା ହେବା ପରେ ଗାଏବ୍ ହୋଇଯାଇଛି। ଗଛ କିଏ କାଟିଲା ଓ କଟା ଗଛ କିଏ ନେଲା, ତା’ର ହିସାବପତ୍ର କାହା ପାଖରେ ନାହିଁ। ଏ ବାବଦରେ ବନ ବିଭାଗ କିଛି ଜାଣିନି କି ରାଜସ୍ବ ବିଭାଗ ପାଖରେ କଟା ଗଛସବୁର ହିସାବ ନାହିଁ। ଦିନ ଦି’ପହରେ ଏତେ ଗଛ କାଟି କିଏ କୁଆଡ଼େ ନେଲା, ତାହା ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି।

ସୂଚନା ଅନୁଯାୟୀ, ଉକ୍ତ ଜମିରେ ୟୁକାଲି ପଟାସ ଗଛ ଥିବା ଏକ ବଡ଼ ଜଙ୍ଗଲ ଥିଲା। ତା’ ଭିତରେ ବି ବହୁ ମୂଲ୍ୟବାନ ଗଛ ଥିଲା। ଏବେ ଉକ୍ତ ଜଙ୍ଗଲ ପଦା ହୋଇଯାଇଛି। ଗଛ କାଟିବା ସହ ଚେର ଉପାଡ଼ି ସଫା କରାଯାଇଛି। ଏନେଇ ଭୁବନେଶ୍ବର ବନ ବିଭାଗର କମର୍ସିଆଲ‌୍ ମ୍ୟାନେଜର ମନୋରଞ୍ଜନ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଏଠାରେ ବନ ବିଭାଗ ତରଫରୁ ଚାରା ଉତ୍ପାଦନ କରାଯାଇ ବିକ୍ରୟ କରାଯାଉଥିଲା। ହାଟ ସ୍ଥାନାନ୍ତର ନିଷ୍ପତ୍ତି ହେବା ପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସ୍ଥାନରୁ ସବୁ ଚାରା ହଟାଇ ସ୍ଥାନ ଖାଲି କରିଦିଆଯାଇଛି। କିନ୍ତୁ ଗଛ ସବୁ କିଏ କାଟିଲା ଓ କିଏ ନେଇଗଲେ, ସେନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ନିୟମ ଅନୁସାରେ, କୌଣସି ଜଙ୍ଗଲରୁ ଗଛ କଟାଗଲେ, ନୂତନ ସ୍ଥାନରେ ତାହାର ୨ଗୁଣ ଅଧିକ ଗଛ ଲାଗେ। କିନ୍ତୁ ଏହି ଜଙ୍ଗଲ କଟା ହେବା ପରେ କେଉଁଠି କେତେ ଗଛ ଲାଗିଲା, ସେ ହିସାବ ତାଙ୍କ ପାଖରେ ନାହିଁ। ସେହିଭଳି ଏନେଇ ପାତ୍ରପଡ଼ା ଆର୍‌ଆଇ ମଧ୍ୟ କିଛି କହିପାରିନଥିଲେ।

ଭୁବନେଶ୍ବର ତହସିଲଦାରଙ୍କୁ ଯୋ‌ଗାଯୋଗ କରାଯାଇଥିଲେ ବି ସମ୍ଭବ ହୋଇନଥିଲା। ବିଡ଼ମ୍ବନା ଏହି ଯେ ବନ ବିଭାଗ ହେଉ କି ରାଜସ୍ବ ବିଭାଗ ହେଉ, ୧୦ ଏକର ଜମିରେ ଥିବା ଶହଶହ ଗଛ କାଟି କିଏ କୁଆଡ଼େ ନେଇଗଲା, କେହି ଜାଣିପାରିଲେ ନାହିଁ। ତେଣୁ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ ମଧ୍ୟରେ କିଭଳି ସମନ୍ବୟ ନାହିଁ, ତାହା ସ୍ପଷ୍ଟ ହୋଇଯାଇଛି। ଏ ବାବଦରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ ବୋଲି ପରିବେଶବିତ୍‌ମାନେ ଦାବି କରିଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହି ଜଙ୍ଗଲକୁ କାଟି ପ୍ରଥମେ ଏଠାରେ ଏକ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ହେବ ବୋଲି ଯୋଜନା କରାଯାଇଥିଲା। ମାତ୍ର ଏହାକୁ ପ୍ରବଳ ବିରୋଧ ହେବାରୁ ଏହି ଯୋଜନାକୁ ବନ୍ଦ କରାଗଲା। ଏବେ ଏଠାକୁ ଏକ ନମ୍ବର ହାଟର ହୋଲ୍‌ସେଲ୍‌ ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବଡ଼ବଡ଼ ଗଛ ସବୁକୁ ସ୍ଥାନୀୟ ଲୋକେ ମନଇଚ୍ଛା କାଟି ନେଇଗଲେ। କେହି ପ୍ରତିବାଦ କଲେ ନାହିଁ। ବନ ବିଭାଗ ଓ ରାଜସ୍ବ ବିଭାଗ ସବୁ ଦେଖି ନ ଦେଖିବା ଭଳି ନିରବ ରହିଲା। ମାଟିରେ ଲାଗି ରହିଥିବା‌ ଗଛର ଗଣ୍ଡିକୁ ଲୋକେ ନିଆଁ ଲଗାଇ ପୋଡ଼ି ଦେଲେ। ଏତେ କାଣ୍ଡ ଘଟିଲା, କିନ୍ତୁ ଆଶ୍ଚର୍ଯ୍ୟ, କେହି ଦେଖିପାରିଲେ ନାହିଁ। ଏବେ ଏହା ପରିବେଶବିତ୍‌ମାନଙ୍କୁ ବ୍ୟଥିତ କରିଛି। ଗଛ ଗାଏବ୍‌ ହେବା ପଛରେ ଅସାଧୁ ସରକାରୀ କର୍ମଚାରୀମାନଙ୍କ ହାତ ରହିଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର