ଅନୁଗୁଳ ଏସ୍‌ଡିପିଓଙ୍କ ଅଡ଼ୁଆ ବଢ଼ିଲା: ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ପତ୍ନୀ

ମହିଳା ଇନ୍ସପେକ୍ଟରଙ୍କ ସହ ରୋମାନ୍ସ ଭିଡିଓକୁ ଥାନାରେ ଦାଖଲ କଲେ

ଚନ୍ଦ୍ରଶେଖରପୁର : ପୁଣି ଅନୁଗୁଳ ଏସ୍‌ଡିପିଓ ଅଶ୍ବିନୀ କୁମାର ସାହୁଙ୍କ ପାଇଁ ଅଡ଼ୁଆ ବଢ଼ିଲା। ଜଣେ ମହିଳା ଇନ୍ସପେକ୍ଟର୍‌ଙ୍କ ସହ ରୋମାନ୍ସ ସମୟର ଭିଡିଓ ଭାଇରାଲ୍ ପରେ ଏବେ ପତ୍ନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ ହୋଇଛି। ବିଭିନ୍ନ ସମୟରେ ଗୁଣ୍ଡା ଲଗାଇ ସ୍ବାମୀ ଜୀବନରୁ ମାରି ଦେବାକୁ ଯୋଜନା କରିଥିଲେ ବୋଲି ପତ୍ନୀ ମମତା ସାହୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଆଣିଛନ୍ତି। ଏହା ପରେ ପୁଲିସ୍‌ ଅଶ୍ବିନୀ କୁମାର ସାହୁଙ୍କ ବିରୋଧରେ କେସ୍ ନଂ-୧୨୫/୨୧ ଏବଂ ଆଇପିସି ଦଫା-୩୨୩, ୫୦୬, ୩୦୭, ୩୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀ ପତ୍ନୀ ମମତାଙ୍କର ବୟାନ ମଧ୍ୟ ରେକର୍ଡ କରିଛି।

ମମତାଙ୍କ ଅଭିଯୋଗ ଅନୁସାରେ, ୨୦୦୪ ଜୁଲାଇ ୧୩ ତାରିଖରେ ଅଶ୍ବିନୀଙ୍କର ସହ ତାଙ୍କର ବିବାହ ହୋଇଥିଲା। ୨୦୧୧ରେ ଯାଜପୁର ଟାଉନ୍‌ ଥାନାର ଆଇଆଇସି ଥିବା ବେଳେ ମହିଳା ସବଇନ୍ସପେକ୍ଟରଙ୍କ ସହ ଅଶ୍ବିନୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଅଶ୍ବିନୀ ପଦୋନ୍ନତି ପାଇ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇ ଯାଇଥିବା ବେଳେ ସମ୍ପୃକ୍ତ ମହିଳା ସବଇନ୍ସପେକ୍ଟର ଇନ୍ସପେକ୍ଟର ହୋଇ ମୟୂରଭଞ୍ଜକୁ ବଦଳି ହୋଇଯାଇଥିଲେ। ଏହା ପରଠାରୁ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ଓ ଶାରୀରିକ ନିର୍ଯାତନା। ଭୁବନେଶ୍ବରରେ ଫ୍ଲାଟ୍ ଓ ଜମି କିଣିବା ଲାଗି ୫୦ଲକ୍ଷ ଟଙ୍କା ବାପଘରୁ ଆଣିବା ପାଇଁ ଚାପ ପକାଇବା ସହ ନିର୍ଯାତନା ଦେଉଥିଲେ। କିଛି ଦିନ ତଳେ ଅଶ୍ବିନୀ ଶୈଳଶ୍ରୀବିହାରସ୍ଥିତ ମନୀଷା ଏନକ୍ଲେଭ୍‌ ଘରକୁ ଆସି ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇଥିଲେ। ସମ୍ପୃକ୍ତ ମହିଳା ଇନ୍ସେପେକ୍ଟରଙ୍କୁ ସେ ବିବାହ କରିଛନ୍ତି ଓ ତାଙ୍କର ୪ ବର୍ଷର ଏକ ଝିଅ ଅଛି ବୋଲି କହିଥିଲେ। ସହମତି ଭିତ୍ତିରେ ଛାଡ଼ପତ୍ର ଦେବାକୁ ଧମକ ଦେବା ସହ ହତ୍ୟା ଉଦ୍ୟମ କରିଥିଲେ। ମାଡ଼ରେ ଆହତ ସମୟର ଫଟୋ ଏବଂ ମହିଳା ଇନ୍ସପେକ୍ଟରଙ୍କ ସହ ଭାଇରାଲ୍ ଭିଡିଓକୁ ପୁଲିସ୍‌ ନିକଟରେ ସେ ଦାଖଲ କରିଛନ୍ତି। ମମତାଙ୍କ ଅଭିଯୋଗ ସମ୍ପର୍କରେ ଏସ୍‌ଡିପିଓ ଅଶ୍ବିନୀ ସାହୁଙ୍କ ପ୍ରତିକ୍ରିୟା ନେବା ପାଇଁ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର କୌଣସି ଉତ୍ତର ମିଳିପାରି ନ ଥିଲା।

ସୂଚନାଯୋଗ୍ୟ, ସପ୍ତାହେ ତଳେ ଅଶ୍ବିନୀଙ୍କର ସମ୍ପୃକ୍ତ ମହିଳା ଇନ୍ସପେକ୍ଟରଙ୍କ ରୋମାନ୍ସ ସମୟର ଭିଡିଓ ଭାଇରାଲକୁ ନେଇ ପୁଲିସ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର