ନାବାଳିକାଙ୍କୁ ଅପହରଣ କରି ମହିଳା ଗିରଫ

ଭୁବନେଶ୍ବର: ନାବାଳିକା ଅପହରଣ ମାମଲାରେ ବଡ଼ଗଡ଼ ଥାନା ପୁଲିସ ଜଣେ ହାଇଦ୍ରାବାଦର ବୀଣା ଗୋପାଳ ନାମକ ଜଣେ ମହିଳାଙ୍କୁ ମଞ୍ଚେଶ୍ବର ଧିରିକୁଟି ବସ୍ତିରୁ ଗିରଫ କରିଛି। ଗତ ୨ ତାରିଖ ଦିନ ବୀଣା ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲା। ଏ ସଂପର୍କରେ ନାବାଳିକାଙ୍କ ମା’ ଶକୁନ୍ତଳା ବେହେରା ଥାନାରେ ଅଭି‌ଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ମଞ୍ଚେଶ୍ବର ଧିରିକୁଟି ବସ୍ତିରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ବୀଣାଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ କୋର୍ଟଚାଲାଣ କରାଯାଇଛି।

ନାବାଳିକାଙ୍କୁ ତାଙ୍କ ପରିବାରଲୋକଙ୍କୁ ଜିମା ଦିଆଯାଇଛି। ଅନ୍ୟପଟେ ପୁଲିସ ତଦନ୍ତରୁ ଜଣିବାକୁ ପାଇଛି ଯେ, ଗିରଫ ହୋଇଥିବା ମହିଳା ଏକ ସମ୍ଭ୍ରାନ୍ତ ପରିବାରର। ନିଜେ ମଧ୍ୟ ଜଣକ ଉଚ୍ଚ ଶିକ୍ଷିତା। ସ୍କଟଲାଣ୍ଡରେ ଷ୍ଟକ ଇନଭେଷ୍ଟମେଣ୍ଟ ଉପରେ ପାଠ ପଢ଼ିଛନ୍ତି। କିଛି ଦିନ ହେଲା ସେୟାର ବଜାରରେ ବେଶ୍‌ ସକ୍ରିୟ ଥିଲେ। କିନ୍ତୁ ସେୟାର ବଜାରରେ କ୍ଷତି ହେବା ପରଠୁ ତାଙ୍କ ମାନସିକ ସ୍ଥିତି ଭଲ ନଥିଲା। କିଛି ମାସ ତଳେ ସେ ରାଜଧାନୀକୁ ଆସି ମଞ୍ଚେଶ୍ବର ଅଞ୍ଚଳରେ ରହୁଥିଲେ। ବଡ଼ଗଡ଼ ଅଞ୍ଚଳରେ ଥିବା ଏକ ପାର୍କକୁ ଯାଇ ବସାବସି କରୁଥିଲେ। ଏହି ସମୟରେ ସେଠାକୁ ଆସୁଥିବା ଶକୁନ୍ତଳାଙ୍କ ଝିଅଙ୍କ ସହ ତାଙ୍କ ଭାବ ବଢ଼ିଥିଲା। ୨ତାରିଖରେ ମହିଳା ଜଣଙ୍କ ନାବାଳିକାଙ୍କୁ ନେଇ ପଳାଇଥିଲେ। ସେ କାହିଁକି ତାଙ୍କୁ ନେଇଥିଲେ? ତାହା ଏବେ ବି ଅସ୍ପଷ୍ଟ ରହିଛି। ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ପୁଲିସ ତାଙ୍କ ବଡ଼ ଭଉଣୀଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇଛି।

ସମ୍ବନ୍ଧିତ ଖବର